Skip to main content

ଅବସର... କ'ଣ ଶେଷ ପରିଣତି*?

*ଅବସର... କ'ଣ ଶେଷ ପରିଣତି*?

ନିଜକୁ ଟିକେ ପରଖୁଥିଲା ଦର୍ପଣରେ,
ବିତି ଯାଇଥିବା ଦିନ
ପଶି ଆସିଲା ଚୁପଚାପ୍ ଭିତରକୁ,
ସଂପର୍କ ବଞ୍ଚେଇବାର ଅହରହ 
ଯୁଦ୍ଧ,ଯନ୍ତ୍ରଣା କୁ ଘୁଙ୍ଗୁର ପିନ୍ଧେଇ
ତୋଳିଥିଲା ଖୁସିର ସାମିଆନା,
ନିଜ ଆଖିରୁ ନିଦ ଚୋରେଇ
ସ୍ବପ୍ନ ବାଣ୍ଟିଥିଲା,
ଭୋକ,ଶୋଷ, ଅବଶୋଷ,ଅବସାଦ
ସବୁ ଭିତରେ ଚାପି 
ମୁରୁକି ମୁରୁକି ହସୁଥିଲା,
‌ଲୁହକୁ ଲୁଚାଇ ନିଜେ ଜଳି  
ଢାଳୁଥିଲା ଶୀତଳତା,
ପ୍ରତି ରକ୍ତ କଣିକା ପ୍ରବହଣ ରେ
ହୃଦୟର ସାବଜା ପତ୍ର ଖେଳୁଥିଲା ହୋରି,
ବର୍ଷା,ବସନ୍ତ,ବୈଶାଖ,ବତାସ 
ସ୍ପର୍ଶ ଥିଲା ସବୁ ଏକା ପରି,
ସ୍ବପ୍ନ ର ବୈକୁଣ୍ଠ ଗଢ଼ିବା ପ୍ରୟାସ
ଆସନ୍ତା ସକାଳର ପ୍ରତୀକ୍ଷାରେ
ଟୋପା ଟୋପା ଶିଶିର ବିନ୍ଦୁ ହୋଇ
ଅଗଣାରେ ନାଚୁଥିଲେ,

କ୍ଳାନ୍ତି ର ବେଳାଭୂମି ରେ
ସମୟର ଉତ୍ତରଣ,
ରାତି ସାରା ଗୁଣୁ ଗୁଣୁ 
ନିର୍ଜନ ଆକାଶରେ
କେବଳ ଶୂନ୍ୟତାର ପାଦ ଚିହ୍ନ,
ସମୟର ଧକ୍କା ଖାଇ ଖାଇ
ରାତିରେ ଝରିଥିବା ତାରା ଫୁଲ ସହ ବନ୍ଧୁତା,
ଓଃ.... ଆସିଗଲା ଅବସର....
ଅବସର କ'ଣ ଶେଷ ପରିଣତି...???

ପଚାଶ ବର୍ଷର ପରାଧୀନ 
ଶୃଙ୍ଖଳ ଖୋଲିଲା,
କିନ୍ତୁ ଦଦରା ସ୍ବରରେ ନଥିଲା
ଆଉ ସ୍ବାଧୀନତାର ରସ,
ଥିଲା ଖାଲି କ୍ଷୋଭ ଆଉ ଅଭିମାନ 
ଦୁଇଟି ମୁହୁର୍ତ୍ତ ରୁ ବିଗତ 
ସମୟ ବୋଧହୁଏ ଆପଣାର ଥିଲା,
ଏବେ ନିରୀହ ଅଧା କଟା ଗଛ 
ନିଃଶ୍ତବ୍ଧ,ନିଃଶ୍ଚଳ
ଆପଣା ଆପଣା ସ୍ବାଦରେ
ଭୁଲି ଯାଇଥିଲା ଅସ୍ତିତ୍ବ,
କବିତା ଲେଖିବାର ଇଛା
ବିବେକ ର ମୂଷା ଗାତରେ ଲୁଚି ଯାଇଥିଲା,
ଏବେ ତ ସବୁ ଅସ୍ପଷ୍ଟ
ସବୁ ଇଛାରେ ଲାଗି ଯାଇଛି ଶିଉଳି,
ଏଇ ଜୀବନ ଟିକକ
କେତେ ବାଟ ଆଉ ଗଡିବ?

ହଜି ଯାଇଛି ସବୁ ସ୍ବପ୍ନ
କାଟି ଦେଇଛି ଆତ୍ମାର ଡେଣା,
ଏବେ ପରିଣତ ବୟସ...
ଆଜି କିନ୍ତୁ ସେ ଅଲୋଡ଼ା, ଅଧଢ଼
ସତରେ ତା ସହ ଖେଳୁଛନ୍ତି ଲୁଚକାଳି
ଏଇ... ଆସୁଛୁ...
ତାପରେ ସବୁ ନିଃଶବ୍ଦ,
ପରସ୍ତ ପରସ୍ତ ସାଇତା
ଦୁଃଖ, କ୍ଷୁଧା, ତୃଷ୍ଣା,ଆଶା
ମୁଖାପିନ୍ଧି ଛପିଛନ୍ତି
ନିର୍ଜନ କୋଠରୀ ରେ,
ଭାସି ଯାଇଥିବା ସ୍ବପ୍ନ 
ଋଦ୍ଧ ଦୁଆରରେ ଆଜି ତାଲାବନ୍ଦୀ,
ଏବେ କେବଳ ନିରାଟ ସତ୍ୟର ଅପେକ୍ଷାରେ..
ବୃଦ୍ଧାଶ୍ରମରେ ଛେରା ପହଁରା କରୁ କରୁ 
କେତେବେଳେ ପଶି ଆସିବ ଅତି ସନ୍ତର୍ପଣରେ...
କେବଳ ଏକ ଶୂନ୍ୟତା ର ବାହାନାରେ
ଥିବ ଖାଲି ଶାନ୍ତି,ଶାନ୍ତି ଆଉ ଶାନ୍ତି।


ମିନାକ୍ଷୀ ଦ୍ବିବେଦୀ (ଗୁରୁଗ୍ରାମ)
୭୯୭୮୦୮୨୮୩୪

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...