Skip to main content

ଭଣ୍ଡ ଗଣେଶ ଏକ ଅନନ୍ୟ କଳାକୃତି ..

ଭଣ୍ଡ ଗଣେଶ ଏକ ଅନନ୍ୟ କଳାକୃତି ......

ଗଣେଶ ତ ଗଣେଶ ପୁଣି ଭଣ୍ଡ ଗଣେଶ କିଏ?
ନାମଟା ସତରେ ଶ୍ରୁତି କଟୁ ଲାଗୁଛି।
ତେବେ ଏ ବିରଳ ଭଣ୍ଡ ଗଣେଶ କ'ଣ ଶ୍ରୀଗଣେଶ ଙ୍କ ଅବତାର?
ଅବତାର ତ କହିଲେ ସଠିକ୍ ହବ ନାହିଁ। ବିଭିନ୍ନ ତଥ୍ୟ ଓ ଆଧାର ବିଶ୍ଳେଷଣ କଲା ପରେ ଜଣା ପଡିଲା ଯେ ଭଣ୍ଡ ଗଣେଶ ହେଉଛନ୍ତି ଶ୍ରୀଗଣେଶ ଙ୍କ ଏକ ସ୍ଵରୁପ ମାତ୍ର।
ଆସନ୍ତୁ ଭଣ୍ଡ ଗଣେଶ ଙ୍କ ଉପରେ ସମ୍ୟକ ଆଲୋଚନା କରିବା ।

ଶ୍ରୀମନ୍ଦିର ଭିତରେ ୪୫ଟି ଗଣେଶ ମନ୍ଦିର ଅଛି।
ସେମାନଙ୍କ ଭିତରୁ ଭିତର ବେଢାରେ ୨୩ ଟି ଓ ବାହାର ବେଢାରେ ୨୨ ଟି ରହିଛି। ଏହି ଗଣେଶ ଙ୍କ ନାମ ପଛରେ ରୋଚକ କାହାଣୀ ଅଛି।ଆମେ ଜାଣିଛେ ଶ୍ରୀ ମନ୍ଦିରରେ ଗଣପତି ଉପାସନା ପ୍ରାଚୀନ କାଳରୁ ରହି ଆସିଛି। କୁହାଯାଏ ମନ୍ଦିର ନିର୍ମାଣ ସମୟରୁ ହିଁ ବଟ ବୃକ୍ଷ ମୂଳରେ ଶ୍ରୀ ଗଣେଶଙ୍କୁ ସ୍ଥାପନା କରାଯାଇଛି। ଯାହାଙ୍କୁ ଶ୍ରୀମନ୍ଦିର ବେଢା ପରିକ୍ରମା ଅଥବା ଜଗନ୍ନାଥ ଦର୍ଶନ ସମୟରେ ପ୍ରଥମ ଦର୍ଶନ କରିବାର ବିଧି ଅଦ୍ୟାବଧି ରହିଛି। ସେ ହେଉଛନ୍ତି ଶ୍ରୀ ମନ୍ଦିରରେ ପୂଜା ପାଉଥିବା ସର୍ବପ୍ରାଚୀନ ଗଣେଶ । ନାଁ ହେଉଛି ବଟ ଗଣେଶ। 

ଏହାଙ୍କ ବ୍ୟତିତ ଆଉ ଗୋଟିଏ ଗଣେଣ ପ୍ରତିମା ରହିଛନ୍ତି। ଯାହାଙ୍କ ଦର୍ଶନ ବଡ ଦେଉଳରେ ଅତିବ ପବିତ୍ର ମନେ କରାଯାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପଛପଟେ ଥିବା ଏକ ମାରଦା(ବାଡ଼ିଆ ଆଟୁ) ଶୈଳୀର ମନ୍ଦିରରେ କଳା ମୁଗୁନି ପଥରରେ ନିର୍ମିତ ଏହି ଗଣେଶଙ୍କୁ ଭଣ୍ଡ ଗଣେଶ ବା କାଞ୍ଚି ଗଣେଶ କୁହାଯାଏ। 

ଏହି ଗଣେଶ ବିଗ୍ରହ କାଞ୍ଚି ଶିଳ୍ପକଳାର ଏକ ନିଦର୍ଶନ।

ପୂଜା ପାଉଥିବା ଅନ୍ୟ ପ୍ରସ୍ତର ବିଗ୍ରହମାନଙ୍କ ମଧ୍ୟରୁ ସର୍ବବୃହତ୍‌। ଦକ୍ଷିଣ ଭାରତୀୟ ଶୈଳୀରେ ଏହି ମୂର୍ତ୍ତି ନିର୍ମାଣ ହୋଇଛନ୍ତି। ସାଧାରଣ ଭାବେ ଯେଉଁଭଳି ଗଣେଶଙ୍କ ମୂର୍ତ୍ତି କଳ୍ପନା କରାଯାଏ ଏ ମୂର୍ତ୍ତି ସେପରି ନୁହନ୍ତି।

ଭଣ୍ଡ ଗଣେଶ କଳା ମୁଗୁନି ପଥରରେ ତିଆରି। ସେ ସିଂହାସନ ଉପରେ ଅର୍ଦ୍ଧପର୍ଯ୍ୟଙ୍କାସନରେ ବିରାଜମାନ କରିଛନ୍ତି । ଅର୍ଥାତ୍ ସେ ଡାହାଣ ପାଦ ଭାଙ୍ଗିଛନ୍ତି ଓ ବାମ ପାଦ ଲମ୍ବାଇଛନ୍ତି । ତାଙ୍କ ମସ୍ତକରେ ମୁକୁଟ ରହିଛି ଓ ସେ ସର୍ପକୁ ଉପବିତ ବା ପଇତା ଭାବେ ଧାରଣ କରିଛନ୍ତି । ତାଙ୍କର ଚାରିଟି ହାତ ଅଛି । ସେ ଉପର ଡାହାଣ ହାତରେ ଏକ ଭଗ୍ନ‌ଦନ୍ତ, ତଳ ଡାହାଣ ହାତରେ ଜପମାଳା ବା ଅକ୍ଷମାଳା ଓ ଉପର ବାମହାତରେ ପରଶୁ ଧାରଣ କରିଥିବାରୁ ଏହି ବିଗ୍ରହ ହେଉଛନ୍ତି ଶୃଙ୍ଗାର ବିଗ୍ରହ। ।

କେତେକ ଲେଖକ ଭଣ୍ଡ ଗଣେଶଙ୍କ ସ୍ୱରୂପକୁ ଭିନ୍ନ ଭାବରେ ବର୍ଣ୍ଣନା କରିଥାନ୍ତି । 

ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ, ଭଣ୍ଡ ଗଣେଶଙ୍କ ହାତରେ ପଦ୍ମ, ଡାଳିମ୍ବ, ବୀଣା, କିଛି ଧାନ ଓ ଅକ୍ଷମାଳ ଶୋଭା ପାଏ ।

ଏହି ଗଣେଶଙ୍କ ବାମ ଜଙ୍ଘରେ ସିଦ୍ଧିଦେବୀ(ଗବେଷକଙ୍କ ମତରେ ଗଣେଶଙ୍କ ପତ୍ନୀ) ବସିଛନ୍ତି। କାରଣ ଏହି ଗଣେଶଙ୍କ ଶୁଣ୍ଢ ସିଦ୍ଦି ଦେବୀଙ୍କ ଯୋନିକୁ ସ୍ପର୍ଶ କରି ରହିଥିବା ବେଳେ ଗୋଟିଏ ହାତରେ ନିଜ ଲିଙ୍ଗକୁ ଗଣେଶ ମର୍ଦ୍ଦନ କରୁଥିବା ମୁଦ୍ରାରେ ରହିଛି। ଯେଉଁଥି ପାଇଁ ଏହାଙ୍କୁ କାମଦ ଗଣେଶ ଏବଂ ତନ୍ତ୍ର ଓ ଶକ୍ତି ଗଣେଶ ମଧ୍ୟ କୁହାଯାଏ। ଜନଶ୍ରୁତି କୁହେ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ଉଛିଷ୍ଟ କରି ପକାଉଥିବାରୁ ଏହାଙ୍କର ଅନ୍ୟ ନାମ ଉଛିଷ୍ଟ ଗଣପତି।
ଏହାଙ୍କର ଶୁଣ୍ଢ ବାମକୁ ମୋଡ଼ି ହୋଇ ରହିଥିବାରୁ ଏହାଙ୍କୁ ଇଦାମ‌ପୁରୀ ବା ବାମାବର୍ତ୍ତ ଗଣେଶ କୁହାଯାଏ ।

ଏହି ଦେବୀମୂର୍ତ୍ତୀ କିଏ, ଏ ନେଇ ଅନେକ ମତ ରହିଛି । କେତେକ ଏହାଙ୍କୁ ଗଣେଶଙ୍କର ଶକ୍ତି ସିଦ୍ଧିଦେବୀ କ‌ହୁଥିବା ବେଳେ ଅନ୍ୟ କେତେକ ଏହାଙ୍କୁ ବିଘ୍ନେଶ୍ୱରୀ ପ୍ରତ୍ୟାଙ୍ଗନା କ‌ହିଥାନ୍ତି । କେତେକ ମଧ୍ୟ ଏହାଙ୍କୁ କାମଦା ମଧ୍ୟ କ‌ହିଥାନ୍ତି । ଶ୍ରୀଗଣେଶଙ୍କର ପଚାଶଟି ଶକ୍ତି ମଧ୍ୟରେ କାମଦା ଙ୍କ ନାମ ଅଛି।

ଅନ୍ୟ କିଛି ଗବେଷକ ଭିନ୍ନ ମତ ଦିଅନ୍ତି। ସେମାନଙ୍କ ମତରେ ଗଣେଶଙ୍କ କୋଳରେ ରହିଥିବା ଦେବୀ ଯେ, ସିଦ୍ଧିଦେବୀ ସେ ନେଇ କୌଣସି ପ୍ରମାଣ ନାହିଁ। କେବଳ ଲୋକକଥାକୁ ଆଧାର କରି କୁହାଯାଇପାରେ ଯେ, ଯେହେତୁ ଏ ହେଉଛନ୍ତି ଶୃଙ୍ଗାର ଗଣେଶ, ଏଣୁ ଏହାଙ୍କର ଏହି ମୁଦ୍ରା ପାଇଁ କାଞ୍ଚି ରାଜା ପରାସ୍ତ ହେଉ ନ ଥିଲେ।

ଯେତେ ସୈନ୍ୟ ପ୍ରାଣ ହରାଉଥିଲେ ସେତେ ସୈନ୍ୟ ପୁଣି ଜନ୍ମ ହେଉଥିଲେ। ଯେଉଁଥିପାଇଁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ଏହି ଗଣେଶଙ୍କୁ ଉତ୍କଳ ଅଣାଯିବା ପରେ କାଞ୍ଚି ରାଜାଙ୍କ ସୈନ୍ୟବଳ ହ୍ରାସ ପାଇଥିଲା ଓ ଉତ୍କଳର ପାଇକ ସେନା ବିଜୟୀ ହୋଇଥିଲା।

ଆମର ଇତିହାସ ପୃଷ୍ଠା ଦୋହରାଇଲେ ଆମେ ଜାଣିପାରୁ ଯେ ଓଡ଼ିଶା ଇତିହାସର ସବୁଠାରୁ ପ୍ରଭାବଶାଳୀ ରାଜା ଥିଲେ ଗଜପତି ପୁରୁଷୋତ୍ତମ ଦେବ। ତାଙ୍କ ସମୟରେ ଓଡ଼ିଶାର ଭୁଖଣ୍ଡ କୃଷ୍ଣା ନଦୀ ପର୍ଯ୍ୟନ୍ତ ପରିବ୍ୟପ୍ତ ଥିଲା। ଦକ୍ଷିଣ ଭାରତର କିଛି ଅଂଶ ଗଜପତିଙ୍କ ଅଧୀନରେ ନ ଥିଲେ ମଧ୍ୟ ସେହି ରାଜବଂଶଗୁଡିକ ସହ ପୁରୁଷୋତ୍ତମଙ୍କ ଭଲ ସମ୍ପର୍କ ଥିଲା। ଉତ୍କଳର ଅଧିପତିମାନଙ୍କ ଭଳି ଗଜପତି ପୁରୁଷୋତ୍ତମଙ୍କ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ରହିଥିଲା ଅଟଳ ଭକ୍ତି।

ରଥଯାତ୍ରା ସମୟରେ ଆମର ପାରମ୍ପରିକ ଛେରା ପହଁରା ପଦ୍ଧତିକୁ 
ପୁରୁଷୋତ୍ତମ ଅନୁସରଣ କରି ସେବା କରୁଥିଲେ। ହେଲେ ଏହାକୁ ସାଧାରଣ ଝାଡୁଦାରର କର୍ମ ଭାବି କାଞ୍ଚିର ରାଜାସାଲ୍ବ ନରସିଂହ ଗଜପତିଙ୍କୁ ହେୟ ମଣିଥିଲେ।
ପରବର୍ତ୍ତୀ ସମୟରେ ଏହି କାରଣରୁ ନେଇ ଉତ୍କଳ ଓ କାଞ୍ଚି ମଧ୍ୟରେ ବିବାଦ ହୋଇଥିଲା। ଯାହା ସମୟ କ୍ରମେ ଯୁଦ୍ଧରେ ରୁପାନ୍ତରିତ ହୋଇଥିଲା। ଉତ୍କଳର ଦୁର୍ଦ୍ଧର୍ଷ ପାଇକ ସେନା କାଞ୍ଚି ରାଜାଙ୍କୁ ପରାସ୍ତ କରିବା ପରେ ରାଜଜେମା ରୁପାମ୍ବିକା ପଦ୍ମାବତୀଙ୍କୁ ଉତ୍କଳ ନେଇ ଆସିଥିଲେ।

ତାଙ୍କ ସହ କାଞ୍ଚିଗଡ଼ରେ ପୂଜିତ ମା’ ତାରିଣୀ(ଯେ ଏବେ କେନ୍ଦୁଝର ଜିଲା ଘଟଗଁରେ ଉପାସିତ), ସାକ୍ଷୀ ଗୋପୀନାଥ( ପ୍ରଥମେ ଖୋର୍ଦ୍ଧା ରଥୀପୁରଗଡ଼ ଶ୍ରୀନହର, ପରେ ଗଡ଼ କନ୍ତଳବାଇ ଓ ଏବେ ସାକ୍ଷୀଗୋପାଳରେ ଅବସ୍ଥାପିତ) ଏବଂ କାଞ୍ଚି ଗଣେଶଙ୍କୁ ସାଥିରେ ଆଣିଥିଲେ। ଏହି ୩ ଦେବ ବିଗ୍ରହଙ୍କ ମଧ୍ୟରୁ ସବୁଠାରୁ ରସସ୍ୟମୟ ଥିଲେ କାଞ୍ଚି ଗଣପତି। ଲୋକକଥା କୁହେ କାଞ୍ଚି ରାଜାଙ୍କୁ ଭଣ୍ଡାଇ ଦେଇ ଉତ୍କଳ ଚାଲି ଆସିଥିବାରୁ ଏହାଙ୍କ ଅନ୍ୟନାମ ହେଉଛି ଭଣ୍ଡ ଗଣପତି। କଥାରେ ଅଛି ଯାହା ପୁଅ ସନ୍ୟାସୀ ହୋଇଯାଏ ତା ପରିବାର କାଞ୍ଚି ଗଣେଶଙ୍କ ଶରଣାପନ୍ନ ହେଲେ ସନ୍ୟାସୀ ପୁଅ ଘର ମୁହାଁ ହୋଇଥାଏ।

ପୂଜା ପଦ୍ଧତି ବି ତାଙ୍କର ଅନନ୍ୟ 
ଭଣ୍ଡ ଗଣେଶ ଜଣେ ତାନ୍ତ୍ରିକ ଦେବତା ଏବଂ ଏହାଙ୍କ ବିଗ୍ରହ ବାମାବର୍ତ୍ତ । ବାମାଚାର ତନ୍ତ୍ର ପଦ୍ଧତିରେ ଯେଉଁ ଗଣେଶ ବିଗ୍ରହଙ୍କୁ ଉପାସନା କରାଯାଏ ସେ ବିଗ୍ରହ ସାଧାରଣତଃ ବାମାବର୍ତ୍ତ ହୋଇଥାନ୍ତି ।ତେଣୁ ଭଣ୍ଡ ଗଣେଶଙ୍କୁ ମଧ୍ୟ ଏହି ଉପାୟରେ ପୂଜା କରାଯାଇଥାଏ । ତାନ୍ତ୍ରିକ ପୂଜାରେ ଏହି ଗଣେଶ ତାଙ୍କ ଶକ୍ତିଙ୍କ ସ‌ହ ପୂଜିତ ହୁଅନ୍ତି।


ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...