Skip to main content

ଅମ୍ଳାନ ପ୍ରତିଭାର ଅଧିକାରିଣୀ,ବିଂଶ ଶତାବ୍ଦୀର ଯୁଗ ପ୍ରବର୍ତ୍ତିକା, ସୁଲେଖିକା: ସରଳା ଦେବୀ

*ଅମ୍ଳାନ ପ୍ରତିଭାର ଅଧିକାରିଣୀ,*
*ବିଂଶ ଶତାବ୍ଦୀର ଯୁଗ ପ୍ରବର୍ତ୍ତିକା, ସୁଲେଖିକା: ସରଳା ଦେବୀ*

(୧)
ନାରୀ ଜାଗିଲେ 
ପରିବାର ଜାଗିବ,
ପରିବାର ଜାଗିଲେ 
ଦେଶ ଜାଗିବ।
ଏଇ ନାରା ଦେଇଥିଲେ
ପ୍ରଥମ ମହିଳା ନେତ୍ରୀ 
"ସରଳା ଦେବୀ"




ସରଳା ଦେବୀ (୧୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ )  ଜଣେ ଭାରତୀୟ ସ୍ୱାଧୀନତା, ସାମାଜିକ କାର୍ଯ୍ୟକର୍ତ୍ତ୍ରୀ, ନାରୀବାଦୀ, ସ୍ୱାଧୀନତା ସଂଗ୍ରାମୀ ଓ ଏକ ଲେଖିକା ମଧ୍ୟ ଥିଲେ।
ବିଂଶ ଶତାବ୍ଦୀରରେ ଓଡ଼ିଶାର ସାମାଜିକ,ସାଂସ୍କୃତିକ,ରାଜନୈତିକ ପ୍ରକ୍ଷାପେଟରେ ସରଳା ଦେବୀ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ।

ଆମ ଦେଶ ଅନେକ ବୀର ପୁତ୍ର,ପୁତ୍ରୀଙ୍କ ପବିତ୍ର ରକ୍ତ ବଳିଦାନରେ ସ୍ବାଧୀନତା ଲାଭ କରିଛି ଭାରତ।
ବର୍ଷ ବର୍ଷ ଧରି ଫିରିଙ୍ଗି ଶାସନରୁ  ମୁକ୍ତ ହୋଇ ଭାରତ ୧୯୪୭ ମସିହାରେ ସ୍ୱାଧୀନିତା ହାସଲ କଲା। ସ୍ୱତନ୍ତ୍ରତାର ଏହି ଆନ୍ଦୋଳନରେ ଆମ ସମାଜର ସବୁ ବର୍ଗର ଲୋକ ପୁରୁଷ/ମହିଳା  ସାମିଲ ହୋଇଥିଲେ। ଏମିତି ଅନେକ ମହିଳା ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ। ସେହି କେତେ ଜଣ ମହିୟସୀ ମହିଳା ସ୍ବାଧୀନତା ଆନ୍ଦୋଳନ କାରୀ ,ନାରୀ ଜାଗରଣ,ସାହିତ୍ୟ ସେବା କ୍ଷେତ୍ରରେ ଅନେକ ଦିଗଦର୍ଶକ ଭିତରୁ
ସରଳା ଦେବୀ ହେଉଛନ୍ତି ଏକ ଜ୍ୱଳନ୍ତ ଉଦାହରଣ।
ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ ନାରୀ ମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଦେଖା ଦେଇଥିଲା । ଫଳରେ ନାରୀ ଶିକ୍ଷାର ପ୍ରସାର ଓ ପ୍ରଚାର ଘଟିଥିଲା । ସେହି ସମୟରେ ଏହାର ପ୍ରଭାବ ଓଡ଼ିଶାର ନାରୀ ମାନଙ୍କ ଉପରେ ମଧ୍ୟ ପଡ଼ିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରମାଦେବୀ, ମାଳତୀ ଚୌଧୁରୀ , ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ବହୁ ଓଡ଼ିଆ ନାରୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସରଳା ଦେବୀ ଅଗ୍ରଗଣ୍ୟ ଥିଲେ । 

(୨)
ସରଲା ଦେବୀ ୧୯ ଅଗଷ୍ଟ୧୯୦୪ ରେ ବାଲିକୁଦା ଥାନା ଅନ୍ତର୍ଗତ  ନରିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ଯାହା ସେତେବେଳେ ବେଙ୍ଗାଲୁରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ବିଭାଗ (ବର୍ତ୍ତମାନ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ) ଏକ ଧନୀ, ଆଭିମୁଖ୍ୟବାଦୀ ଜମିଦାର ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଦେଓ୍ବାନ ବାସୁଦେବ କାନୁନଗୋ ଏବଂ ମାତା ପଦ୍ମାବତୀ ଦେବୀ ଥିଲେ। ରାଜ କିଶୋର ଦାସ ( ସାନ ଯା' ବାପଘର)ଙ୍କ ଘରେ ସରଳା ଦେବୀ  ଭୂମିଷ୍ଠ ହୋଇଥିଲେ।
ପଦ୍ମାବତୀ ତାଙ୍କୁ ସାନଯାଆ ହେମନ୍ତ କୁମାରୀଙ୍କ ହାତକୁ ଟେକିଦେଇ ଥିଲେ। ଫଳରେ ସେହି ଦିନଠାରୁ ସରଳା ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋଙ୍କ ଝିଅ।

ଜନ୍ମ ହେବା ପରେ ସେ ନିଜର ବାଲ୍ୟ ଜୀବନ ସେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ତ୍ୱାବଧାନରେ କାଟିଥିଲେ। ସେତେବେଳେ ସେ ଥିଲେ ଗଡଜାତମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ତାଙ୍କ ସମୟରେ ଓଡ଼ିଶା, ବଙ୍ଗଳା ଓ ବିହାର ଗୋଟିଏ ପ୍ରଦେଶ ଥିଲା। ପିତା ବାଳମୁକୁନ୍ଦ ଡେପୁଟି ମାଜିଷ୍ଟ୍ରେଟ ଚାକିରୀ କରିଥିବାରୁ ଏହି ତିନୋଟି ଯାକ ପ୍ରଦେଶ ତାଙ୍କର କର୍ମସ୍ଥଳ ଥିଲା।ଫଳରେ ମାତା ହେମନ୍ତ କୁମାରୀ ଏହି ତିନୋଟି ପ୍ରଦେଶରେ ରହିବାର ସୁଯୋଗ ପାଇଥିଲେ ଓ ତାଙ୍କର ଦୃଷ୍ଟିଭଙ୍ଗୀ ଉନ୍ନତ ହୋଇପାରିଥିଲା । ସେଥିପାଇଁ ସେ ସରଳାଙ୍କୁ ମାର୍ଜିତ ଓ ଶିକ୍ଷିତ କରିବା ପାଇଁ ସବୁ ଚେଷ୍ଟା କରୁଥିଲେ ।  ସେହି ସମୟରେ ମହିଳାମାନଙ୍କର ଉଚ୍ଚଶିକ୍ଷା ପାଇଁ କ କୌଣସି ସୁବିଧା ନଥିଲା, ତେଣୁ ତାଙ୍କ ମାମୁଁ ଜଣେ ଘରୋଇ ଶିକ୍ଷକଙ୍କ ସେବାରେ ନିୟୋଜିତ କରିଥିଲେ।  ସାରଳା ତାଙ୍କ ଶିକ୍ଷକଙ୍କଠାରୁ ବଙ୍ଗାଳୀ, ସଂସ୍କୃତ, ଓଡିଆ ଏବଂ ମୌଳିକ ଇଂରାଜୀ ଶିଖିଥିଲେ।  ସେ 13 ବର୍ଷ ବୟସ ପର୍ଯ୍ୟନ୍ତ ମାମୁଁଙ୍କ ସହ ରହୁଥିଲେ। ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରୀ ହୋଇଥିବାରୁ "ଧ କହିଲେ କାମୁଡି ପକାଇବା" ନୀତିରେ ସ୍ୱଚେଷ୍ଟାରେ ପାଠରେ ବହୁତ୍ ଆଗକୁ ମାଡିଚାଲିଲେ । ସରଳା ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ ।

(୩)

ସରଳା ଦେବୀ ପିଲାଟି ବେଳୁ ଶାନ୍ତ,ସରଳ,ଦୃଢମନା ଓ ସ୍ପଷ୍ଟବାଦିନୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁନଥିଲେ। ସେ ସମୟର ରୀତି ନୀତି ତାଙ୍କୁ ଭଲ ଲାଗୁନଥିଲା । ନାରୀ ମାନଙ୍କର ଅସହାୟ ଅବସ୍ଥାକୁ ସେ ଖୁବ୍ କମ୍ ବୟସରୁ ବୁଝିପାରିଥିଲେ । ପୁରୁଷମାନେ ସବୁ ପ୍ରକାର ସୁବିଧା ସୁଯୋଗ ଭୋଗ କରୁଥିବା ବେଳେ,ନାରୀମାନଙ୍କୁ କରାଯାଉଥିବା ଉପେକ୍ଷା ଓ ଅବହେଳା ତାଙ୍କୁ ଖୁବ୍ ବାଧୁଥିଲା ।
ସେ ପିଲାବେଳୁ ସମାଜରେ ପ୍ରଚଳିତ କୁ ପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ।
ସେ ସମୟରେ ସେ ଦିଅଁ ଦେବତା,ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ । କିନ୍ତୁ ଥରେ କେଉଁ ଏକ ପୁରାଣରେ "ନାରୀ ନର୍କର ଦ୍ୱାର" ବୋଲି ଲେଖାଥିବା ଜାଣିବା ପରେ ସେହି ସମୟରୁ ସେ ଏହାକୁ ଘୃଣା କରୁଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବତ୍କୃତା ତାଙ୍କୁ ବେଶି ପ୍ରଭାବିତ କରିଥିଲା । ସେବେଠାରୁ ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ସମାଜରୁ କୁସଂସ୍କାର ଦୂର ନକଲେ ଦେଶର ଉନ୍ନତି ସମ୍ଭବ ନୁହେଁ,ସେ ଏହା ବୁଝିପାରିଥିଲେ । ରବୀନ୍ଦ୍ରନାଥଙ୍କ ଅମୀୟ ବାଣୀ "ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା" ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା ।
ବିଧାନ ସଭାରେ 'ବାଲ୍ୟ ବିବାହ ଆଇନର ସଂଶୋଧନ' ଓ 'ପୋଇଲି ପ୍ରଥା' ର ଉଚ୍ଛେଦ ପାଇଁ ଆଇନ ପ୍ରଣୟନ କରିବାକୁ ସରଳା ଦେବୀ ବିଲ୍ ଆଗତ କରିଥିଲେ। ଏହି ବିଲ୍ ଦ୍ବୟ ବିଧାନ ସଭାରେ ଗୃହୀତ ହୋଇଥିଲା। ସେ ସମାଜରେ ବହୁବିଧ କୁପ୍ରଥା ବିରୋଧରେ ମଧ୍ୟ ବିଧାନ ସଭାରେ ସ୍ବର ଉତ୍ତୋଳନ କରିଥିଲେ।
(୪)
ବାଙ୍କିରେ ଥିବାବେଳେ ସରଳା ଦେବୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା ପାଇଁ ବାଙ୍କି ରାଣୀ ସୁକା ଦେବୀଙ୍କ କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ।  ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଅଳଙ୍କାର ସଂଗ୍ରହ ଏବଂ ରିଅଲ ଇଷ୍ଟେଟର ବିସ୍ତୃତ ଟ୍ରାକ୍ଟର ଏକ ବଡ଼ ଅଂଶ ଦାନ କରିଥିଲେ। 
ଜଗତସିଂହପୁର ଅନ୍ତର୍ଗତ ଚାଟରା ଗ୍ରାମର ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହୋଇଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ । ମଣିକାଞ୍ଚନ ପରି ଏ ଦୁହିଁଙ୍କର ସଂଯୋଗ ଘଟିଥିଲା । ସେ ସମୟରେ ସେ ପତ୍ନୀ ସରଳାଙ୍କ ପାଇଁ ବାଧକ ନହୋଇ ସାଧକ ହୋଇଥିଲେ । ଏକ ପକ୍ଷରେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ମହାନତା ପୂର୍ଣ୍ଣ ସହଯୋଗ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିଲା। ମାତ୍ର ୧୫ ବର୍ଷ ବୟସରେ ସେ କୁଳବଧୂର ପରଦା ଆଡେଇ ଦେଇ ପଦାକୁ ବାହାରି ଆସିଥିଲେ।
ଶେଷରେ 1918 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପରେ ସରଳା ଦେବୀ ନିଜେ 1921 ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ।  ସେ ଓଡିଶା ବିଧାନସଭାର ପ୍ରଥମ ମହିଳା ସଦସ୍ୟ ତଥା ଏପରିକି ସେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ସେ କିଛି ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ । ବ୍ରିଟିଶ୍ ଅମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ, ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା ।

ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଦୁର୍ଗାବାଇ ଦେଶମୁଖ, ଆଚାର୍ଯ୍ୟ କ୍ରିପାଲାନି, କମଲାଦେବୀ ଚାଟୋପାଧ୍ୟାୟ ଏବଂ ସରୋଜିନୀ ନାଇଡୁଙ୍କ ସହ ଅତି ନିକଟତର ହୋଇଥିଲେ।  ସେ 1943 ରୁ 1946 ପର୍ଯ୍ୟନ୍ତ କଟକ ଠାରେ ଉତ୍କଳ ସାହିତ୍ୟ ସମାଜର ସଚିବ ଥିଲେ।

 ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ସେଥିରେ ସେ ଯୋଗଦେଇଥିଲେ । ଏତେ ବଡ଼ ଶୋଭାଯାତ୍ରା ସହର ପରିକ୍ରମା କଲାବେଳେ ସେଥିରେ ଏକମାତ୍ର ମହିଳାଙ୍କୁ ଦେଖି ରକ୍ଷଣଶୀଳ ଲୋକଙ୍କର ଆଖି ଖୋସି ହୋଇଯାଇଥିଲା । ଏଥିରେ ମଧ୍ୟ ତାଙ୍କ ସ୍ୱାମୀ ଓ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।

ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦ୍ ବୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ।ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ ।

ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ ।ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରମାଦେବୀ, ମାଳତୀ ଚୌଧୁରୀ, ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ବହୁ ଓଡ଼ିଆ ନାରୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସରଳା ଦେବୀ ଅଗ୍ରଗଣ୍ୟ ଥିଲେ ।
ସରଳା ଦେବୀ "ଉତ୍କଳ ମହିଳା ସମ୍ମିଳନୀ" ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ," ନିଖିଳ ଭାରତୀୟ ମହିଳା ସଂଘ"ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା ।ଏହାର ସଫଳତା ତାଙ୍କୁ ଅଧିକ ଗଠନମୂଳକ କାମ କରିବା ପାଇଁ ବିଶେଷ ଉତ୍ସାହିତ କରିଥିଲା ।ସେ ଓଡ଼ିଶାର ନାରୀ ଓ ସେମାନଙ୍କ ସମସ୍ୟା ବିଷୟରେ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରବନ୍ଧମାନ ଲେଖି ପ୍ରକାଶ କରିଥିଲେ । ଯେହେତୁ ଏସବୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଆଲୋଚନା ହେଉଥିଲା, ତେଣୁ ତାଙ୍କର ଜାଗରଣର ବାର୍ତ୍ତା ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗିପଡିଥିଲେ ।ସେ ବୁଝିପାରିଥିଲେ ଯେ ନାରୀର ଉନ୍ନତିରେ ହିଁ ଦେଶର ଉନ୍ନତି ନିହିତ ।

କିନ୍ତୁ ଏହି ସମୟରେ ଭାରତର ରାଜନୈତିକ ଆନ୍ଦୋଳନ ଭିନ୍ନ ମୋଡ ନେଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକରା ଦେଲେ ।
ପ୍ରଥମ ଓଡ଼ିଆ ମହିଳା ଭାବେ ସେ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗନେଇଥିଲେ । ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ "ଉଦ୍ଯୋଗ ମନ୍ଦିର" ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗି ପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଭାଗନେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଳବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ସ୍ୱାଧୀନତା ଆନ୍ଦଳୋନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଜେଲଦଣ୍ଡ ଭୋଗ କରିଥିଲେ।


୧୯୩୦ ମସିହା ଲବଣ ସତ୍ୟାଗ୍ରହ,ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ ।

(୫)
ଚାଷୀ ଆନ୍ଦୋଳନରେ ଭୂମିକା
ସମ୍ପାଦନ କରନ୍ତୁ
ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇରେଜମାନଙ୍କର ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ "ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ" ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ,ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ୍ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।
(୬)
୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦ୍ଦେଶକ ଥିଲେ ।ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।
ସରଳା ଦେବୀ ଅଳ୍ପବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ ‘ପରିଚାରିକା’ ନାମକ ଗୋଟିଏ ମାସିକ ପତ୍ରିକା ୧୩୨୫ରୁ ୧୩୨୭ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା ।  ଏଥିରେ ସରଳା ଦେବୀଙ୍କର ବହୁ ରଚନା ଦେଖିବାକୁ ମିଳେ । ସେଗୁଡ଼ିକ ଭିତରୁ ‘ଧୈର୍ଯ୍ୟଶାଳୀ ସାମ୍ରାଜ୍ଞୀ – ଶୈବ୍ୟା’ , ‘କଳ୍ପିତ ମୃତ୍ୟୁ’ ଓ ‘ପ୍ରତୀକ୍ଷା’ ଅନ୍ୟତମ । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା ପତ୍ରିକା ‘ଅଳକା’ଠାରୁ ଆରମ୍ଭ କରି ‘ସହକାର’, ’ନବ ଭାରତ’ ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ରପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟ ଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର-ପ୍ରସାର କରିଥିଲେ । ‘ହିନ୍ଦୁସ୍ତାନ ଗ୍ରନ୍ଥମାଳା’ ନାମକ ସଂସ୍ଥା ସ୍ଥାପନ କରି ସେ ତା'ର ସମ୍ପାଦିକା ରହିଥିଲେ । ସେ ‘ସବିତା’ ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ ‘ଭାରତୀୟ ମହିଳା ପ୍ରସଙ୍ଗ’ ଓ ‘ନାରୀ ଜଗତ’ ନାମକ ତାଙ୍କର ଦୁଇଟି ପ୍ରବନ୍ଧ ପୁସ୍ତକ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା । ଏଥିରେ ବିଭିନ୍ନ ଦେଶରେ ଦେଖାଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା । ୧୯୫୮ ମସିହାରେ ‘ବିଶ୍ୱ ବିପ୍ଲବିନୀ’ ନାମକ ତାଙ୍କର ଏକ ପୁସ୍ତକ ‘କଟକ ପବ୍ଲିସିଂ ହାଉସ୍’ ପ୍ରକାଶ କରିଥିଲା । ଏହାବ୍ୟତୀତ ‘ରାୟ ରାମାନନ୍ଦ’ ,’ସାରଳା ମହାଭାରତରେ ନାରୀ ଚରିତ୍ର’, ‘ବାସନ୍ତୀ’ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅବଦାନ।


ସାରଲା 30 ପୁସ୍ତକ ଏବଂ 300 ପ୍ରବନ୍ଧ ଲେଖିଥିଲେ।
ତାଙ୍କର ରଚନାବଳୀ ହେଲା
ଉତ୍କଳର ନାରୀ ସମସ୍ୟା, ୧୯୩୪
ନାରୀର ଦାବି, ୧୯୩୪
ଭାରତୀୟ ମହିଳା ପ୍ରସଙ୍ଗ, ୧୯୩୫
ରବିନ୍ଦ୍ର ପୂଜା,
ବୀର ରମଣୀ, ୧୯୪୯
ବିଶ୍ୱ ବିପ୍ଳବିଣୀ, ୧୯୩୦
ବାସନ୍ତୀ
ରାୟ ରାମାନନ୍ଦ
ଗାଁ କଥା ଏମିତି ଆହୁରି ଅନେକ।
(୭)
ଓଡ଼ିଶାର ନାରୀମୁକ୍ତି ଆନ୍ଦୋଳନର ଇତିହାସ ତାଙ୍କ ବିନା ଲେଖିବା ଅସମ୍ଭବ ବୋଲି କୁହାଯିବ ।୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଯାଇଛି ।


ମିନାକ୍ଷୀ ଦ୍ବିବେଦୀ
7978082834

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...