ସ୍ବପ୍ନିଳ ସହର ଭୁବନେଶ୍ବର
ଛଳଛଳ କଳକଳ ମନୋଇ
ସପନ ସୁନ୍ଦରୀ ରାଜଧାନୀ
ଭୁବନେଶ୍ବର ୭୫ ବୟସ୍କା
ଧାଁ ଗିଡି ଗିଡି,ଧାଁ ଗିଡି ଗିଡି
ଜୀବନ ପଶା ପାଲିରେ
ହାର୍ ,ଜିତ୍,ହସ,ଲୁହର
ପଣତ ଲମ୍ବେଇ ଦେଇଛି
ଖଣ୍ଡଗିରି ରୁ ଚନ୍ଦକା ଯାଏଁ..
ରାତ୍ରପରି ଦୀର୍ଘ ତା କବରୀରେ
ବୋଝେ କ୍ଳାନ୍ତି,ବୋଝେ ଅସହ୍ୟ ପଣକୁ
ଛାତିରେ ଜାକି
ଭ୍ରମର ର ଶେଷ ଦଂଶନ କୁ
ସହି ନେଇଛି,
ବନ୍ୟା,ବାତ୍ୟା ର ଅସରା ଆଲିଙ୍ଗନରୁ
ଛଦ୍ମବେଶୀ ଆଲୁଅର
ତୀବ୍ର ଦଂଶନ ରୁ
ଚେତନା ତା ଟଳମଳ ,
କିଛି ବିଷର୍ଣ୍ଣ,ବିବର୍ଣ୍ଣ ସ୍ବପ୍ନ ରେ
କେତେ ସରକାରୀ, ବେସରକାରୀ
ଶଦ୍ଦ ର ଦାମ୍ ରେ
ଚାଲାଣ ତା ଭାଗ୍ୟ,
କେତେ ବା ହିସାବ ରଖିବ?
ବ୍ୟସ୍ତତା ର ମହାନାଟକରେ
ଆଶାର ମଶାଲ ଧରି
କେତେ ଭିକ୍ଷୁକ,ଶ୍ରମିକ
ଗୋଡ଼ କାଢିଛନ୍ତି,
ବିନା ପାଉଣାରେ ଯେ କେହି ନୁହେଁ କାହାର
ଏଠି ଫୁଲ ଫୁଟେ,
ଫୁଲ ଝରେ,ଫୁଲ ମହକେ
ପତ୍ର କଅଁଳେ,
ପ୍ରାତଃ ଘଣ୍ଟ ,ଶଙ୍ଖ ଧ୍ୱନି
ଶିଳା ଶିଳ୍ପୀ ର ପଟୁଆର
ଚମ୍ପା,ବଉଳ ମହକ
ଲାଜେଇ ଫୁଲେଇ କୃଷ୍ଣଚୁଡାର ଭାବ ଦିଆ ନିଆ,
ଗୋଲାପୀ ପାଖୁଡାର ପ୍ରେମର ଫସଲ
ଝଲମଲ ଚାଦରରେ
ଘୋଡେ଼ଇ ହେଇ
ବୁଲୁଥାଏ ଅଦୃଶ୍ୟ ସୀମାରେ,
ହସ ଏଠି ମିଛ
ଲୁହ କିନ୍ତୁ ଅସଲ,
ପିଲା ଦିନୁ ଶୁଣୁଥିବା
ବୁଢ଼ୀ ମାଆ ଗପରେ
ସୁନ୍ଦରୀ ତରୁଣୀ
ଆଜି ପ୍ରେମ ରଙ୍କୁଣୀ ,ପଥହରା ବାୟାଣୀ,
କେତେ କେତେ ମେଣ୍ଢା ପଲ
ପଶି ଆସିଛନ୍ତି ତା କୋଳକୁ,
ପାହୁଣ୍ଡେ ପାହୁଣ୍ଡେ ପାଦେ ପାଦେ
ଜୀବନ ଜୀବିକାର ସଂଜୀବନୀ,
ତାର ଆବେଗ ଅତିଶଯ୍ୟାରେ
ସ୍ୱର୍ଗୀୟ ଆନନ୍ଦ ଥିଲା...
ଆଜି ବି ଆକାଶରେ
ମନ୍ଦା ମନ୍ଦା ତାରା ଓ ଜହ୍ନ ର ହସ,
କିନ୍ତୁ ମନ୍ଦିର ମାଳିନୀ
ମରୁଥିବା ଝିଅଟିର ନିରବ
ଶଦ୍ଦ ରେ କଳଙ୍କିନୀ,
କେତେ ରାଜନେତା,ସପନ ବଣିକଙ୍କ
ପ୍ରତିଶୃତି ରେ ସଜ୍ଜିତା ସୁନ୍ଦରୀ
ନିଃଶ୍ବାସ,ବିଶ୍ବାସରେ ସନ୍ଦିଗ୍ଧ
ତା ବିଳାପିତ ହୃଦୟ
ବସାହୁଡି ଡେଣା ଝାଡି ପକ୍ଷୀ
ଉଡି ଯାଉଛନ୍ତି
ଜୀବନର ତୀକ୍ଷ୍ଣ ଗଡାଣୀରେ,
ଆଖିରୁ ଅଗ୍ନି ଓ ବର୍ଷା
ଏକାଠି ଝରେ
ମନକୁ ହସେ
ମନକୁ କାନ୍ଦେ
ମନକୁ ବୁଝାଏ
ଗୁଣୁ ଗୁଣାଏ
କିଛି ସତ କିଛି ମିଛ
ଫେଣ୍ଟାଫେଣ୍ଟିରେ ବଞ୍ଚିରହେ
ନୁଆ ଶତାଦ୍ଦୀର ନୂତନ ଆଲୋକର ଆଶାରେ
ସମ୍ଭାବ୍ୟ ସକାଳର ଚିଟାଉ ଧରି
ଝାଡି ଝୁଡ଼ି ପୁଣି ଠିଆ ହୁଏ
ମୋ ସହରର ଆତ୍ମା,
ମୋ ସ୍ବପ୍ନିଳ ସହର ସେହି ଭୁବନେଶ୍ୱର।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment