ହସି ହସି ଭାଇ କହୁଛି ଡେଙ୍ଗୁ ମୁଁ
ଶୁଣ ମନ ଦେଇ ଶୁଣ,
କରୁଛି ବର୍ଣ୍ଣନା ମୋ ଜୀବନ ରଚନା
ଯେତେକ ନଖରା ଗୁଣ।
ତୁମ ଚତୁର୍ପାଶ୍ବ ସଫା ନ ରଖିଲେ
ବଂଶଜ ବଢାଏ ମୁହିଁ,
ଯେତେ ନାଳ ନର୍ଦ୍ଦମା,
ସ୍ଥିର ପଚା ଜଳ
ଅଟେ ମୋ ଜନମ ଭୁଇଁ ।
ନରମ ଶରୀରେ ଚୁମି ଚୁମି ତାଙ୍କୁ
ଭରିଦିଏ ତିକ୍ତ ଜହର,
ମୋ ଭୂତାଣୁ ବଳେ ହୋଇ ବଶୀଭୂତ
ପଡିଯାଏ ହା ହା କାର।
ଥଣ୍ଡା,ବାନ୍ତି,ଜ୍ବରେ ହୁଅନ୍ତି ଅସ୍ଥିର
ଶୁଖିଯାଏ ଗଳା,ପାଟି,
ରକ୍ତ ପିପାସୁ ମୁଁ ହୁଏ ଦେଖି ଖୁସି
ଜାଣ ଡେଙ୍ଗୁ ମୋର ନାଁ ଟି।
ଯେତେ ଝୁଣା,ଧୂପ, ଆଧୁନିକ ବାଷ୍ପ
କେହି ନୁହନ୍ତି ମୋ ସରି,
ଅଜଣା ଆତଙ୍କ ଖେଳେ ମୋର ମନେ
ଟାଣନ୍ତି ଯେବେ ମଶାରୀ।
ନାହିଁ ମେଡ଼ିସିନି,ମଡର୍ଣ୍ଣ ଭାକ୍ସିନି
ମୋର ଉପଶମ ପାଇଁ,
ଚିକେନ ଗୁନିଆ, ଡେଙ୍ଗୁ, ମ୍ୟାଲେରିଆ
ନାମ ବହିଅଛି ମୁହିଁ।
ବଞ୍ଚିବାକୁ ଯଦି ରଖିଅଛ ଆସ୍ଥା
ସ୍ବଚ୍ଛ ରଖ ପରିବେଶ,
ଦୂଷିତ ନ କର ନିଜ ଦାଣ୍ଡ ବାଡି
ନହେଲେ ହେବ ମୋ ବଶ।
Comments
Post a Comment