*ନୂଆବୋଉ କୁ ଚିଠି*
ଆଦରଣୀୟା ନୂଆବୋଉ,
ମୋର ପ୍ରଣାମ ନେବ।
ଆଜି ତୁମ କଥା ବହୁତ ମନେ ପଡୁଛି। ମୋର ଯେତେ ସବୁ ଭୁଲ୍ ଆଖି ଆଗ ରେ ଜଳ ଜଳ ହୋଇ ଭାସି ଯାଉଛି। ଆଖିରୁ ଅନବରତ ଅଶ୍ରୁ ବୋହି ଚାଲିଛି।
ମୁଁ ତୁମ ପାଖରେ ପୁରା ଋଣୀ ଆଉ ଅପରାଧୀ ମଧ୍ୟ।
କାଲି ପରି ଲାଗୁଛି ସେହି ଦିନ ସବୁ। ମୁଁ ମାତ୍ର ଛ' ବର୍ଷର।
ତୁମେ ଯେତେବେଳେ ଆମ ଘରେ ପାଦ ଦେଲ । ମୁଁ ବୁଝି ପାରି ନଥିଲି ତୁମେ କିଏ ? ଆମେ ଘରକୁ କାହିଁକି ଆସିଛ ? ଘରେ ସମସ୍ତେ କହିଲେ ଯାହାହେଉ ଝିଅ ଟା ତା ମା' ପାଇଯିବ । ଆଉ ଝୁରି ହବନି। ତା'ର ଆଉ ମାଁ କଥା ମନେ ପଡିବନି । ମୁଁ ଚାରି ବର୍ଷରେ ଥିଲା ବେଳେ ମୋ ବୋଉ ଆକାଶର ତାରା ହୋଇ ଯାଇଥିଲା। ମୁଁ ମୋ ବୋଉ କୁ ବହୁତ ଝୁରି ହଉଥିଲି । ରାତି ରାତି ଶୋଉ ନଥିଲି । କାନ୍ଦି କାନ୍ଦି ଚମକି କି ଉଠି ବସୁ ଥିଲି ।
ଦେହ ସବୁବେଳେ ଖରାପ ରହୁଥିଲା । ଏମିତି ଦୁଇ ବର୍ଷ କଟିଗଲା । ମୋ ଶରୀର ର କିଛି ଉନ୍ନତି ହେଲାନି। ସମସ୍ତେ ବାଧ୍ୟ କଲେ ବାପା ଙ୍କୁ ଦ୍ଵିତୀୟ ବିବାହ କରିବାକୁ । ଆଉ ମୋ ପାଇଁ ଗୋଟେ ବୋଉ ଆଣି ବାକୁ। ତାପରେ ତୁମେ ଆସିଲ । ତୁମକୁ ବୋଉ ଡାକିବାକୁ ସମସ୍ତେ ବାଧ୍ୟ କଲେ । କିନ୍ତୁ ମୁଁ ମୋ ମନରେ ତୁମକୁ ବୋଉ ଦର୍ଜା ଦେଇ ପାରି ନଥିଲି । ବୋଉ କେବେ ବି ଡାକି ପାରିଲିନି । ସମସ୍ତେ ବୁଝିଇଲେ ଇଏ ତୋର ବୋଉ । ମୁଣ୍ଡ କୁଣ୍ଡେଇ ଦବ,ଖୋଇଦେବ, ଗେଲ କରିବ ।
ମୁଁ ରାଗରେ କହେ ମୋ ବୋଉ ସେ ନୁହେଁ। ମୁଁ କେବେ ବି ଡାକିବିନି ବୋଉ ବୋଲି।ମତେ ମୋ ବୋଉ ପାଖକୁ ନେଇଚାଲ।
ଏମିତି କାନ୍ଦି କାନ୍ଦି ଶୋଇ ଯାଏ। ସମସ୍ତେ ବହୁତ ବୁଝାନ୍ତି।
ତଥାପି ଏତେ ଛୋଟ ବୟସରେ କାହା କଥା ମତେ ପସନ୍ଦ ହୋଇ ନଥିଲା ।
ସବୁବେଳେ ମନ ମାରି ବସି ରହୁଥିଲି। କିନ୍ତୁ କେବେ ବି ବୋଉ ଡାକିଲିନି।
ଦିନେ ବାପା ଗେଲରେ ଗେଲରେ ଡାକି କହିଲେ ହଉ ମାମା ସେ ତୋର ବୋଉ ନୁହେଁ । ଖୁସି ତ? ମୁଁ ବହୁତ ଖୁସି ହେଲି ଯାଇଥିଲି। ବାପା କହିଲେ ହଉ.. ତୁ ବୋଉ ଡାକେନା। ଡାକେ
"ନୂଆବୋଉ" ବୋଲି । ମୁଁ ସରଳ ହୁଁ ଟିଏ ମାରି ଦେଲି । ଶେଷରେ ତୁମେ ହେଇଗଲ ମୋ "ନୂଆବୋଉ"। ମୁଁ ଏତିକି ବୁଝି ପାରିଥିଲି ବୋଉ ଆଉ ନୂଆବୋଉ ସମାନ ନୁହେଁ । ତୁମେ ମୋର ବୋଉ କେବେ ନୁହଁ।
ମନରେ ମନରେ ବୋଉକୁ ବହୁତ ଖୋଜୁଥିଲି। ରାତିରେ ଲୁଚି ଲୁଚି ଘର ର ଛାତ ଉପରେ ଯାଇ ଆକାଶ କୁ ଚାହିଁ ରହୁଥିଲି କୋଉ ତାରା ଟା ମୋ ବୋଉ। ତୁମ କୁ କେବେ ବି ପସନ୍ଦ କରୁ ନଥିଲି । ତୁମ ପ୍ରତି ମୋର ଅନେକ ରାଗ ଥିଲା ଆଉ ଘୃଣା ବି। ତଥାପି ତମେ ମତେ କେବେ ହେଳା କରିନ । ମୋର ଭଲ ,ମନ୍ଦ ଗୋଟି ଗୋଟି ବୁଝୁ ଥିଲ। ଏବେ ବୁଝି ପାରୁଛି ମୋ ପାଇଁ ତୁମେ ସନ୍ତାନ ଜନ୍ମ କରି ନଥିଲ। ଆଉ କ'ଣ ଆମର ପିଲା ଦରକାର? ମୋର ତୋ ସୁନା ନାକୀ ସ୍ବାତୀ ଅଛି କହି କୋଳେଇ ନେଉଥିଲ। ମୁଁ ହାତ ଛାଟି ଦୂରକୁ ପଳେଇ ଆସୁଥିଲି । ତୁମକୁ ବହୁତ ରାମ୍ପୁଡିଛି, କାମୁଡିଛି । ଏମିତିକା ଚୁଟି ଟାଣି ଯା ଆମ ଘରୁ ବାହାରି ଯା କହି କାନ୍ଦି କାନ୍ଦି ଗଡ଼ି ଯାଇଛି। ତୁମେ କୋଉ ପଥର ର ପ୍ରତିମା ଥିଲ କେଜାଣି ହସି ହସି ସବୁ ସହି ଯାଇଥିଲ।
ସେହି ଘୃଣା ଆଉ ରାଗ ଧୀରେ ଧୀରେ ମୋ ବୟସ ଅନୁସାରେ ବଢ଼ି ଚାଲିଲା। ମୋ ସାଙ୍ଗ ମାନେ ମୋ କାନରେ କେତେ କେତେ କଥା କହିବାରେ ଲାଗିଲେ । ସେ ତୋର ବୋଉ କି ନୂଆବୋଉ ନୁହଁ। ତୋର ର ସାବତ ମାଁ। ସାବତ ମାଁ କେବେ ଅନ୍ୟ ପିଲାକୁ ଭଲ ପାଆନ୍ତିନି। ସେମାନଙ୍କୁ ଡାହାଣୀ କୁହନ୍ତି। ପିଲା ଖାଇ ଯା'ନ୍ତି। ଯେତେ ଭଲ ପାଇଲେ ବି ଭିତରେ କିଛି ଚାଲାକି କରୁଥିବ । ମନ୍ତ୍ର ତନ୍ତ୍ର କରି ତୋତେ ତୋ ବାପା ଠୁ ଅଲଗା କରିଦେବ । ମୁଁ ବହୁତ ଡରି ଯାଉଥିଲି । ମୋ ସରଳ ମନରେ ତୁମ ପ୍ରତି ଗୋଟେ ପ୍ରଶସ୍ତ ପାଚେରୀ ଗଢି ଉଠିଥିଲା । ଧୀରେ ଧୀରେ ତୁମଠୁ ଆହୁରି ଦୂରେଇବାକୁ ଲାଗିଲି। ମୋ ପାଇଁ ତୁମେ ଚାକିରୀ ଛାଡ଼ିଲ କାଳେ ମୋର ଅବହେଳା ହେବ ବୋଲି । ମୁଁ ପିଲା ବୟସରେ ବୁଝି ପାରି ନଥିଲି । ତୁମର ଇଛା ହେଲା ଛାଡ଼ିଲ ଏହା ମୋ ଧାରଣା ଥିଲା।
ମୁଁ ବାପା ପାଖରେ କରୁଥିବା ସବୁ ଅଳି ଅର୍ଦ୍ଦଳି ତୁମେ ସାଙ୍ଗେ ସାଙ୍ଗେ ପୁରା କରୁଥିଲ। ମୋ ଦେହ ଖରାପ ବେଳେ ରାତି ରାତି ମୋ ଶେଯ ପାଖରେ ଜଗି ବସୁଥିଲ। ମୁଣ୍ଡ ରେ ପାଣି ପଟି ଦେବାଠୁ ଔଷଧ ଖୋଇବା ସବୁ ନିର୍ବିଘ୍ନରେ କରି ଯାଉଥିଲ ।ତଥାପି ଲୁଚେଇ ଲୁଚେଇ ମୁଁ ବୋଉ କୁ ମନେ ପକେଇ କାନ୍ଦେ।
ଦିନେ ମୋ କାନ୍ଦ ଦେଖି ତୁମେ ବି କାନ୍ଦି ପକେଇଲ । ମୁଁ ଅଭାଗିନୀ ଏତେ ମୂର୍ଖ ଥିଲି ତୁମ ଭଲ ପାଇବା ବୁଝି ପାରୁ ନଥିଲି। ମୋର ପାଠ ପଢ଼ା ଠୁ ଆରମ୍ଭ କରି ମୋର ସଉକ ପ୍ରତି ବେଶ୍ ଧ୍ୟାନ ଦେଉଥିଲ। ବାପା ବ୍ୟସ୍ତ ହୋଇ ଅନେକ ବୁଝେଇଛନ୍ତି । ଗୋଟେ ଦିନ ବାପା ରାଗରେ ମୋ ଗାଲକୁ ଶକ୍ତ ଚାପୁଡାଟେ ମାରିଦେଲେ । ତୁମେ ଦୌଡ଼ି ଆସି ମତେ କୋଳେଇ ନେଲ। ମୁଁ ରାଗିକି କବାଟ ବନ୍ଦ କରି ବୁହାଏ କାନ୍ଦିଲି। ଖାଇଲିନି, ପିଇଲିନି। ସମସ୍ତେ ଡରିଗଲେ।
ତୁମେ ସବୁବେଳେ କହୁଥିଲ ପିଲା ଲୋକ ବଡ଼ ହେଲେ ବୁଝି ଯିବ। ଆଉ କେବେ ବଡ଼ ହେବି ନୂଆବୋଉ ? ବାହାରେ ଚାକିରୀ କରୁଛି । ଆଜି ବାପା ତ ଆଉ ନାହାନ୍ତି। ତାଙ୍କର ଅନ୍ତେଷ୍ଟ୍ କ୍ରୀୟା ପରେ ଆଉ ସେ ଘର ମାଡିନି । ତୁମକୁ ସେମିତି ଅସହାୟ, ଏକୁଟିଆ କରି ଛାଡ଼ି ଆସିଛି। ଆଜି ବୋଧହୁଏ ମୁଁ ବଡ଼ ହୋଇ ଯାଇଛି । ମୋର ସବୁ ଭୁଲ୍ ବୁଝି ପାରିଛି। ଆଜି ମୁଁ ବହୁତ ଅସୁସ୍ଥ । ଦେହ ଖରାପ ସମୟରେ ସବୁଠୁ ନିଜ ଲୋକ ହିଁ ମନେ ପଡ଼ନ୍ତି। ତୁମଠୁ ଆଉ କିଏ ବା ଅଧିକ ନିଜର ହୋଇପାରେ ? ବିନା ସ୍ବାର୍ଥ ରେ ଯିଏ ନିଜକୁ ଜଳାଞ୍ଜଳି ଦେଇ ଦେଇଛି। ତୁମେ ମହିୟସୀ । ଏବେ ମୋର ସବୁ ଭୁଲ୍ ଆକାଶରେ ବାଦଲ ଭଳି ଆଖି ଆଗରେ ଭାସି ଯାଉଛି । ମୁଁ ନିଜକୁ କ୍ଷମା କରି ପାରୁନି। "ନୂଆବୋଉ"... ନା .. ନା... ମୋ.. "ବୋଉ" ମୋର ପ୍ରିୟ ବୋଉ ମୋ ଚିଠି ପାଇ ଯେତେ ଶୀଘ୍ର ପାର ମୋ ପାଖକୁ ଚାଲି ଆସ । ମୋ ଭୁଲ୍ ସୁଧାରିବା ପାଇଁ ଗୋଟେ ଥର ମାତ୍ର ସୁଯୋଗ ଦିଅ।
ଇତି।
ତୁମର କ୍ଷମା ପ୍ରାର୍ଥୀ,
ଅଭାଗିନୀ ଝିଅ ସ୍ବାତୀ ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment