Skip to main content

ନୂଆବୋଉ କୁ ଚିଠି*p

*ନୂଆବୋଉ କୁ ଚିଠି*


ଆଦରଣୀୟା ନୂଆବୋଉ,
ମୋର ପ୍ରଣାମ ନେବ।
ଆଜି ତୁମ କଥା ବହୁତ ମନେ ପଡୁଛି। ମୋର ଯେତେ ସବୁ ଭୁଲ୍ ଆଖି ଆଗ ରେ ଜଳ ଜଳ ହୋଇ ଭାସି ଯାଉଛି। ଆଖିରୁ ଅନବରତ ଅଶ୍ରୁ ବୋହି ଚାଲିଛି। 
ମୁଁ ତୁମ ପାଖରେ ପୁରା ଋଣୀ ଆଉ ଅପରାଧୀ ମଧ୍ୟ।
କାଲି ପରି ଲାଗୁଛି ସେହି ଦିନ ସବୁ। ମୁଁ ମାତ୍ର ଛ' ବର୍ଷର।
ତୁମେ ଯେତେବେଳେ ଆମ ଘରେ ପାଦ ଦେଲ । ମୁଁ ବୁଝି ପାରି ନଥିଲି ତୁମେ କିଏ ? ଆମେ ଘରକୁ କାହିଁକି ଆସିଛ ? ଘରେ ସମସ୍ତେ କହିଲେ ଯାହାହେଉ ଝିଅ ଟା ତା ମା' ପାଇଯିବ । ଆଉ ଝୁରି ହବନି। ତା'ର ଆଉ ମାଁ କଥା ମନେ ପଡିବନି । ମୁଁ ଚାରି ବର୍ଷରେ ଥିଲା ବେଳେ ମୋ ବୋଉ ଆକାଶର ତାରା ହୋଇ ଯାଇଥିଲା।  ମୁଁ ମୋ ବୋଉ କୁ ବହୁତ ଝୁରି ହଉଥିଲି । ରାତି ରାତି ଶୋଉ ନଥିଲି । କାନ୍ଦି କାନ୍ଦି ଚମକି କି ଉଠି ବସୁ ଥିଲି ।
ଦେହ ସବୁବେଳେ ଖରାପ ରହୁଥିଲା । ଏମିତି ଦୁଇ ବର୍ଷ କଟିଗଲା । ମୋ ଶରୀର ର କିଛି ଉନ୍ନତି ହେଲାନି। ସମସ୍ତେ ବାଧ୍ୟ କଲେ ବାପା ଙ୍କୁ ଦ୍ଵିତୀୟ ବିବାହ କରିବାକୁ । ଆଉ ମୋ ପାଇଁ ଗୋଟେ ବୋଉ ଆଣି ବାକୁ। ତାପରେ ତୁମେ ଆସିଲ । ତୁମକୁ ବୋଉ ଡାକିବାକୁ ସମସ୍ତେ ବାଧ୍ୟ କଲେ । କିନ୍ତୁ ମୁଁ ମୋ ମନରେ ତୁମକୁ ବୋଉ ଦର୍ଜା ଦେଇ ପାରି ନଥିଲି । ବୋଉ କେବେ ବି ଡାକି ପାରିଲିନି । ସମସ୍ତେ ବୁଝିଇଲେ ଇଏ ତୋର ବୋଉ । ମୁଣ୍ଡ କୁଣ୍ଡେଇ ଦବ,ଖୋଇଦେବ, ଗେଲ କରିବ ।
ମୁଁ ରାଗରେ କହେ ମୋ ବୋଉ ସେ ନୁହେଁ। ମୁଁ କେବେ ବି ଡାକିବିନି ବୋଉ ବୋଲି।ମତେ ମୋ ବୋଉ ପାଖକୁ ନେଇଚାଲ।
ଏମିତି କାନ୍ଦି କାନ୍ଦି ଶୋଇ ଯାଏ। ସମସ୍ତେ ବହୁତ ବୁଝାନ୍ତି।
ତଥାପି ଏତେ ଛୋଟ ବୟସରେ କାହା କଥା ମତେ ପସନ୍ଦ ହୋଇ ନଥିଲା ।
ସବୁବେଳେ ମନ ମାରି ବସି ରହୁଥିଲି। କିନ୍ତୁ କେବେ ବି ବୋଉ ଡାକିଲିନି।
ଦିନେ ବାପା ଗେଲରେ ଗେଲରେ ଡାକି  କହିଲେ ହଉ ମାମା ସେ ତୋର ବୋଉ ନୁହେଁ । ଖୁସି ତ? ମୁଁ ବହୁତ ଖୁସି ହେଲି ଯାଇଥିଲି। ବାପା କହିଲେ ହଉ.. ତୁ ବୋଉ ଡାକେନା। ଡାକେ
"ନୂଆବୋଉ" ବୋଲି । ମୁଁ ସରଳ ହୁଁ ଟିଏ ମାରି ଦେଲି । ଶେଷରେ ତୁମେ ହେଇଗଲ ମୋ "ନୂଆବୋଉ"। ମୁଁ ଏତିକି ବୁଝି ପାରିଥିଲି ବୋଉ ଆଉ ନୂଆବୋଉ ସମାନ ନୁହେଁ । ତୁମେ ମୋର ବୋଉ କେବେ ନୁହଁ।
ମନରେ ମନରେ ବୋଉକୁ ବହୁତ ଖୋଜୁଥିଲି। ରାତିରେ ଲୁଚି ଲୁଚି ଘର ର ଛାତ ଉପରେ ଯାଇ ଆକାଶ କୁ ଚାହିଁ ରହୁଥିଲି କୋଉ ତାରା ଟା ମୋ ବୋଉ। ତୁମ କୁ କେବେ ବି ପସନ୍ଦ କରୁ ନଥିଲି । ତୁମ ପ୍ରତି ମୋର ଅନେକ ରାଗ ଥିଲା ଆଉ ଘୃଣା ବି। ତଥାପି ତମେ ମତେ କେବେ ହେଳା କରିନ । ମୋର ଭଲ ,ମନ୍ଦ ଗୋଟି ଗୋଟି ବୁଝୁ ଥିଲ। ଏବେ ବୁଝି ପାରୁଛି ମୋ ପାଇଁ ତୁମେ ସନ୍ତାନ ଜନ୍ମ କରି ନଥିଲ। ଆଉ କ'ଣ ଆମର ପିଲା ଦରକାର? ମୋର ତୋ ସୁନା ନାକୀ ସ୍ବାତୀ ଅଛି କହି କୋଳେଇ ନେଉଥିଲ। ମୁଁ ହାତ ଛାଟି ଦୂରକୁ ପଳେଇ ଆସୁଥିଲି । ତୁମକୁ ବହୁତ ରାମ୍ପୁଡିଛି, କାମୁଡିଛି । ଏମିତିକା ଚୁଟି ଟାଣି ଯା ଆମ ଘରୁ ବାହାରି ଯା କହି କାନ୍ଦି କାନ୍ଦି ଗଡ଼ି ଯାଇଛି। ତୁମେ କୋଉ ପଥର ର ପ୍ରତିମା ଥିଲ କେଜାଣି ହସି ହସି ସବୁ ସହି ଯାଇଥିଲ।

ସେହି ଘୃଣା ଆଉ ରାଗ  ଧୀରେ ଧୀରେ ମୋ ବୟସ ଅନୁସାରେ ବଢ଼ି ଚାଲିଲା। ମୋ ସାଙ୍ଗ ମାନେ ମୋ କାନରେ କେତେ କେତେ କଥା କହିବାରେ ଲାଗିଲେ । ସେ ତୋର ବୋଉ କି ନୂଆବୋଉ ନୁହଁ। ତୋର ର ସାବତ ମାଁ। ସାବତ ମାଁ କେବେ ଅନ୍ୟ ପିଲାକୁ ଭଲ ପାଆନ୍ତିନି। ସେମାନଙ୍କୁ ଡାହାଣୀ କୁହନ୍ତି। ପିଲା ଖାଇ ଯା'ନ୍ତି। ଯେତେ ଭଲ ପାଇଲେ ବି ଭିତରେ କିଛି ଚାଲାକି କରୁଥିବ । ମନ୍ତ୍ର ତନ୍ତ୍ର କରି ତୋତେ ତୋ ବାପା ଠୁ ଅଲଗା କରିଦେବ । ମୁଁ ବହୁତ ଡରି ଯାଉଥିଲି । ମୋ ସରଳ ମନରେ ତୁମ ପ୍ରତି ଗୋଟେ ପ୍ରଶସ୍ତ ପାଚେରୀ ଗଢି ଉଠିଥିଲା । ଧୀରେ ଧୀରେ ତୁମଠୁ ଆହୁରି ଦୂରେଇବାକୁ ଲାଗିଲି। ମୋ ପାଇଁ ତୁମେ ଚାକିରୀ ଛାଡ଼ିଲ କାଳେ ମୋର ଅବହେଳା ହେବ ବୋଲି ।  ମୁଁ ପିଲା ବୟସରେ ବୁଝି ପାରି ନଥିଲି । ତୁମର ଇଛା ହେଲା ଛାଡ଼ିଲ ଏହା ମୋ ଧାରଣା ଥିଲା। 
ମୁଁ ବାପା ପାଖରେ କରୁଥିବା ସବୁ ଅଳି ଅର୍ଦ୍ଦଳି ତୁମେ ସାଙ୍ଗେ ସାଙ୍ଗେ ପୁରା କରୁଥିଲ। ମୋ ଦେହ ଖରାପ ବେଳେ ରାତି ରାତି ମୋ ଶେଯ ପାଖରେ ଜଗି ବସୁଥିଲ। ମୁଣ୍ଡ ରେ ପାଣି ପଟି ଦେବାଠୁ ଔଷଧ ଖୋଇବା ସବୁ ନିର୍ବିଘ୍ନରେ କରି ଯାଉଥିଲ ।ତଥାପି ଲୁଚେଇ ଲୁଚେଇ ମୁଁ ବୋଉ କୁ ମନେ ପକେଇ କାନ୍ଦେ।
ଦିନେ ମୋ କାନ୍ଦ ଦେଖି ତୁମେ ବି କାନ୍ଦି ପକେଇଲ । ମୁଁ ଅଭାଗିନୀ ଏତେ ମୂର୍ଖ ଥିଲି ତୁମ ଭଲ ପାଇବା ବୁଝି ପାରୁ ନଥିଲି। ମୋର ପାଠ ପଢ଼ା ଠୁ ଆରମ୍ଭ କରି ମୋର ସଉକ ପ୍ରତି ବେଶ୍ ଧ୍ୟାନ ଦେଉଥିଲ। ବାପା ବ୍ୟସ୍ତ ହୋଇ ଅନେକ ବୁଝେଇଛନ୍ତି  । ଗୋଟେ ଦିନ ବାପା ରାଗରେ ମୋ ଗାଲକୁ ଶକ୍ତ ଚାପୁଡାଟେ ମାରିଦେଲେ । ତୁମେ ଦୌଡ଼ି ଆସି ମତେ କୋଳେଇ ନେଲ। ମୁଁ ରାଗିକି କବାଟ ବନ୍ଦ କରି ବୁହାଏ କାନ୍ଦିଲି।  ଖାଇଲିନି, ପିଇଲିନି। ସମସ୍ତେ ଡରିଗଲେ।
ତୁମେ ସବୁବେଳେ କହୁଥିଲ ପିଲା ଲୋକ ବଡ଼ ହେଲେ ବୁଝି ଯିବ। ଆଉ କେବେ ବଡ଼ ହେବି ନୂଆବୋଉ ? ବାହାରେ ଚାକିରୀ କରୁଛି । ଆଜି  ବାପା ତ ଆଉ ନାହାନ୍ତି। ତାଙ୍କର ଅନ୍ତେଷ୍ଟ୍ କ୍ରୀୟା ପରେ ଆଉ ସେ ଘର ମାଡିନି । ତୁମକୁ ସେମିତି ଅସହାୟ, ଏକୁଟିଆ କରି ଛାଡ଼ି ଆସିଛି। ଆଜି ବୋଧହୁଏ ମୁଁ ବଡ଼ ହୋଇ ଯାଇଛି । ମୋର ସବୁ ଭୁଲ୍ ବୁଝି ପାରିଛି। ଆଜି ମୁଁ ବହୁତ ଅସୁସ୍ଥ । ଦେହ ଖରାପ ସମୟରେ ସବୁଠୁ ନିଜ ଲୋକ ହିଁ ମନେ ପଡ଼ନ୍ତି। ତୁମଠୁ ଆଉ କିଏ ବା ଅଧିକ ନିଜର ହୋଇପାରେ ? ବିନା ସ୍ବାର୍ଥ ରେ ଯିଏ ନିଜକୁ ଜଳାଞ୍ଜଳି ଦେଇ ଦେଇଛି। ତୁମେ ମହିୟସୀ । ଏବେ ମୋର ସବୁ ଭୁଲ୍ ଆକାଶରେ ବାଦଲ ଭଳି ଆଖି ଆଗରେ ଭାସି ଯାଉଛି  । ମୁଁ ନିଜକୁ କ୍ଷମା  କରି ପାରୁନି।  "ନୂଆବୋଉ"... ନା .. ନା... ମୋ.. "ବୋଉ" ମୋର ପ୍ରିୟ ବୋଉ ମୋ ଚିଠି ପାଇ ଯେତେ ଶୀଘ୍ର ପାର ମୋ ପାଖକୁ ଚାଲି ଆସ । ମୋ ଭୁଲ୍ ସୁଧାରିବା ପାଇଁ ଗୋଟେ ଥର ମାତ୍ର ସୁଯୋଗ ଦିଅ।
                                                   ଇତି।
                                          ତୁମର କ୍ଷମା ପ୍ରାର୍ଥୀ,
                                          ଅଭାଗିନୀ ଝିଅ ସ୍ବାତୀ ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...