ଶୁଣ ଆହେ ମିତ,ଶୁଣରେ ସଂଗାତ
ମନରେ ଉତ୍କଣ୍ଠା ଭରି,
ଆମର ଓଡ଼ିଶା,ଆମ ମାତୃଭାଷା
ନୁହେଁ କେ ତା' ପରି ସରି।
ଆମର ଐତିହ୍ୟ,ଆମ ପରମ୍ପରା
ଯାଉଛିରେ ଉହ୍ୟ ହୋଇ,
ଓଡ଼ିଆ ଆତ୍ମା ରେ ଓଡିଆ ଭାବନା
ଭରି ଦେବା ସାଥୀ ହୋଇ।
ଜଗନ୍ନାଥ ଦାସ, ଫକିର ମୋହନ
ଗଙ୍ଗାଧର, ଭଞ୍ଜ ଭାଇ,
କବି ନନ୍ଦକିଶୋର, ମଧୁସୂଦନ
ରାଧାନାଥ, ଭୀମ ଭୋଇ ।
କବି ସରଳା ଦାସ ,ପଞ୍ଚ ସଖା ମିଶି
ସଞ୍ଜିବନୀ ମନ୍ତ୍ର ଭରି
ଓଡ଼ିଆ ର ଯଶ ରଖିଲେ ବିଶ୍ୱରେ
ବଢିଲା ଆମର ଶିରି।
ମାତୃଭାଷାରେ ଜୀବନ ସଂଚାରୀ
ବୁହାଇଲେ ସ୍ରୋତସିନୀ,
କେତେ କବିବର ,ଲେଖକ ଲେଖିକା
ଗଲେ ମନ,ପ୍ରାଣ ଜିଣି।
ମୋ ଭାଷାର ସ୍ବାଦ,ମୋ ଭାଷା ବୈଚିତ୍ର
ପିତା ଜୟ ଜଗନ୍ନାଥ
ସେ ମହାପ୍ରସାଦ ବଡ ଲୋଭନୀୟ
ଅଟଇ ବିଶ୍ବ ବିଦିତ।
କାୟ ମନୋ ବାକ୍ୟେ ଆଦରି ଯେ ନେବା
ଓଡ଼ିଶାର ରୀତି ନୀତି,
ଜୀବ ଥିବା ଯାଏଁ ଭୁଲିବାନି କେବେ
ଆମ ଭାଷା,ଆମ ସଂସ୍କୃତି।
ହେଲେ ବା ପ୍ରବାସୀ,ହେଲେ ଅନ୍ତର୍ବାସୀ
ଓଡ଼ିଆ ଭୁଲିବା ନାହିଁ,
ସଜାଗ ରହିବା ,ତତ୍ପର ହୋଇବା
ବାଣୀ ର ବିକାଶ ପାଇଁ।
Comments
Post a Comment