*ବିରହ ସଙ୍ଗୀତ*
ସବୁ ଆଶା,ଅଭିପ୍ସା ଅନ୍ତ ହେବା ପୂର୍ବରୁ
ହାତ ଠାରି କାହିଁକି ଡାକୁଛୁ?
ବେଳେ ବେଳେ ଡର ଲାଗେ
ତୋ'ର ସେଇ ଭଲ ପାଇବା,
ଧୀରେ ଧୀରେ ପାଖେଇ ଆସୁ,
ଅନ୍ତରଙ୍ଗ ହେବାକୁ ଚେଷ୍ଟା କରୁ,
ଯେତେ ଅଜଣା ହେଲେବି
ଆପଣା ମହକ ଢାଳିଦେଉ,
ତୋର ତ ଜାତି,ଗୋତ୍ର,ବର୍ଣ୍ଣ ନାହିଁ,
ତୁ ତ ସଂପର୍କ ହୀନ, ସ୍ମୁତି ହୀନ,ଶବ୍ଦହୀନ,ଭାବଶୂନ୍ୟ,
କେବଳ ଗୋଟିଏ ମାତ୍ର ନାମ ତୋର
ଓଃ ... କି ଭୟଙ୍କର ସେ..
ସମୟରେ ଆସୁ...ଅସମୟରେ ନେଇଯାଉ,
ଆଜି ଶୂନ୍ୟ,ମହାଶୂନ୍ୟ ରୁ
ଶୁଭୁଅଛି ମୋ ଶେଷ ଯାତ୍ରା ର
ବୁକୁଫଟା କାନ୍ଦ।
ଅଗ୍ନି ଉତ୍ସବର ଲଗ୍ନ ଉପଗତ,
ଛଡେଇ ନେବେ ମୋ ନିଜତ୍ବ,
ଛଡେଇ ନେବେ ମୋର
ସେ ଦାଣ୍ଡ ବାଡି,ଫୁଲଗଛ,ଡାଇରି
ମୋ ପୋଷାକ.. ସବୁକିଛି
ସକଳ ସମୟ,ସ୍ମୃତି,ଘଟଣା ସବୁ
ପାଉଁସ ହୋଇଯିବ ନିମିଷକେ
ତୁ'କଣ ଭାବିଛୁ
ମୋ ମୃତ୍ୟୁ ରେ
ପୃଥିବୀ ଘୁରିବନି?
ସୂର୍ଯ୍ୟ, ଚନ୍ଦ୍ର,ତାରା ଉଇଁବେନି?
ଫୁଲ ଫୁଟିବନି ନା
କୋଇଲି ଗାଇବନି?
ବେଶ୍ ଚାଲିବ..
କିନ୍ତୁ ମୁଁ ହୋଇ ଯାଇଥିବି ଅଲୋଡା
ତୋ ମାୟା କୁହୁକ ରେ ହୋଇ ଯାଇଥିବି ବନ୍ଦୀ,
ରଙ୍ଗ ବେରଙ୍ଗ ସମୟ
ଦୀର୍ଘ ଅସରନ୍ତି ଗଳ୍ପ ପରି
ଲମ୍ବିଥିବ ଏ ମୁଣ୍ଡରୁ ସେ ମୁଣ୍ଡ
ମୋର ଶୂନ୍ୟସ୍ଥାନ ରେ ଲାଗି ଯାଇଥିବ ଫୁଲଷ୍ଟପ,
ଆଖି ଖୋଲା
ଅଥଚ ଗାଢ଼ ନିଦରେ ଶୋଇଥିବି...
ମୋ ବିରହର ରଙ୍ଗ ବା କେତେ ଦିନ..?
ସମୟର ଟୁପୁଟୁପୁ ବରଷା ରେ
ବିଷର୍ଣ୍ଣ ହୃଦୟ କନ୍ଦିରେ ଧସେଇ
ପଶି ଆସିବେ ଆଉ ଦୁଇ,ଚାରିଟି ହୃଦୟ ,
ଆକାଶର ଭ୍ରୁଲତା ତଳେ
ଆଙ୍କି ହୋଇଯିବ ଜ୍ୟୋସ୍ନା ରାତିର ତୂଳୀ
ନା ଅଟକିବ ସମୟ
ନା ଅଟକିବ ବର୍ଷ,ମାସ, ଦଣ୍ଡ
ମୃତ୍ୟୁ ର ଗାଢ଼ ଆଲିଙ୍ଗନ ରେ
ମୁଁ ଥିବି ନିର୍ବାକ, ନିଃଶବ୍ଦ ନିର୍ବିକାର
ତା ସମ୍ମୋହନରେ ବଶୀଭୂତ ,
ନୀଳଶୂନ୍ୟେ ଅସୁମାରୀ ପୂର୍ବଜଙ୍କ
କୋହ ସହ ତାଳ ମିଳେଇ
ମୃତ୍ୟୁ ର ଗାଢ଼ ଆଲିଙ୍ଗନ ରୁ
ମୁଁ କିନ୍ତୁ ଗାଉଥିବି ବିରହ ସଙ୍ଗୀତ ।
Comments
Post a Comment