*ହେ ଈଶ୍ବରୀ....*
ହେ ଈଶ୍ବରୀ...
ତୁମର ସମସ୍ତ କଷ୍ଟକୁ
ମାଜି ମୁଜି ଧୋଇ ଧାଇ
ପ୍ରେମ ର ସପ୍ତ ସ୍ବର ରେ
ଅପହଞ୍ଚ ଆଲୋକ ରୁ ଚୋରାଇ ଆଣି
କିଛି ବର୍ଣ୍ଣିଳ ଛିଟା ପିନ୍ଧେଇ ଦେବି ତୁମ ଶ୍ରୀ ଅଙ୍ଗରେ।
ଜୀବନର ଶିଆଳୀ ଲତାରେ
ଭ୍ରୂଣମୟୀ ଗଙ୍ଗାରୁ ଆଞ୍ଜୁଳାଏ
ଫୁଲର ମହକରେ ଠେସି ଦେବି ତୁମ ଗଭା।
ଜହ୍ନି ଫୁଲିଆ ହସରେ
ଲଜ୍ଜାରୁଣ ସ୍ବପ୍ନ ର ଚିକିମିକି ଘାସଫୁଲ
ଚିତ୍ରମୟୀ ହୋଇ ଉଠିବ ତୁମ ମଥାମଣି।
ଆଷାଢ଼ୀ ଆକାଶରୁ
ପହିଲି ବର୍ଷାର ସ୍ପନ୍ଦନ ଚୂନା ଚୂନା ଯୋଛନାରେ
ଭିଜୁଥିବା ସାନ୍ତ୍ଵନା ର ଝିନ୍ନ ବସ୍ତ୍ର
ସଜେଇ ଦେବି ତୁମ କାଉଁରୀଆ କମନୀୟ କଟି।
ତୁମ ଅନୁରାଗ ମହକରେ
ଆତ୍ମଲୀନ ହୋଇ
ମନ୍ଦା ମନ୍ଦା ତାରା ଫୁଲ ରୁ
ସୁନ୍ଦରୀ ପରୀ ହେବେ ତୁମ ହୁକୁମ ର ଗୋଲାମ।
ସୁଖର ଅନିନ୍ଦିତ ବର୍ଣ୍ଣାଳୀରୁ
ସଦ୍ୟ ଉଦିତ ପହିଲି କିରଣ
ହବ ତୁମ ଅଳତାର ଗାର।
ଶଦ୍ଦ ଓ ଆଲୁଅର ଲୁଚକାଳି ରେ
ଅକୁହା ଭାଷା ର ସବୁଜିମା ତାର ବର୍ଣ୍ଣବିଭାରେ
ପୂର୍ଣ୍ଣତା ପାଇବ ତୁମ ମେହେନ୍ଦିର ଗାର।
ଆର୍ଯ୍ୟ ସଂସ୍କୃତି ର ପବିତ୍ରତା
ଓଢ଼ଣୀରୁ ଲାବଣ୍ୟ ଲହରୀ
ଉଛୁଳିବ ତୁମ ଓଷ୍ଠ ପ୍ରାନ୍ତରୁ
ବିହଙ୍ଗ ସଂଗୀତ ସୁମଧୁର ସ୍ବନ
ରୁଣୁ ଝୁଣୁ ଝଙ୍କାର ତୋଳି
ସଜେଇ ହେଇଯିବ ତୁମ ପୟରେ
ତୁମ କଜ୍ଜଳର ପୂଣ୍ୟତୋୟା ରେ
ସମାଧିତ ହେବ ମୋ
ସମଗ୍ର କଳଙ୍କର ଅସ୍ତିତ୍ବ।
ତୁମ ମଥାର ଚନ୍ଦ୍ରମାର ଚନ୍ଦ୍ର ବିନ୍ଦୁ ରେ
ଝଲସି ଉଠିବ ମୋ ଆତ୍ମା ଅନ୍ତଃସ୍ବର ର ଶ୍ରୀଫଳ।
ବାସ୍ ସେଇ ପୂର୍ଣ୍ଣାଙ୍ଗ ପ୍ରେମିକର କାବ୍ୟ କବିତାରେ
ତୁମେ ହୋଇଯିବ
ମୋ ଇଷ୍ଟ ଈଶ୍ବରୀ...
ଆଉ...ଆଉ... ମୁଁ ....
ସ୍ତିମିତ ଅନ୍ଧକାରେ ପଥଭ୍ରଷ୍ଟା କ୍ଷୁଦ୍ର ପୁଜାରୀ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ସେକ୍ଟର ୨୩ ଗୁରୁଗ୍ରାମ
Comments
Post a Comment