*****ସ୍ବଚ୍ଛ ପରିବେଶ ,ବଢାଏ ଆୟୁଷ*****
କ୍ଷିତି,ଆପ୍,ତେଜ,ମରୁତ,ବ୍ୟୋମ
ଅଟେ ପଞ୍ଚ ମହାଭୂତ,
ଏହି ସବୁ ନେଇ ପରିବେଶ ଗଢ଼ା
ହୁଏ ଆଜି ପ୍ରଦୂଷିତ।
ପ୍ରଦୂଷିତ ଜଳ,ପ୍ରଦୂଷିତ ସ୍ଥଳ
ପ୍ରଦୂଷିତ ଖଗ ଦେଶ,
ପ୍ରଦୂଷିତ ଖାଦ୍ୟ,ପ୍ରଦୂଷିତ ବାୟୁ
ଧରାରେ ଭରଇ ବିଷ ।
ସବୁଜ ଧରଣୀ ଅରଣ୍ୟ ଶୋଭିତା
ସୁନ୍ଦର ଏ ବୃକ୍ଷ ରାଜି,
ପ୍ରକୃତି ର ଶ୍ରେଷ୍ଠ ସଂପଦ ଓ ବନ୍ଧୁ
ହଜି ତ ଯାଇଛି ଆଜି।
ଦିଏ ଫୁଲ ଫଳ ସୁଶୀତଳ ଛାୟା
ସ୍ବଚ୍ଛ ରଖେ ପରିବେଶ,
ବିଶୁଦ୍ଧ ପବନ ଶାନ୍ତ ରଖେ ମନ
ମନୁ ଦୂର ହୁଏ କ୍ଳେଶ ।
ଗଢୁ ଅଟ୍ଟାଳିକା,କଂକ୍ରିଟ ର ରାସ୍ତା
ଯେତେ କଳ କାରଖାନା,
ଜଙ୍ଗଲ କୁ କାଟି କରୁ ପ୍ରଦୂଷଣ
ଉଡାଉ ବିଜୟ ବାନା ।
ସୂର୍ଯ୍ୟ ଙ୍କ ଉତ୍ତାପ ବଢ଼ି ବଢ଼ି ଚାଲେ
ବଦଳେ ପୃଥିବୀ ରୂପ,
ବନ୍ୟା, ବାତ୍ୟା ଅବା ଯେତେ ଦୁର୍ବିପାକ
ଦେଖାନ୍ତି ତାଙ୍କର କୋପ ।
ମୂର୍ତ୍ତିକା ର କ୍ଷୟ ହୁଏ ନିରନ୍ତର
ଲୁପ୍ତପ୍ରାୟ ପଶୁପକ୍ଷୀ,
ଶାନ୍ତ ପ୍ରକୃତି ର ନଷ୍ଟ ଭାରସାମ୍ୟ
ଆଖି ଆମ ମୂକ ସାକ୍ଷୀ।
ଦିନୁ ଦିନୁ ବଢେ ରବି ଙ୍କ ଉତ୍ତାପ
ଦଗ୍ଧ ପ୍ରକୃତି ର ବକ୍ଷ,
ଶ୍ୟାମଳୀ ସୁନ୍ଦରୀ ପାଦପ ବିହୀନ
ଦିଶୁଅଛି ଶୁଷ୍କ ରୁକ୍ଷ ।
ସ୍ବଚ୍ଛ ପରିବେଶ ସାତ ସପନ ଯେ
ମୃତ୍ୟୁ କୁ ଆବୋରେ ନିତି,
ପରିବେଶ ପାଇଁ ନାହିଁ ତା'ର ଚିନ୍ତା
ଟଙ୍କାକୁ କରିଛି ସାଥୀ।
ଗଛ ଉଜୁଡିଲେ ଟଙ୍କା କି ବାଣ୍ଟିବ
ଅମ୍ଳଜାନ, ଶୁଦ୍ଧ ବାୟୁ,
ତାପମାତ୍ରା ଧୀରେ ବଢ଼ି ଚାଲିଅଛି
କମି କମି ଆସେ ଆୟୁ।
ଆସ ରାଜନେତା,ଦେଶର କରତା
ଆସ ସବୁ ଜ୍ଞାନୀ ଗୁଣୀ,
ପରିବେଶ ଲାଗି ଚାଲ ମାଗି ଯିବା
ଶପଥର ଭିକ୍ଷା ବାଣୀ।
ସର୍ବେ ସଚେତନ ହୋଇ ଏକମନ
କରିବା ଆମେ ଯେ ପଣ,
ଜଙ୍ଗଲ ସୁରକ୍ଷା,ପରିବେଶ ରକ୍ଷା
ସନ୍ତୁଳିତ ଜୀବ ଜନ।
ଧରଣୀ ହସିଲେ ଆମେ ବି ହସିବା
ଲଗାଇବା ଗଛ ଲତା,
ସ୍ବଚ୍ଛ ପରିବେଶ ବଢାଏ ଆୟୁଷ
ମନେ ରଖି ଏହି ବାର୍ତ୍ତା ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
Comments
Post a Comment