(ସବୁଜ ବଳୟ - ହଟାଏ ପ୍ରଳୟ)
ବନ ଉପବନ ଶ୍ୟାମ ଶସ୍ୟ କ୍ଷେତ୍ର
ଶ୍ୟାମଳୀ ସୁନ୍ଦରୀ ଧରା,
ନଦୀ ନିର୍ଝରଣୀ ସାଗର ତଟିନୀ
ପୂର୍ଣ୍ଣ ଗର୍ଭା ବସୁନ୍ଧରା।
ଜଡରୁ ଜୀବନ ଜଗତ ନିର୍ମାଣ (ଭିଆଣ)
ସାଜିଛି ଆମର ସାହା,
ଶୁଦ୍ଧ ଜଳବାୟୁ ଫୁଲ ଫଳ ଭରା
ଦେଖାଏ ନିର୍ମଳ ରାହା।
ଉନ୍ମୁକ୍ତ ବସନ୍ତ ମୁଗ୍ଧ ମୂର୍ଚ୍ଛନାରେ
ଆଛାଦିତ ସ୍ବର୍ଣ୍ଣ ସକାଳ,
ଜୀବନ୍ୟାସ ପାଏ ଶ୍ରାବଣୀ ଧାରାରେ
ରୁକ୍ଷ ଶୁଷ୍କ ମହୀ କୋଳ।
ପରିବେଶ ଆଜି ହୁଏ ପ୍ରକୃତିସ୍ଥ
ଦେଖି ମାନବର ଭ୍ରାନ୍ତି ,
ମୃଗଜାଲେ ପଡ଼ି ବିକୃତ ବିଜ୍ଞାନେ
ବଦଳି ଯାଇଛି ମତି।
କାରଖାନା ଯାନବାହାନ ପ୍ରଭାବେ
ବିଷଗ୍ରସ୍ତ ଜଳବାୟୁ,
କଙ୍କାଳ ସାର ସେ ବୃକ୍ଷ ଅବସନ୍ନ
କମି କମି ଆସେ ଆୟୁ ।
ପ୍ରକୃତି କାନ୍ଦୁଛି ଗୁମୁରି ଗୁମୁରି
ସବୁଜିମା ଯାଏ ହଜି,
ସୋରିଷ ଫୁଲ ର ମିଠା ମିଠା ହସ
ଲିଭି ତ ଯାଇଛି ଆଜି।
ମହଣ ବିଶ୍ବାସ ଖସି ପଡୁଥିଲା
ମଣିଷର ମାୟା ଜାଲେ,
ବିଜ୍ଞାନ ସାଗରେ ଉବୁ ଟୁବୁ ହୁଏ
ଜ୍ଞାନୀ ର ମୁଖୋଟା ତଳେ।
ପଞ୍ଚଭୂତେ ଗଢ଼ା ପରିବେଶ ଆମ
ଯାଉଛି ବିଷାକ୍ତ ହୋଇ,
ସବୁଜ ପାଦପ ହୋଉଅଛି ଲୋପ
ଉନ୍ନତିର ଦ୍ୱାହି ଦେଇ।
ଋତୁଚକ୍ର ପରିବର୍ତ୍ତନ ହେଲାଣି
ନାହିଁ ଶୀତ,ବର୍ଷା,ବସନ୍ତ,
ପ୍ରବଳ ଉନ୍ମତ୍ତ ଉତ୍ତପ୍ତ ବେଳାରେ
କାନ୍ଦୁଅଛି ବିଶ୍ବ ଜଗତ।
ସୃଷ୍ଟି କରିବା ସବୁଜ ବଳୟ
ସ୍ବଚ୍ଛ ହେବ ପରିବେଶ,
ପ୍ରଳୟ, ବିଧ୍ବଂସ ଆପେ ହଟିଯିବ
ରହିବନି ମନେ କ୍ଳେଶ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
Comments
Post a Comment