ମହାତ୍ମା ଗାନ୍ଧୀ ✓
ଜାତିର ଜନକ ମହାତମା ଗାନ୍ଧୀ
ଜନମି ଥିଲେ ଏ ଦେଶେ,
ଅହିଂସାର ଅସ୍ତ୍ର ପଢାଇଲେ ପାଠ
ଯଶ ରଖିଗଲେ ବିଶ୍ବେ।
ସାବରମତୀ ର ସନ୍ଥ ଥିଲେ ସେ
ଥିଲେ ସେ ଯୁଗ ପୁରୁଷ,
ବାପୁଜୀ ନାମରେ ଖ୍ୟାତ ହୋଇଗଲେ
ମୁଖେ ଝରୁଥିଲା ହସ।
ପରାଧୀନତା ର ଶୃଙ୍ଖଳ ଖୋଲିଲେ
ଶାନ୍ତି, ମୈତ୍ରୀ ଭାବ ନେଇ,
ସତ୍ୟ,ଆଦର୍ଶ, ଶୃଙ୍ଖଳା ବଳରେ
ଫିରିଙ୍ଗି ଗଲେ ପଳାଇ।
ନା ନା ଭାଷା ଭାଷୀ ଏକ ମନ ହୋଇ
ଗାଇଲେ ବିଜୟ ଗୀତ,
ସ୍ବାଧୀନତା ପାଇ ବିଶ୍ବେ ଉଡାଇଲେ
ତ୍ରୀରଙ୍ଗା ଅକ୍ଷୟ ନେତ।
କାନେ କାନେ ଆମ କହିଗଲେ ବାପୁ
ସମୟ କରନା ନଷ୍ଟ,
ନ ଶୁଣ, ନ କୁହ,ନ ଦେଖ ଖରାପ
ଯେତେ ଆସୁ ପଛେ କଷ୍ଟ।
ଭଗବାନ ଯିଏ,ଆଲ୍ଲା ପୁଣି ସିଏ
ଏକ ମନ ଏକ ପ୍ରାଣ,
ନିଶା ନିବାରଣ,ଗୋ ହତ୍ୟା ଦମନ
ପାଇଁ କଲେ ଆନ୍ଦୋଳନ।
ସ୍ବଚ୍ଛ ରଖ ମନ, ସ୍ବଚ୍ଛ ରଖ ସ୍ଥାନ
ଭାଇଚାରା ସ୍ନେହ ନେଇ,
ରାମରାଜ୍ୟ ସେ କରିଲେ ଗଠନ
ଏକତାର ମନ୍ତ୍ର ଦେଇ।
ତୁମେ ହିଁ ମହାତ୍ମା,ତୁମେ ଶୁଦ୍ଧ ଆତ୍ମା
ତୁମେ ହିଁ ଚିର ଅମର,
ଭକ୍ତିପୁତ୍ତ ଫୁଲ ବାଢୁଛି ତୁମକୁ
ହେ ଅମର , ହେ ଈଶ୍ୱର।
Comments
Post a Comment