କାଶତଣ୍ଡୀ ସମ୍ଭାର
ଶରତ ସକାଳେ ହୁଳହୁଳି ଦେଇ
ଆସିଅଛି କାଶତଣ୍ଡୀ
ନଈପଠା ପରେ ଘର କରେ ସିଏ
ଧବଳ ସୌନ୍ଦର୍ଯ୍ୟ ମଣ୍ଡି।
ହଲି ହଲି ଝୁଲି ଝୁଲି ଗୀତ ଗାଏ
କିଣିନିଏ ସଭି ମନ
କୁଲୁ କୁଲୁ ହୋଇ ନିତି ନାଚୁଥାଏ
ମନ ତାର ଛନ ଛନ।
କେତେ ପ୍ରତିକ୍ଷା ର ଅବସାନ ପରେ
ଆସେ ଜାଗରଣ ନେଇ
ପାର୍ବଣ ଋତୁର ହୁଏ ଆଗମନ
ମାଆ ର ସ୍ବାଗତ ପାଇଁ।
ଉଛୁଳା ନଈର ଢେଉ ଢେଉ ମାଳ
ଆଖି ମିଟି ମିଟି କହେ
ମୋର ତଟେ ସ୍ଥିତ କାଶତଣ୍ଡୀ ଫୁଲ
ସୌନ୍ଦର୍ଯ୍ୟ ବଢାଇ ଦିଏ।
ଆସିଥାଏ ମର୍ତ୍ତ୍ୟେ ବରଷକେ ଥରେ
ସ୍ବଳପ ଆୟୁଷ ନେଇ
ସେତିକି ଦିନ ହସାଇ ରସାଇ
ସଭି ମନ ଯାଏଁ ଛୁଇଁ।
ପାର୍ଥିବ ଜୀବନେ କାଶତଣ୍ଡୀ ଫୁଲ
ଆମକୁ ଯେ ଶିକ୍ଷା ଦିଏ
ହସି ହସାଇବା ନିଜର କରିବା
ଭବେ ବଞ୍ଚିଥିବା ଯାଏଁ।
Comments
Post a Comment