ହେ କୃଷ୍ଣ ...
ମୋ ଅଳତା ଧାର ରୁ କାଣିଚାଏ ନାଲି ନେଇ
ମୋ ଓଠର ମୁଠାଏ ଗୋଲାପୀ ରଙ୍ଗ ଛିଟାରେ
ସଜେଇ ଦେବି ତୁମ କମନୀୟ କାନ୍ତି
ମୋ କଜଳ ରୁ ଚିମୁଟାଏ ରଙ୍ଗ ଛଡେଇ
ମନ୍ତ୍ର ଫୁଙ୍କି ନଜର ଛଡେଇବି ତୁମର ପାରିଲା ପଣକୁ
ମୋ ଅଳଙ୍କାର ରୁ ଆଞ୍ଜୁଳାଏ ହଳଦିଆ ରଙ୍ଗ
ହଳଦିମଖା କରିଦେବ ତୁମ ଚନ୍ଦ୍ର ବଦନ
ମୋ ପ୍ରେମର ସବୁଜ ବନାନୀ ରୁ
ରଙ୍ଗ ଚୋରେଇ କ୍ଷେପିବି ତୁମ ନାଭି ମଣ୍ଡଳ କୁ
ମୋ ଆଖିର ନୀଳିମା ଫୁର୍ କରି ଉଡି
ଖୋଲିଦେବ ତୁମ ପ୍ରେମର ଫାଟକ
ମୋ ଗଭା ଗଜରା ହାତରେ ପିଆଲା
ଧରି ସାତ ସୁରରେ ସଜେଇ ଦବ
ବଂଶୀର ମତୁଆଲା ମନକୁ
ପ୍ରଣୟର ପିଚକାରୀରେ, ବସନ୍ତର ମଧୁ ଛୁଆଁରେ
ମଦନ ପୁନେଇଁ ଜହ୍ନ ଚମକୁଥିବ
ମୋ ମାନ ସରୋବର ରେ ଚିହ୍ନା ଚିହ୍ନା
ଲାଗୁଥିବା ନିଜ ପ୍ରତିବିମ୍ବ ରେ
ଉଲ୍ଲସିତ ହବ ତୁମ ମନ
ହେ ପ୍ରୀୟେ ...!
ତୁମର କୃଷ୍ଣ ଛୁଆଁ ରେ ଦେହ ବଗିଚାରେ ମୋର
ଫୁଟି ଯିବ ପୀରତି ର ଫୁଲକଢି
ବାସ୍ କେବଳ ତୁମେ ଆଉ ମୁଁ
ଅନ୍ତହୀନ ପ୍ରେମର କୁହୁକ ଅବିର ନେଇ
ପ୍ରୀତି ବସନ୍ତ ର ପହିଲି ଛୁଆଁ ରେ
ମନଭରି ଖେଳୁଥିବା ହୋଲି।
Comments
Post a Comment