ଆସିଅଛି ଶୀତ
ଟୋପା ଟୋପା ହେମ ଶିଶିର ବିନ୍ଦୁରେ
ପସରା ଖୋଲିଛି ଶୀତ
ଭାନୁର ପ୍ରକୋପ ମଉଳି ଯାଇଛି
ହସୁଅଛି ବସୁମାତ।
ଭିଜା କାକରର ଶୀତଳ ପରସ
ସୁନେଲି ନରମ ଖରା,
ଜାଇ,ଯୁଇ,ହେନା,ଗେଣ୍ଡୁ, ସେବତୀ ରେ
ସୁନ୍ଦର ଦିଶଇ ଧରା।
ସୋରିଷ ର କ୍ଷେତ ହଳଦୀ ଚାଦରେ
ତୋଳିନିଏ ସଭି ମନ
କୁହୁଡି ପଣତେ ଢାଙ୍କି ହୋଇ ମହୀ
ହସେ ବନ,ଉପବନ।
କାର୍ତ୍ତିକ ପରେ ମଗୁସୁର ଆସେ
ଲକ୍ଷ୍ମୀ ପୂଜା ଘରେ ଘରେ
ଚାଉଳ ପିଠଉ ଝୋଟିର ଚିତାରେ
ଶଙ୍ଖ ହୁଳହୁଳି ସୁରେ।
ଶୀତର ପ୍ରକୋପ ବେଖାତିର କରି
ଚାଷୀ ଯାଏ ପାଗ ଭିଡ଼ି
ଗାଁ ପୁରୋହିତ ପୋଖରୀ ତୁଠରୁ
ଆସୁଛନ୍ତି ଥରି ଥରି।
ସ୍ବେଟର,ଜ୍ୟାକେଟ,କମ୍ବଳ, ରେଜେଇ
ଲୋଡା ପଡ଼ିଲାଣି ଆଜି
ଗରିବ ଲୋକଟି ଶୀତଳ ହେମାଳେ
ବୁଦ୍ଧି ତା ଯାଇଛି ହଜି।
ଆସ ମୁନା,କୁନା,ଟୁକୁନା,ସିପୁନା
ପଇସା ରଖିବା ଗଣି
ଶୀତ ବସ୍ତ୍ର ଯେତେ ପ୍ରଦାନ କରିବା
ଲୋକେ ଯେ କହିବେ ଗୁଣୀ।
ମାନବର ସେବା , ବିଭୁ ପାଦେ ଭକ୍ତି
ସବୁ ଅଟେ ଏକାକାର
ଗରିବର ପେଟେ ଭରିଦେବା ଦାନା
ଲକ୍ଷ୍ୟ ରଖି ନିରନ୍ତର।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment