କାଲି ରାତିରେ ସେ କୁଆଁରୀ ଜହ୍ନଟା
ମୋ କାନରେ କିଛି କହିଗଲା
ଆଜି ସକାଳେ କା କା କରି
ତୁମ ଆସିବାର ଖବର ଦେଇଗଲା
ସତରେ ତୁମେ ଆସିବ ବୋଲି
ଆଜି ର ସକାଳ ଟା ଭାରି
ଅମାନିଆ ହେଉଛି
ମଳୟ ଡାକି ଆଣିଛି ବସନ୍ତକୁ
ଆମ ଦାଣ୍ଡ ଅଗଣାରେ ତୁମ ଆସିବର
ମଧୁର ମହକ ବାରି ହୋଇ ପଡ଼ୁଛି
ଦେଖୁନ...ସେ ପବନ ଟା ତୁମ ରଙ୍ଗ ଚୋରେଇ
ମୋ ଦେହରେ କେମିତି ବୋଳି ଦେଇଗଲା
ତୁମ ଭଲ ପାଇବାରୁ ଖିଅ ଟିଏ
ଆଣି ମୋ ହାତରେ ବାନ୍ଧି ଦେଲା
ହଜି ଯାଇଥିବା ଅବ୍ୟକ୍ତ ସଂଳାପରୁ
ସାଇତା ସବୁ ଅଭିମାନକୁ ମୋର
କାଗଜ ଡଙ୍ଗା କରି ଭସେଇ ଦେଲା...
ତୁମେ ଆସିବ ବୋଲି...
ମୁଁ ଆଖିରେ କଜଳ ନାଇ
ହସର ଲିପଷ୍ଟିକ ବୋଳି
ଥାକରେ ଅଣ୍ଡାଳୁଛି ତୁମର
ମନ ପସନ୍ଦ ଶାଢ଼ୀ
ଦେଖୁନ...ତୁମେ ମୁଁ ଲଗେଇଥିବା
ଚମ୍ପାଗଛ ମତେ କେମିତି ଛିଗଲଉଛି
କେତେ ବେଳୁ ମୋ ଅଭିଯୋଗ ର
ଶକ୍ତ ଖୋଳପା କାଢି
ଫୁ କରି ଉଡେଇ ଦେଇଛି
ସେଇ ଥୁଣ୍ଟା ଗଛଟା ମ...
ଗହ ଗହ ପତ୍ରରେ ମଣ୍ଡଣି ହୋଇ
ସାତ ସୁରତାଳ ରେ ଗାଇ ଚାଲିଛି
ମୋର ସେଇ ପ୍ରିୟ ଗୀତଟା...
'ମୋ ଆଖିର କେତେ କଥା , ମୋ ମନର ନିରବତା'
ଛିଃ.. କେତେ ଅଲାଜୁକ
ତୁମ ଆସିବ ବୋଲି ...
ଆଜି ପ୍ରକୃତି ଟା ନୁଆ ବୋହୁ ସାଜିଛି
ଆମ ଗାଁ ଦାଣ୍ଡ ବର ଗଛ ତଳେ
ସିନ୍ଦୁରିତ ମୁଗୁନି ପଥର
ଏବେ ବି ଅହ ରହ ଜଳୁଥିବା
ପ୍ରତିକ୍ଷା ର ଦୀପ
ଭଲ ପାଇବାର ସଂଜ୍ଞା ବାଢୁଛି
ତୁମେ ଆସିଲେ...
ମୋର ସେଇ ଉଛ୍ଛ୍ବସିତ ହସର ଜହ୍ନ
ବିଭୋର ସ୍ବପ୍ନରେ
ହସ ବାସ ମଧୁର ରାଗରେ ଶୃଙ୍ଗାରିତ
ହେବ ହଜି ଯାଇଥିବା ସଂପର୍କ
ଜୀବନ ପାଇଁ କିଛି ଅନୁରାଗ
ଶବ୍ଦ ଗନ୍ଧ ,ଶବ୍ଦ ସ୍ପର୍ଶ, ଶଦ୍ଦ ଅଳଙ୍କାର ରେ
ସଜେଇ ଦେବି ଏକ ସୁନ୍ଦର କାହାଣୀ ପରି
ବୁଦ୍ ବୁଦ ନଈ ହୋଇ ଧୀର ଧୀରେ
ଚୁପ୍ ଚାପ୍ ବୋହିଯିବି
ତୁମ ଦେହ ଦେଉଳର
ପ୍ରତି କୋଣେ ଅନୁକୋଣେ
ଠିକ୍ ଯେପରି ପାହାଡ଼ରୁ ଝରୁଥିବା
ଛୋଟ ଝରଣାଟିଏ ...
Comments
Post a Comment