ତୁମେ ଦେଇଥିବା ସେ ଅଧା ପୋଡ଼ା ଘା
ଧିରେ ଧିରେ ଶୁଖି ଗଲାଣି
ଆଖିରେ ଆଗ ପରି
ସେ ଉଛୁଳା ନଈ ନାହିଁ
ପାଟି ଦୁଆର କେବେଠୁ ବନ୍ଦ
ସହି ହେଉନି ହୃଦୟର ଭାରିପଣ
ମହାକାଶଚାରୀ ପରି
ମନ ହାଲୁକା ହୁଅନ୍ତା କି ଥରେ
ଦେଖି ଆସନ୍ତି ସେଇ ଜହ୍ନକୁ
ତାର ହାଲକା ପଣକୁ
ଯଦି ଚାହଁ ଉଖୁରେଇ ଉଖୁରେଇ
ଦେଖିପାର ସେଇ ଜ୍ୱାଳାମୁଖୀ କୁ
ସମାଜର କଟାକ୍ଷ ପ୍ରଶ୍ନ ବାଣରେ
ତିଆରି ହୋଇଛି ଶରଶଯ୍ୟା
ଝାପସା ଝାପସା ଦିଶୁଥିବା
ଶୀତଳ କୁହୁଡି ର ଆବରଣ
ଢାଙ୍କି ଦେଇଛି ଗୋପନ ଇଙ୍ଗିତି
ନା ମାଲିସ ଅଛି ନା ସାଲିସ
ଏବେତ ଶେଷ ପୃଷ୍ଠା ର ଶେଷ ପଂକ୍ତି ରେ
ଖାଲି ଅପେକ୍ଷା ଅବସୋସ ର ନିର୍ବାଣ ପାଇଁ
ବସନ୍ତ ବି ହାର୍ ମାନି ଯାଇଛି
ଫଗୁଣ ତ କେବେଠୁ ଫେରାର୍
ବୈଶାଖ ଝାଞ୍ଜିରେ ଲୁହ ର ତୈଳ ଦୀପ
ସମର୍ପଣ ସଳିତାରେ
ମିଞ୍ଜି ମିଞ୍ଜି ହୋଇ ଜଳୁଛି
ଆଜି ମାଗୁଛି କେବଳ ଇଛା ମୃତ୍ୟୁ ବର
ଟିକେ ଶୀତଳତା ପାଇଁ।
Comments
Post a Comment