ଆଜିକାଲି ଉପାଧି, ପୁରସ୍କାର ଏକ ବ୍ୟାଧି ରେ ପରିଣତ ହୋଇଛି
ଉପାଧି ଓ ପୁରସ୍କାର ହେଉଛି ଉନ୍ନତିର ଚିହ୍ନ, କିନ୍ତୁ ଯେତେବେଳେ ସେଗୁଡ଼ିକ ଅନ୍ୟାୟ ଭାବେ ଦିଆ ଯାଇଥାଏ, ସେଥିରୁ ଜନ୍ମ ନେଇଥାଏ ଏକ ସାମାଜିକ ବ୍ୟାଧି, ଯାହା ଆମ ମୂଲ୍ୟବୋଧ ଓ ମାନବୀୟତାକୁ କ୍ଷତି ପହଞ୍ଚାଏ।
ଉପାଧି ଓ ପୁରସ୍କାର ଏକ ସମୟରେ ବ୍ୟକ୍ତିର କ୍ଷମତା, ଦକ୍ଷତା ଓ ସମର୍ପଣର ପ୍ରତିଫଳକ ଭାବେ ଦିଆଯାଉଥିଲା। କିନ୍ତୁ ଆଜିକାଲି ସେଇ ସମ୍ମାନଗୁଡ଼ିକ ବ୍ୟକ୍ତିଗତ ବୃଦ୍ଧି ଓ ଲାଭର ଉପାୟ ହୋଇପଡ଼ିଛି। ଏହି ପ୍ରକ୍ରିୟା ବିକୃତ ରୂପ ଧାରଣ କରି, ଏକ ବ୍ୟାଧିର ଆକାର ନେଇଛି। ବର୍ତ୍ତମାନ ଯୁଗରେ ଏହି ପୁରସ୍କାର ଓ ଉପାଧି ପ୍ରଥା ଏତେ ଅତିରିକ୍ତ ଓ ଦୂଷିତ ହୋଇଯାଇଛି ଯେ, ଏହାକୁ ନେଇ ଆଲୋଚନା ହେବା ଆବଶ୍ୟକ।
ଆଧୁନିକ ସମୟରେ ଅନେକ ଥର ଦେଖାଯାଉଛି ଯେ, ପୁରସ୍କାର ଦେବା ପଛରେ ନିଜସ୍ୱ ଲାଭ, ରାଜନୈତିକ ଲାଭ କିମ୍ବା ଲୋକଦେଖା ମୂଳକ ବା ନିଜସ୍ବ ବ୍ରାଣ୍ଡ ଗଢିବାରେ ବ୍ୟବହୃତ ହୋଉଛି। ଏହା ଏପରି ଅବସ୍ଥାକୁ ଆଣିଛି ଯେ ଯୋଉମାନଙ୍କର ପ୍ରକୃତ ଦକ୍ଷତା ଅଛି ଓ ସତ୍ୟ ପଥରେ ଯାଉଛନ୍ତି, ସେମାନେ ପଛରେ ପଡ଼ିଯାଉଛନ୍ତି ଓ ଅଯୋଗ୍ୟ ମାନେ ଯୋଉ ମାନେ ଚାପୁଲୁସି କରି ଜାଣିଛନ୍ତି, ବଡ ବଡ କଥା କହି ଭାଷଣ ଦେଇ ପାରୁଛନ୍ତି,ଯାହା ପାଖରେ ପଇସା ଅଛି ସେମାନେ ପୁରସ୍କାର ଓ ଉପାଧୀ ର ଯୋଗ୍ୟ ବିବେଚିତ ହୋଇ ପାରୁଛନ୍ତି। ଉପାଧି ଓ ପୁରସ୍କାର ଏକ ବ୍ୟବସାୟିକ କିଣାବିକା ବେପାର ବନି ଯାଇଛି। ଏହା ଦ୍ୱାରା ଗଠିତ ହେଉଛି ଏକ ଅସ୍ୱାସ୍ଥ୍ୟକର ପରିବେଶ, ଯେଉଁଠି ଲୋକମାନଙ୍କର ମୁଖ୍ୟ ଲକ୍ଷ୍ୟ କାର୍ଯ୍ୟ କରିବା ନୁହେଁ, ବରଂ ପୁରସ୍କାର ପାଇବା ହୋଇଯାଇଛି। ଶିକ୍ଷା, ସାହିତ୍ୟ, ଚିତ୍ରକଳା, ବିଜ୍ଞାନ ଓ ସେବା କ୍ଷେତ୍ରରେ ଯେଉଁଠି ସତ୍ୟତା ଓ ଉନ୍ନତି ଦ୍ୱାରା ଗୋଟିଏ ନୂଆ ଦିଗ ଦେଖାଯାଇଥିଲା, ସେଠାରେ ବର୍ତ୍ତମାନ ନକଲ, ଚାପଲୁସି ଓ ରାଜନୈତିକ ଯୋଗାଯୋଗ ଅନ୍ୟତମ ମାନଦଣ୍ଡ ହୋଇପଡ଼ିଛି।
ଏହି ବ୍ୟାଧି ମାନସିକ ଓ ସାମାଜିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ। ଯେଉଁଠି ଲୋକମାନେ ମନେ କରନ୍ତି ଯେ ପୁରସ୍କାର ନ ମିଳିଲେ ସେମାନେ ଅଯୋଗ୍ୟ, ସେଥିରୁ ଉତ୍ପତ୍ତି ହୁଏ ହତାଶା, ଅସନ୍ତୋଷ ଓ ଏକ ଅନ୍ୟାୟ ବୋଧ।
ଏହି ପ୍ରବୃତ୍ତି ରୋକିବା ପାଇଁ ଦରକାର ସତର୍କ ଚେତନା, ସଠିକ୍ ମାନଦଣ୍ଡ ଓ ନିଷ୍ପକ୍ଷ ନିର୍ବାଚନ ପ୍ରକ୍ରିୟା। ଯେଉଁଠି ଯୋଗ୍ୟତା, କାର୍ଯ୍ୟକୁଶଳତା ଓ ନିଷ୍ଠାକୁ ପ୍ରାଥମିକତା ଦିଆଯିବ। ସତ୍ୟ, ଦକ୍ଷତା ଓ ଯୋଗ୍ୟତା ଆମ ଲକ୍ଷ୍ୟ ହେବା ଉଚିତ୍। ଯେତେବେଳେ ଉପାଧି ଓ ପୁରସ୍କାର ତାଙ୍କର ମୂଲ୍ୟବୋଧ ପୁଣିଥରେ ପ୍ରତିଷ୍ଠା କରିପାରିବ, ସେତେବେଳେ ଏହି ବ୍ୟାଧିର ମୂଳୋତ୍ପାଟନ ହୋଇପାରିବ।
Comments
Post a Comment