ବସନ୍ତ ସରିଲା ବୈଶାଖ ଆସିଲା
ଶୁଭୁନାହିଁ କୁହୁ ତାନ,
ଝାଞ୍ଜି ଚଇତାଳି ଝୁମିଲା ନାଚିଲା
ଅଧୀର ହୋଇଲା ମନ।
ବିଷୁବ ସଂକ୍ରାନ୍ତି ଯେ ପଣା ସଂକ୍ରାନ୍ତି
ଓଡ଼ିଆର ନୁଆ ବର୍ଷ,
ନୁତନ ଉତ୍ସାହେ ନବ ଜାଗରଣେ
ମନେ ଭରିଦିଏ ହର୍ଷ।
ନୁଆ ପାଞ୍ଜିସବୁ ପୂଜା ହୋଇଥାନ୍ତି
ଜଗନ୍ନାଥ ସାଇଁ ପାଶେ,
ଦେବା ଦେବୀ ମାନେ ପଣା ଭୋଗ ଖାଇ
ମଙ୍ଗଳ କରିବା ଆଶେ।
ଭକତ ପ୍ରବର ହନୁମନ୍ତ ଜନ୍ମ
ଶୁଭ ବେଳା ଶୁଭଲଗ୍ନେ,
ରଘୁନାଥ ପ୍ରୀୟ ଭକ୍ତଙ୍କୁ ପୂଜନ୍ତି
ଭକ୍ତିଭାବ ରଖି ମନେ।
ଚଣ୍ଡୀ,ସାରଳା,ବିରଳା ମା'ଙ୍କୁ ପୂଜି
ଦେଖୁଥାନ୍ତି ଝାମୁ ଯାତ,
ଓଡିଆ ସଂସ୍କାରେ ମାତୃ କୃପା ସାର
ମନରେ ପାଞ୍ଚନ୍ତି ହିତ।
ସୂର୍ଯ୍ୟଦେବ ଏବେ ତାପ ବଢାଇବେ
ବିଷୁବ ରେଖାରେ ରହି,
ରୌଦ୍ର ଉତ୍ତାପ ବଢ଼ି ବଢ଼ି ଯିବ
ଅସମ୍ଭାଳ ହେବ ମହୀ।
ଚଉଁରା ଉପରେ ବସୁନ୍ଧରା ଠେକି
ଜତନରେ ବାନ୍ଧିଦେବା,
ତୁଳସୀ ମା'ଙ୍କ ପୂଜାର୍ଚ୍ଚନା କରି
ଠେକି ପାଣି ଭରିଦେବା।
କଦଳୀ,ନଡ଼ିଆ,ବୁଟର ଛତୁଆ
ବେଲ , ଗୁଡ଼ ,ଦହି ପଣା,
ପିଇଲେ ଏହାକୁ ପେଟ ହୁଏ ଥଣ୍ଡା
ଗରମ ନ ପଡେ ଜଣା।
ଦାଣ୍ଡରେ ଛକରେ ଜଳ ରଖିଦେବା
ବୃକ୍ଷରେ ଢାଳିବା ପାଣି,
ଅନ୍ନ ,ଜଳ ଦେଇ ପୂଣ୍ୟ କମେଇବା
ତୋଷ ହେବେ ଯେବେ ପ୍ରାଣୀ।
ସୃଷ୍ଟିର କଲ୍ୟାଣ କାର୍ଯ୍ୟେ ବ୍ରତୀ ହେଲେ
ନିଜର ମଙ୍ଗଳ ହେବ,
ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା
ଦେଶେ ଦେଶେ ଗୁଞ୍ଜରିବ ।
Comments
Post a Comment