*ଅନ୍ତଯାତ୍ରା*
ସମୟ ରେ ଘୋଳି ଯାଏ ମୁହୂର୍ତ୍ତ ର ଛାୟା,
ଅନ୍ଧାର ମଧ୍ୟରେ ଚୁପଚାପ୍ ଚାଲିଥାଏ ଆଲୋକର ଛବି,
ସ୍ମୃତି ଏକ ଅଦୃଶ୍ୟ ରେଶମ ଧାଗା,
ପଛକୁ ଦେଖିଲେ ତ ଦେଖିବାକୁ ମିଳେ
କେବଳ ଧୂଳି , ଅଦୃଶ୍ୟ ପାଦ ଚିହ୍ନ
ସ୍ମୃତି ଓ ଭବିଷ୍ୟତ ଲୁଚିଯାଏ ଏହି ଅଳିକ ଯାତ୍ରାରେ
ଯାତ୍ରା ଏଠି ଶବ୍ଦ ନୁହେଁ, ଏକ ଅବିରାମ ଧାରା
ଯାତ୍ରା ହେଉଛି ପ୍ରତି ଶ୍ବାସରେ ଲିପିବଦ୍ଧ କବିତା,
ଏକ ଅନୁଭବ ଯାହା ଜନ୍ମ ଓ ମୃତ୍ୟୁ
କେବଳ ଦୁଇଟି ବିନ୍ଦୁ ମଧ୍ୟରେ
ଲୁଚି ଯାଉଥିବା ଏକ ଅନୁଭୂତି
ଜୀବନ ତଳେ ଗୁଞ୍ଜିଥିବା ଗଭୀର ଶବ୍ଦ ରେଖା,
ଯାତ୍ରା — ଏକ ଅନ୍ତର୍ମୁଖୀ ସୂତ୍ର,
ଏକ ଶୂନ୍ୟତା ଯାହା ଭରିଯାଏ ଅପ୍ରତ୍ୟାଶିତ ଅର୍ଥରେ
ପଦ ଚିହ୍ନ ନାହିଁ, କିନ୍ତୁ ଚାଲିଥାଏ ଅସ୍ତିତ୍ୱ,
କେବେ ଆଲୋକ ଦିଗ୍ ବିଜୟୀ,
କେବେ ଅନ୍ଧାର ଆତ୍ମବିଲୋପୀ,
ଏକ ଶୂନ୍ୟରେ ଗଢ଼ା ଆକାଶ
ଯେଉଁଠି ଉଡ଼ୁଥାଏ ଚିନ୍ତା ର ପକ୍ଷୀ
ଅନ୍ତରାତ୍ମାର ଏକ ଅନନ୍ତ ସଂଳାପ,
ଯେଉଁଠି ସମୟ ଲେଖେ
ତାଳପତ୍ର ଉପରେ ଆଲୋକର ଅକ୍ଷର
ଯାତ୍ରା – ଜଣେ ଅନନ୍ତ ଯାତ୍ରୀର ଅନ୍ତଃକଥା,
ଯେଉଁଥିରେ ଗନ୍ତବ୍ୟ କେବଳ ଏକ ଭ୍ରମ।
Minakshi Dwivedy
୭୯୭୮୦୮୨୮୩୪
Comments
Post a Comment