ଶୂନ୍ୟ ଓ ସୃଷ୍ଟି ମଧ୍ୟରେ ବସୁମତୀ
ବସୁମତୀ ....ତୁମେ ଏକ ଅଟଳ ରହସ୍ୟ,
ଯେଉଁଥିରେ ଚିତ୍ତ ବିଲିନ ହୁଏ ମୌନ ଧ୍ୟାନ ଭିତରେ,
ତୁମେ ଏକ ଶାନ୍ତ ମାତୃ ମୁଖ,
ଅଗଣିତ ପ୍ରାଣୀ ଙ୍କୁ ଅଂଶେ ଧରି
ରଖିଥିବା ଏକ ଅଦୃଶ୍ୟ ଶକ୍ତି।
ତୁମ ଅନନ୍ତ ଗହ୍ବରେ ଆତ୍ମା ତା’ର ମୂଳ ପଥ ଖୋଜେ,
ତୁମେ ଦେଉଥାଅ ତଥାପି ମାଗନାହିଁ କିଛି
ତୁମର ଅଂଗରେ ଦାନା ଅଂକୁରିତ ହୁଏ,
ତୁମ ପ୍ରେମ ଅନୁଭବ ଅନ୍ତଃକରଣରେ ଫୁଟି ଉଠେ
ତୁମ ଗଭୀର ଅନ୍ତଃସ୍ଥଳରେ
ତାପ, ପ୍ରେମ, ତ୍ରାସ, ଶକ୍ତି ଓ ଶାନ୍ତି
ଏକା ସାଥେ ନାଚୁଥାନ୍ତି,
ତୁମେ କେବଳ ମାଟି ନୁହେଁ,
ମାଟିର ଗର୍ଭରେ ଲୁଚିଥିବା ଏକ ଗାଥା,
ତୁମେ ହେଉଛ ସତ୍ୟର ମୂଳ ତତ୍ତ୍ୱ,
ତୁମର ଅସ୍ତିତ୍ବ ଶିଖାଏ
ସ୍ଥିରତା ହେଉଛି କେବଳ ଅସ୍ଥିରତାର ମାୟା
ତୁମେ ଚିରନିଦ୍ରା ମଧ୍ୟରୁ ଜାଗିଛ,
ଉତ୍ସବ ଓ ଦୁଃଖର ନିରବ ସାକ୍ଷୀ ହେଇ
ତୁମେ ସବୁ ନିହାର କରୁଛ,
ସ୍ନାନ କରୁଛ ଝଡ଼ ଏବଂ ଜ୍ୱାଳାର ଅଂଗୁଳି ତଳେ,
ତୁମର ଛାତି ଉପରେ ଅଣଗୁଳିର ଧ୍ୱନି
ଦ୍ୱନ୍ଦ୍ୱ ଓ ଦୟାର ଏକ ଅଶାନ୍ତ ଲୀଳା
ତୁମେ ଧରିଥିବା ସମସ୍ତ ଜନ୍ମ ଓ ମୃତ୍ୟୁ,ସୃଷ୍ଟି ଓ ବିନାଶ
ଏହି ଦୁଇ ଧାରା ମଧ୍ୟରେ ତୁମେ ହେଉଛ ଶୂନ୍ୟର ଶୁନ୍ୟ
ଯେଉଁଠାରୁ ତତ୍ତ୍ୱ ଜନ୍ମ ନେଇଥାଏ,
ସେଇଠି ତ୍ରାଣ ଯାତ୍ରାରେ ନିର୍ବାଣ ଖୋଜୁଥିବା
ଅବିନାଶୀ ଆତ୍ମା ନିଜ ପଦଚିହ୍ନ ଛାଡ଼ିଯାଏ।
Comments
Post a Comment