ଅସ୍ତିତ୍ୱର ଅଗ୍ନି — କୃଷ୍ଣଚୂଡ଼ା
କୃଷ୍ଣଚୂଡ଼ା ତୁମେ କେବଳ ଫୁଲ ନୁହେଁ
ତୁମେ ଗୋଟିଏ ଅଭିଜ୍ଞତା, ଗୋଟିଏ ଜ୍ୱଳନ
ତୁମେ ଏକ ପ୍ରଶ୍ନ,ତୁମେ ହିଁ ଉତ୍ତର
ଶୁଷ୍କ ଗଛ ମାନେ ଯେଉଁଠି ହରାନ୍ତି ସତ୍ତା,
ସେଇଠି ତୁମେ ଅଗ୍ନିକୁସୁମ ହୋଇ ଫୁଟିଯାଅ
ତୁମ ଲାଲ ରଙ୍ଗ ଏକ ରଙ୍ଗ ନୁହଁ,
ଗଛର ଶବଦ ଭିତରେ ଲୁଚିଥିବା ଗୀତ
ତୁମ ରଙ୍ଗରେ ପ୍ରକାଶ ପାଏ ଅସ୍ତିତ୍ୱର ଦାହ,
ସମୟର ଅଭିକଳ୍ପ ଭିତରେ ଏକ ନିର୍ବାପିତ ନୀତି
କ’ଣ ତୁମେ ତାରୁଣ୍ୟର ପ୍ରତିକ?
କି ଅସ୍ଥିର ଆତ୍ମାର ବିପ୍ଳବ?
କିମ୍ବା ଏକ ଦୃଢ଼ ଦୃଢ଼ ସୂଚନା...
ତଳ ମାଟିରେ ଘେରା ଧୂଳି,
ଆକାଶରେ ଉଜାଗର ଆଲୋକ
ସେ ମଧ୍ୟରେ ହସ ତୁମ "କୃଷ୍ଣଚୂଡ଼ା"
ଜଣେ ନିର୍ମୋହ ସନ୍ନ୍ୟାସୀ ପରି,
ନିରବ ଧରାର ମନ୍ଦ ଆନ୍ଦୋଳନ ଭଳି
ତୁମ ହସ ହେଉଛି ପ୍ରାକୃତିକ
ସତ୍ୟର ଶୁଭ୍ର ଅଭିବ୍ୟକ୍ତି
କୃଷ୍ଣଚୂଡ଼ା ଦେଖି, ମନ କୁହେ...
“ମୁଁ କାହିଁକି ଏପରି ହସିପାରୁନି?”
ଏହି ଫୁଲ ଏକ ପ୍ରତିବିମ୍ବ,
ଯେଉଁଥିରେ ଅମୂର୍ତ୍ତ ଅନୁଭୂତିର ରୂପ ମିଳେ
ଅସ୍ତିତ୍ୱରେ ଦେଖେ ସୌନ୍ଦର୍ଯ୍ୟର ଧ୍ୱନି,
ସୃଷ୍ଟିର ଏକ ଅଦ୍ୱିତୀୟ ଚିତ୍ର ହେଉଛ ତୁମେ,
ତୁମ ଭିତରେ ଲୁଚିଛି ଏକ ଅଦୃଶ୍ୟ କବିତା
ତୁମେ ଜନ୍ମିଛ, ଯେପରି ଚେତନା ଜନ୍ମିଥାଏ,
ନିରବ ଚିନ୍ତାର ଗଭୀର ଅନ୍ତରାଳରୁ
ଏକ ମୁହୂର୍ତ୍ତରେ ଯେଉଁଠି
ଆଲୋକ ଓ ଅନ୍ଧକାରର ସମ୍ମିଳନ ହୁଏ
ସେଇଠି ଛାଇଯାଏ ଲାଲିମା,
ଜନ୍ମ ନିଏ କୃଷ୍ଣଚୂଡା।
Comments
Post a Comment