(ଆସ୍ଥାରେ ଆଲୋକ)
ଆସ୍ଥା ଅଦୃଶ୍ୟ ହେଉଥିଲେ ମଧ୍ୟ ଅନୁଭବି
ଏକ ଅନ୍ଧ ଆଖିର ଦୃଷ୍ଟି,
ଏକ ଅନ୍ତଃକଣ୍ଠର ଶବ୍ଦ,
ଏହା ଏକ ତତ୍ତ୍ୱ ଯେଉଁଥିରେ ଅନ୍ତର୍ଜ୍ଞାନ ଓ ବିଶ୍ୱାସ
ମିଶିଯାଆନ୍ତି ଅବିଚ୍ଛିନ୍ନ ଝରଣା ଭଳି।
ମନୁଷ୍ୟ ତ ଅନିଶ୍ଚିତତାର ପୁତୁଳି,
ପ୍ରତି ପଦକ୍ଷେପ ଅଜଣା ଶୂନ୍ୟ ପଥ
ତଥାପି ସେ ଚାଲେ, କାହିଁକି ନା..ସେ ଜାଣେ
ଆସ୍ଥା ନାମକ ଅନ୍ତଃଶକ୍ତି
ରହିଛି ଅସ୍ତିତ୍ୱର ମୂଳରେ,
ଆସ୍ଥା କେବଳ ଧର୍ମର ଭିତି ନୁହେଁ,
ଏହା ହେଉଛି ତତ୍ତ୍ୱର ଉତ୍ସ,
ଯେଉଁଠି ଯୁକ୍ତି ଥମିଯାଏ,
ସେଠାରେ ଆସ୍ଥା ଆଗକୁ ବଢ଼େ।
ଏହା ଅନ୍ତର ଆଲୋକ,
ଯାହା ଅନ୍ଧାରରେ ମଧ୍ୟ ଦିଗ ଦେଖାଏ।
ଏହା ଜୀବନର ଗୁହ୍ୟ ସୂତ୍ର
“ଦେଖି ପରେ ବିଶ୍ୱାସ କରିବା ନୁହେଁ,
ବିଶ୍ୱାସ କରି ପରେ ଦେଖିବା।”
ଚିତ୍କାର ମଧ୍ୟରେ ଶାନ୍ତି ଖୋଜିବା,
ବିଭ୍ରାନ୍ତି ମଧ୍ୟରେ ପଥ ଚିହ୍ନଟ କରିବା,
ଭଙ୍ଗୁର ଅସ୍ଥିରତା ମଧ୍ୟରେ ଥାଏ ଯେଉଁ ଶକ୍ତି,
ନିଜ ଉପରେ ଥିବା ଏକ ଦୃଢ ଆଶ୍ରୟ,
ପତନ ମଧ୍ୟରୁ ଉଠିବା ଜନ୍ମ ଶକ୍ତି,
ସେଇ ହେଉଛି ଆସ୍ଥା
ଅନ୍ତଃକରଣର ଶୁଭ ସୃଷ୍ଟି।
ମିନାକ୍ଷୀ ଦ୍ବିବେଦୀ
7978082834
ଗୁରୁ ଗ୍ରାମ
Comments
Post a Comment