****ମାତୃ ଦୁଧ ଜୀବନର ପ୍ରଥମ ଔଷଧ****
ସୁସ୍ଥ ଜୀବନ ପାଇଁ ପ୍ରଥମ ସୋପାନ: ସ୍ତନ୍ୟପାନ
WHO, UNICEF ଏବଂ ଅନେକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ନାଗରିକ ସାମାଜିକ ସଂଗଠନଙ୍କ ଦ୍ୱାରା ସମର୍ଥିତ, ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଶିଶୁ ସ୍ୱାସ୍ଥ୍ୟ ଏବଂ ବଞ୍ଚିବା ସୁନିଶ୍ଚିତ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ମଧ୍ୟରୁ ସ୍ତନ୍ୟପାନ ହେଉଛି ଗୋଟିଏ ।ବର୍ତ୍ତମାନ 6 ମାସରୁ କମ୍ ବୟସର ଅଧାରୁ କମ୍ ଶିଶୁ କେବଳ ସ୍ତନ୍ୟପାନ କରୁଛନ୍ତି। ୧୯୯୨ ମସିହାରେ World Alliance for Breastfeeding Action(WABA)ଦ୍ୱାରା ପ୍ରଥମେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ୧୨୦ରୁ ଅଧିକ ଦେଶରେ ୟୁନିସେଫ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସେମାନଙ୍କର ଅଂଶୀଦାରମାନେ ତଥା ବିଭିନ୍ନ ସଂଗଠନଦ୍ୱାରା ପାଳନ କରାଯାଇଛି । ଏକ ବିଶ୍ୱସ୍ତରୀୟ ସ୍ତନ୍ୟପାନ ସଂସ୍କୃତିର ପୁନଃପ୍ରତିଷ୍ଠା କରିବା ଏବଂ ପ୍ରତ୍ୟେକ ସ୍ଥାନରେ ସ୍ତନ୍ୟପାନ କରାଇବା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ WABA ନାମକ ସଂଗଠନ ୧୪ ଫେବୃଆରୀ ୧୯୯୧ରେ ଗଠିତ ହୋଇଛି। 2018 ରେ, ଏକ ବିଶ୍ୱ ସ୍ୱାସ୍ଥ୍ୟ ସଭା ପ୍ରସ୍ତାବ ବିଶ୍ୱ ସ୍ତନ୍ୟପାନ ସପ୍ତାହକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ରଣନୀତି ଭାବରେ ଅନୁମୋଦନ କରିଥିଲା। ପ୍ରତିବର୍ଷ ଏକ ଭିନ୍ନ ବିଷୟବସ୍ତୁ ସହିତ, ଏହା ମହିଳାମାନଙ୍କୁ ସ୍ତନ୍ୟପାନ କରାଇବାରେ ସାହାଯ୍ୟ କରୁଥିବା ସକ୍ଷମ ପରିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି।
ଏଥିଓପିଆ, ବଙ୍ଗ୍ଲାଦେଶ, ନେପାଳ ଆଦି ଦେଶରେ exclusive breastfeeding ହାର 60-70% ରୁ ଅଧିକ ଅଟେ। ଯୁକ୍ତ ରାଷ୍ଟ୍ର, ଯୁକ୍ତ ରାଜ୍ୟ, ଅଷ୍ଟ୍ରେଲିଆ ଭଳି ଦେଶରେ ଏହି ହାର 25%-40% ମଧ୍ୟରେ ଅଟେ।
ସ୍ତନ୍ୟପାନ ସମ୍ପର୍କୀୟ ମୁଖ୍ୟ ହାର (Breastfeeding Rates ଭାରତରେ
1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ 42.6%
0-6 ମାସ ବୟସରେ କେବଳ ସ୍ତନ୍ୟପାନ (Exclusive breastfeeding) 63.7%
WHO ଓ UNICEF ର ଲକ୍ଷ୍ୟ ହେଉଛି 2030 ସୁଦ୍ଧା 6 ମାସରେ 70% ରୁ ଅଧିକ ଶିଶୁ ପାଇଁ କେବଳ ସ୍ତନ୍ୟପାନ ହାର ପହଞ୍ଚିବା ଦରକାର।
ତେଣୁ ସ୍ତନ୍ୟପାନ ଜନସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଏହି ହାର ବଢ଼ାଯିବାର ଆଶା ଅଛି।
କୁହାଯାଏ ମା’ କ୍ଷୀର ଅମୃତ ସମାନ । ଏହା ନବଜାତ ଶିଶୁକୁ କରିଥାଏ ବଳିଷ୍ଠ ।ସ୍ତନ୍ୟପାନ ଶିଶୁ ପାଇଁ କେବଳ ପୋଷଣ ନୁହେଁ ବରଂ ଏହା ତାଙ୍କ ଶାରୀରିକ, ବୈକଳ୍ପିକ ଏବଂ ଭାବନାତ୍ମକ ବିକାଶ ପାଇଁ ଏକ ମୂଳ ଆଧାର। ଶିଶୁ ଜନ୍ମ ପରେ ତାଙ୍କର ଶାରୀରିକ ସହିତ ମାନସିକ ବିକାଶ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରେ। ଏହି ଅବଧିରେ ଶିଶୁଙ୍କର ଦେଖିବା, ଶୁଣିବା, ଅନୁଭବ କରିବା ଓ ଅନୁସରଣ କରିବା ମାଧ୍ୟମରେ ଜଗତ ସହିତ ନୂଆ ସମ୍ପର୍କ ଗଢ଼ି ଉଠେ। ଏହି ପରିବେଶର ମୁଖ୍ୟ ଅଂଶ ହେଉଛି ସ୍ତନ୍ୟପାନ, ଯାହା କେବଳ ଶାରୀରିକ ପୋଷଣ ନୁହେଁ, ବରଂ ମାନସିକ ବିକାଶ ପାଇଁ ମୂଳ ଅଂଶ ଅତୁଟ ଭାବରେ ଜଡିତ।ଏହା ଜନନ ପରେ ଶିଶୁ ଓ ମା'ର ମଧ୍ୟରେ ଏକ ଗଭୀର ସମ୍ପର୍କ ଗଠନ କରେ।
ଆଉ ସମସ୍ତ ରୋଗକୁ ପ୍ରତିହତ କରେ ମା’ କ୍ଷୀର ।
ସ୍ତନ୍ୟପାନ ସମୟରେ ଶିଶୁ ଓ ମା'ର ମଧ୍ୟରେ ଗଢ଼ି ଉଠୁଥିବା ଭାବନା (attachment) ଶିଶୁର ମନୋବୃତ୍ତିକୁ ଶାନ୍ତ କରିଥାଏ। ଏହି ସମ୍ପର୍କ ଶିଶୁର ଆତ୍ମବିଶ୍ୱାସ ବଢ଼ାଏ ଓ ଜୀବନର ଆଗାମୀ ମାନସିକ ସ୍ଥିତି ପାଇଁ ଆଧାର ତିଆରି କରେ।
ମା'ର ଦୁଧରେ ଥିବା DHA (Docosahexaenoic acid) ଓ ARA (Arachidonic acid) ଦୁଇଟି ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଅତୁଟ ଭାବରେ ଶିଶୁର ମଗଜ ଓ ଦୃଷ୍ଟି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏହାର ଫଳରେ ଶିଶୁର ଧ୍ୟାନ, ଶିକ୍ଷା ଗ୍ରହଣ କ୍ଷମତା ଓ ଦୂରଦୃଷ୍ଟି ଶକ୍ତି ଉନ୍ନତ ହୁଏ।
ସ୍ତନ୍ୟଦୁଧ ଶିଶୁ ପାଇଁ ପ୍ରାକୃତିକ ଆହାର। ଏଥିରେ ପ୍ରୋଟିନ୍, ଫ୍ୟାଟ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ଜଳ ଠିକ୍ ଅନୁପାତରେ ରହିଥାଏ। ମା'ର ସ୍ତନ୍ୟଦୁଧରେ ଥିବା ପ୍ରାକୃତିକ ଏଣ୍ଟିବଡି ଶିଶୁଙ୍କୁ ବିଭିନ୍ନ ରୋଗ (ଆନିମିୟା, ଡାଇରିଆ, ନିମୋନିଆ, ଇନଫେକ୍ସନ୍) ଠାରୁ ସୁରକ୍ଷିତ ରଖିଥାଏ। ଆମେରିକା ୱଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଷ୍ଟିଭନ ଟାଉନସେଣ୍ଡଙ୍କ କହିବା ମୁତାବକ, ମା’ କ୍ଷୀରରେ ମିଳୁଥିବା କାର୍ବୋହାଇଡ୍ରେଟ୍ ଆଣ୍ଟିବ୍ୟାକ୍ଟେରିଆ ଭଳି କାମ କରିଥାଏ । ଅନ୍ୟ ଆଣ୍ଟିବାୟୋଟିକରେ ଥିବା ଟକ୍ସିନ ଭଳି ଉପାଦାନ ମା’ କ୍ଷୀରରେ ନ ଥାଏ । ଫଳରେ ଏହା ନବଜାତ ଶିଶୁଙ୍କୁ କେତେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି ଟାଉନସେଣ୍ଡ କହିଛନ୍ତି ।
ସ୍ତନ୍ୟପାନ ଦ୍ୱାରା ବଢ଼ିଥିବା Oxytocin ହର୍ମୋନ୍ ଶିଶୁଙ୍କ ଭିତରେ ଭଲ ଭାବନା, ଦୟା, ଏବଂ ଭରସା ବିକାଶ କରେ। ଏହି ଶିଶୁମାନେ ବଡ଼ ହେବା ପରେ ଡିପ୍ରେସନ୍, ଆତ୍ମବିଶ୍ୱାସ ଅଭାବ ଓ ଆକ୍ରୋଶ ଦୁର୍ବଳତା ରେ କମ୍ ପ୍ରଭାବିତ ହୁଅନ୍ତି।ଗବେଷଣା ଅନୁଯାୟୀ, ଯେଉଁ ଶିଶୁ ୬ ମାସ କିମ୍ବା ତାଠାରୁ ଅଧିକ ସ୍ତନ୍ୟପାନ କରିଛନ୍ତି, ସେମାନଙ୍କର IQ (Intelligence Quotient) ଅନ୍ୟମାନଙ୍କ ତୁଳନାରେ ଅଧିକ ରହିଛି।ବ୍ରାଜିଲର ୩୫୦୦ ଜଣ ଅଭିବାବକ ଓ ଶିଶୁ ଉପରେ କରାଯାଇଥିବା ଗବେଷଣା ଦେଖାଇଥିଲା ଯେ ଯେଉଁ ଶିଶୁ ସ୍ନାନ୍ୟପାନ ଅଧିକ କାଳ କରିଛନ୍ତି, ସେମାନଙ୍କର IQ ଏବଂ ବୃତ୍ତିଗତ ସଫଳତା ଅଧିକ ଥିଲା।
ଗବେଷଣା ଅନୁଯାୟୀ, ଯେଉଁ ଶିଶୁ ଗଭୀର ଭାବରେ ସ୍ତନ୍ୟପାନ କରନ୍ତି, ସେମାନେ ବଡ଼ ହେବା ପରେ ଅନ୍ୟମାନେ ତୁଳନାରେ ଅନେକ କମ୍ ମାନସିକ ଅସୁସ୍ଥତା, ମନଦୁଃଖ ବା ଡିପ୍ରେସନ୍ରେ ପୀଡ଼ିତ ହୁଅନ୍ତି ନାହିଁ। ସ୍ତନ୍ୟପାନ ଶିଶୁକୁ ସମ୍ବେଦନଶୀଳ ଓ ସାମାଜିକ ବ୍ୟବହାର ଶିଖାଏ। ମା'ର ଦୃଷ୍ଟି ଓ ଅନୁଭୂତି ରେ ଥିବା ଶିଶୁ ବ୍ୟବହାରିକ ଦୃଷ୍ଟିକୋଣରୁ ଅନେକ ସଚେତନ ଓ ଉତ୍ତରଦାୟୀ ବ୍ୟକ୍ତି ହିସାବରେ ବଢ଼ିଉଠନ୍ତି।
WHO (World Health Organization) ଓ UNICEF ଅନୁସାରେ ଜନ୍ମର ୬ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ। ୬ ମାସ ପର୍ଯ୍ୟନ୍ତ ସ୍ୱଚ୍ଛ ଭାବେ କେବଳ ସ୍ତନ୍ୟପାନ (exclusive breastfeeding) କରାଇବା ଉଚିତ। ୬ ମାସ ପରେ ସହାୟକ ଆହାର ସହିତ ସ୍ତନ୍ୟପାନ ଅବ୍ୟହତ ରଖିବା ଓ ୨ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରାଯାଏ।
ଏହା କେବଳ ଶିଶୁ ପାଇଁ ଲାଭକାରୀ ନୁହେଁ, ମା’ଙ୍କୁ ମଧ୍ୟ ଶାରୀରିକ ଓ ମାନସିକ ଲାଭ ମିଳେ। ଏହା ମା’ଙ୍କ ଶରୀରରେ ଅକ୍ସିଟୋସିନ୍ ହର୍ମୋନ୍ ବଢ଼ାଇ ଥାଏ, ଯାହା ରକ୍ତସ୍ରାବ ନିୟନ୍ତ୍ରଣ କରିବା ସହିତ ମନ ଶାନ୍ତ କରେ। ଏହା ମା’ଙ୍କୁ ଅନେକ ପ୍ରକାର କ୍ୟାନ୍ସର ଠାରୁ ରକ୍ଷା କରିଥାଏ ଓ ଓଜନ କମାଇବାରେ ସହଯୋଗ କରେ।
ଏବେ ଆଧୁନିକ ଜୀବନଶୈଳୀ, ଚାକିରି ଜୀବନ, ମାନସିକ ଚାପ ଓ ବିକଳ୍ପ ଶିଶୁ ଖାଦ୍ୟର ଅଧିକ ପ୍ରଚାର ଦ୍ୱାରା ଅନେକ ମହିଳା ସ୍ତନ୍ୟପାନ କରୁନାହାନ୍ତି। ଏହା ଶିଶୁ ଓ ମା’ଙ୍କ ପାଇଁ ଦୁଃଖଦ ଅବସ୍ଥା ସୃଷ୍ଟି କରୁଛି। ସେଥିପାଇଁ ସଚେତନତା ବୃଦ୍ଧି ଓ ସମ୍ପ୍ରେରଣା ଦରକାର। ବର୍ତ୍ତମାନ ଅନେକ ମହିଳା ଉଚ୍ଚ ଶିକ୍ଷିତ ଓ ରୋଜଗାରକ୍ଷମ ଭାବେ ଅଫିସ କାମରେ ନିୟୋଜିତ। ତେଣୁ ବ୍ରେଷ୍ଟଫିଡିଂ ପାଇଁ ଦରକାରି ସମୟ ଓ ସୁବିଧା ଅନେକ କ୍ଷେତ୍ରରେ ଉପଲବ୍ଧ ହୋଇ ପାରୁ ନଥିବାରୁ ସେମାନେ ବିକଳ୍ପ ପନ୍ଥା ଦେଖନ୍ତି ଯେମିତିକି ଫର୍ମୁଲା ଦୁଧ, ବୋତଲ ଫିଡିଂ।
କେତେକ ସାମାଜିକ ପରିବେଶରେ ସ୍ତନ୍ୟପାନକୁ ମଧ୍ୟ ଏକ "ଲଜ୍ଜା" ବା ଅସୁବିଧାଜନକ କାମ ଭାବରେ ଦେଖାଯାଏ।
ଲୋକଙ୍କ ମାନସିକତା ଓ ନାରୀ ସ୍ୱାଧୀନତା ସମ୍ପର୍କିତ ତ୍ରୁଟିପୂର୍ଣ୍ଣ ଧାରଣା ଏହାକୁ ଅନୁତ୍ସାହିତ କରେ।
କେତେକ ମହିଳାଙ୍କ ମଧ୍ୟରେ ଏହି ଭୟ ଥାଏ ଯେ ସ୍ତନ୍ୟପାନ ଦ୍ୱାରା ତାଙ୍କର ଶରୀର ଆକୃତି ବିକୃତ ହୋଇପାରେ।
ଫ୍ୟାସନ୍ ଅନୁଗତ ଶରୀର ରକ୍ଷା କରିବାର ଆକାଂକ୍ଷା ମଧ୍ୟ ଏଥିରେ ଭୂମିକା ନିଭାଇଥାଏ।
ସ୍ତନ୍ୟପାନ ଏକ ଶିଶୁର ପ୍ରଥମ ଅଧିକାର ଏବଂ ମା ପାଇଁ ଗର୍ବର କାରଣ। ଆଧୁନିକ ଜୀବନଶୈଳୀ ଓ ସାମାଜିକ ପ୍ରବୃତ୍ତି ଏଥିରେ ଅନେକ ଅଂଶରେ ବାଧା ସୃଷ୍ଟି କରୁଛି। ତେଣୁ ସମାଜର ଏକ ଜଣେ ସଚେତନ ନାଗରିକ ଭାବରେ ଆମେ ମହିଳାମାନଙ୍କ ପାଇଁ ଏହି ବିଷୟରେ ଶିକ୍ଷା, ପ୍ରୋତ୍ସାହନ ଓ ସୁବିଧା ଯୋଗାଇବାକୁ ଉଦ୍ୟମୀ ହେବା ଦରକାର।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment