ଗୁରୁ :-- “ଆତ୍ମାରେ ଅନୁଭବର ଉଦୟ”
ମଣିଷ ଜୀବନରେ ଗୁରୁଙ୍କ ସ୍ଥାନ ସାଧାରଣ ନୁହେଁ, ସେମାନେ ପଥ ପ୍ରଦର୍ଶକ, ଜ୍ଞାନ ଦାତା ଏବଂ ଆଦର୍ଶ ନିର୍ମାତା। ପ୍ରାଚୀନ କାଳରୁ “ଗୁରୁ” ଶବ୍ଦଟିକୁ ଆଲୋକ ଓ ଜ୍ଞାନର ପ୍ରତୀକ ଭାବରେ ଦେଖା ଯାଇଥାଏ। “ଗୁ”ର ଅର୍ଥ ଅନ୍ଧକାର, “ରୁ”ର ଅର୍ଥ ଆଲୋକ। ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହା ଯାଇଥାଏ । ଏହି ମତେ ପ୍ରଥମ ଗୁରୁ ମାତା, ପିତା ଅଟନ୍ତି ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନରେ ଅନେକ ଗୁରୁ ଅଛନ୍ତି। ଗୁରୁଙ୍କୁ ଯଥାର୍ଥରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସମନ୍ଵୟ ବୋଲି ଜ୍ଞାନ କରାଯାଏ। କାରଣ ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଏବଂ ମହେଶ୍ୱର ସଂହାର କର୍ତ୍ତା ବୋଲି ବିଶ୍ୱାସ କରାଯାଏ। ଠିକ୍ ସେହିପରି ଗୁରୁଶକ୍ତି ଜୀବମାନଙ୍କ ମଧ୍ୟରେ ଥିବା କୁସଂସ୍କାରକୁ ଦୂର କରି ପାପ, ତାପ, ଶାପକୁ ନିଜର ଅଲୌକିକ ଦିବ୍ୟ ଶକ୍ତି ଦ୍ୱାରା ଶିଷ୍ୟଠାରୁ ହରଣ କରାଇ ସତ୍ ଚେତନା ଓ ଦିବ୍ୟ ଗୁଣାବଳୀରେ ଗଢ଼ି ତୋଳିଥାନ୍ତି।ଗୁରୁ ମଧ୍ୟ ବିରାଟ ଏବଂ ମହାନ ବ୍ୟକ୍ତିତ୍ୱକୁ ବୁଝାଇଥାଏ । ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁକୃପାଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରଯାଇଥାଏ । ପୁରାଣମତେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ । ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରେ ଜ୍ଞାନର ଆଲୋକ ପ୍ରଦାନ କରି ଆମ ଜୀବନକୁ ସୁନ୍ଦର କରି ଗଢ଼ି ତୋଳନ୍ତି । କେବଳ ଯିଏ ଆମକୁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଅନ୍ତି, ସେମାନେ ଖାଲି ଆମର ଗୁରୁ ନୁହନ୍ତି । ଆମ ଜୀବନରେ ଆମେ ଯାହାଠାରୁ କିଛି ବି ଶିକ୍ଷାଲାଭ କରିଥାଉ, ଏମିତିକି ସେ ବୟସରେ ଛୋଟ ହେଲେ ମଧ୍ୟ ସେ ଆମର ଗୁରୁ । ଗୁରୁଦିବସରେ ହିଁ କେବଳ ଗୁରୁଙ୍କୁ ପୂଜା କରାଯାଏନି ବରଂ ସବୁଦିନେ ହୃଦୟର ଏହି ମନ୍ଦିରରେ ଗୁରୁଙ୍କୁ ପୂଜା କରାଯାଇଥାଏ। ଗୁରୁଙ୍କ ବିନା ଏହି ସମାଜ ଚାଲିପାରିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଆମକୁ କାହାଠାରୁ କିଛି ନା କିଛି ଶିକ୍ଷାଲାଭ କରିବାକୁ ପଡ଼ିଥାଏ । ଆଜିକାଲିର ସମାଜ ଯେମିତିକି ଅନ୍ଧାରି ସମାଜ ଭାବେ ପରିଚିତ,ନୈତିକ ମୂଲ୍ୟର ଅଭାବ,ଶିଶୁ ଓ ଯୁବ ପିଢ଼ିରେ ଅନୁଶାସନ ହ୍ରାସ,ପ୍ରତିସ୍ପର୍ଦ୍ଧା ଓ ଲୋଭର ଭାରି ପ୍ରଭାବ,ବିଜ୍ଞାନୀୟ ଉନ୍ନତି ସହିତ ମାନବତାର ଅବହେଳା,ପାରମ୍ପରିକ ଆଦର୍ଶରୁ ଦୂରତା।
ଏପରି ପରିସ୍ଥିତିରେ ଗୁରୁଙ୍କ ଆବଶ୍ୟକତା ଆମ ସମାଜ ପାଇଁ ଅଧିକ ଅନୁଭବ କରାଯାଉଛି।
ଶିକ୍ଷା କେବଳ ଚାକିରି ପାଇଁ ନୁହେଁ, ଜୀବନକୁ ସୁନ୍ଦର କରିବା ପାଇଁ ଗୁରୁ ଜୀବନର ଗୁପ୍ତ ପଥ, ସଠିକ ଦିଗ, ଓ ସଫଳତାର ମୂଳମନ୍ତ୍ର ପ୍ରଦାନ କରନ୍ତି। ମାନବ ସମ୍ପୂର୍ଣ୍ଣତା କେବଳ ବୈଷୟିକ ସଫଳତାରେ ନୁହେଁ, ଆତ୍ମଶାନ୍ତିରେ ମଧ୍ୟ ଦରକାର ହୁଏ।
ପ୍ରତ୍ୟେକ କ୍ଷେତ୍ରରେ ଆମକୁ କାହାଠାରୁ କିଛି ନା କିଛି ଶିକ୍ଷାଲାଭ କରିବାକୁ ପଡ଼ିଥାଏ । ଜୀବନରେ ଆମେ ଯେତେ ଆଗକୁ ଆଗକୁ ବଢିବା ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଅନେକ ଗୁରୁଙ୍କ ଠାରୁ ବହୁତ କିଛି ଶିକ୍ଷା କରିବାକୁ ପଡ଼ିଥାଏ ।
ସ୍ୱାମୀ ବିବେକାନନ୍ଦ ନିଜ ଗୁରୁ ଶ୍ରୀ ରାମକୃଷ୍ଣଙ୍କୁ ଅନୁସରଣ କରି, ସମ୍ପୂର୍ଣ୍ଣ ଜୀବନକୁ ଆଧ୍ୟାତ୍ମିକ ଓ ସାମାଜିକ ସେବାରେ ବ୍ୟୟ କରିଥିଲେ।
ଚାଣକ୍ୟ ତାଙ୍କର ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଦିଗ୍ଦର୍ଶନ କରି, ଭାରତରେ ବିଶାଳ ସାମ୍ରାଜ୍ୟ ଗଠନ କରାଇଥିଲେ।
ସକ୍ରେଟିସ ତାଙ୍କ ଶିଷ୍ୟ ପ୍ଲାଟୋ, ପରେ ଆରିଷ୍ଟଟଲ୍—ପୂରା ବିଶ୍ୱର ଦାର୍ଶନିକ ଚିନ୍ତାଧାରାକୁ ପରିବର୍ତ୍ତନ କରିଥିଲେ।
ଓଡ଼ିଶାର ମଧୁସୂଦନ ଦାସ “ଉତ୍କଳଗୌରବ” ଭାବେ ପରିଚିତ, ଗୁରୁଙ୍କ ପ୍ରେରଣାରେ ନିଜକୁ ସମାଜସେବା ଓ ଜାତି ଗଠନରେ ନିୟୋଜନ କରିଥିଲେ।
ମହାତ୍ମା ଗାନ୍ଧୀ ନିଜ ଗୁରୁ ଶ୍ରୀମଦ୍ଭଗବଦ୍ଗୀତାରୁ ପ୍ରେରଣା ନେଇଥିଲେ, ଯାହା ତାଙ୍କୁ ଅହିଂସାର ପଥରେ ଅଗ୍ରସର କରିଥିଲା। ଏମିତି ଅନେକ ଉଦାହରଣ ଅଛି ଯେଉଁମାନେ ଗୁରୁଙ୍କ ଆଶୀର୍ବାଦରେ ଜୀବନର ମୂଲ୍ୟବୋଧ ବୁଝି ପାରିଥିଲେ।
ଗୁରୁଙ୍କ ପ୍ରତି ସମ୍ମାନ, ଆଦର, କୃତଜ୍ଞତା ଏବଂ ସେମାନଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିବା ପାଇଁ ଗୁରୁଦିବସ ପାଳନ କରାଯାଉଛି।
ଗୁରୁଦିବସ ୧୯୬୨ ମସିହାରୁ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ଗୁରୁ ବା ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇବାର୍ଥେ ବିଦ୍ୟାର୍ଥୀମାନେ ପାଳନ କରି ଆସୁଛନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା। ସେ ମାନିଥିଲେ ଯେ, "ଶିକ୍ଷକମାନେ ସମାଜର ଆଧାର।" ତେଣୁ ସେମାନଙ୍କ ସ୍ମୃତିରେ ଏବଂ ତାଙ୍କର ଶିକ୍ଷା ପ୍ରେମକୁ ସ୍ମରଣ କରି, ତାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଗୁରୁଦିବସ ଭାବରେ ପାଳନ କରାଯାଉଅଛି । ସେ ମଧ୍ୟ ଜଣେ ମହାନ ଦାର୍ଶନିକ ଥିଲେ । ତାଙ୍କର ମତ ଅନୁସାରେ ଗୁରୁଙ୍କୁ ଉଚିତ ସମ୍ମାନ ନ ମିଳିଲେ ଗୁରୁଙ୍କ ପ୍ରଦତ୍ତ ଶିକ୍ଷା ମୂଲ୍ୟହୀନ ହୋଇଥାଏ । କାହାକୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ ନିଜର ଗୁରୁଙ୍କୁ ଉଚିତ୍ ସମ୍ମାନ ଦେବା ଆବଶ୍ୟକ ।ଗୁରୁଙ୍କୁ ସମ୍ମାନ ଜଣାଇବା ,ତାଙ୍କର ତ୍ୟାଗ ଏବଂ ସେବାକୁ ସ୍ମରଣ କରିବା , ଛାତ୍ରମାନଙ୍କ ମନରେ ଶିକ୍ଷକ ପ୍ରତି କୃତଜ୍ଞତା ବିକଶିତ କରିବା, ଶିକ୍ଷାର ମୂଲ୍ୟକୁ ସମାଜରେ ପ୍ରଚାର କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଉଛି। ଗୁରୁଦିବସରେ ହିଁ କେବଳ ଗୁରୁଙ୍କୁ ପୂଜା କରାଯାଏନି ବରଂ ସବୁଦିନେ ହୃଦୟର ଏହି ମନ୍ଦିରରେ ଗୁରୁଙ୍କୁ ପୂଜା କରାଯାଏ । ଗୁରୁଙ୍କ ବିନା ଏହି ସମାଜ ଚାଲିପାରିବ ନାହିଁ ।
ଗୁରୁଦିବସ ବିଷୟରେ କିଛି କହିଲା ବେଳେ ପ୍ରାୟ ଅନେକ ଗୋଟିଏ ବଡ଼ ଉଦାହରଣ ଦିଅନ୍ତି ଏକଲବ୍ୟ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର । ସେତେବେଳେ ଗୁରୁ ଦକ୍ଷିଣା ଦେବାକୁ ଯାଇ ଏକଲବ୍ୟ ଗୁରୁଙ୍କୁ ତାଙ୍କର ଆଙ୍ଗୁଠି ଦାନ କରିଦେଇଥିଲେ । ଏଥିରେ ଗୁରୁ ସ୍ୱାର୍ଥପର ଭଳି ଦୃଶ୍ୟ ହୁଅନ୍ତି କିନ୍ତୁ ପ୍ରକୃତ କଥା ସେପରି ନୁହେଁ । ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁ ଦକ୍ଷିଣା ମାଗିବା ଆଗରୁ ଏକଲବ୍ୟ ଏକ କାର୍ଯ୍ୟ କରିଥିଲେ, ଏକାଥରେ ଗୋଟିଏ କୁକୁର ମୁହଁରେ ୭ଟି ଶର ବିନ୍ଧିଦେଇଥିଲେ । ଗୋଟିଏ କୁକୁର ଭୁକିବାରୁ ସେ ତା’କୁ ସାତୋଟି ଶର ମାରିଦେଇଥିଲେ । ଯିଏକି ଗୋଟିଏ କୁକୁରର ସାମାନ୍ୟ ଭୁକିବାରେ ସାତୋଟି ଶର ବିନ୍ଧି ଦେଇଥିଲେ । ଏହାର ଅର୍ଥ ହେଉଛି ସେ ତାଙ୍କ ବିଦ୍ୟାର ଅପପ୍ରୟୋଗ କରିଥିଲେ, ସେଥିପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁଦକ୍ଷିଣାରେ ତାଙ୍କର ଆଙ୍ଗୁଠି ମାଗିଥିଲେ ।
ଗୁରୁ ହିଁ ସଦା ସର୍ବଦା ସମାଜର ତଥା ଶିଷ୍ୟମାନଙ୍କର ମଙ୍ଗଳ କାମନା କରିଥାନ୍ତି । ସେଥିପାଇଁ ସେ ଏହିଭଳି ପଦକ୍ଷେପ ନେଇଥାନ୍ତି । ଗୁରୁ ଦେଇଥିବା ଶିକ୍ଷାକୁ ସେମାନେ ଭଲ କାର୍ଯ୍ୟରେ ଲଗାଇବା ଦରକାର ।
ଆଜି ଏହି ଗୁରୁଦିବସରେ ଶପଥ କରିବା ଦରକାର କି ଆମେ ଆମର ଗୁରୁଙ୍କଠାରୁ ପାଇଥିବା ଶିକ୍ଷାକୁ ଉଚିତ ଏବଂ ସମାଜର ମଙ୍ଗଳ ପାଇଁ ପ୍ରୟୋଗ କରିବା ।
ଆଜିର ସମାଜ ବାହ୍ୟ ଆଲୋକରେ ଉଜ୍ଜ୍ୱଳ, କିନ୍ତୁ ଭିତରେ ବିଜ୍ଞାନ, ପ୍ରଯୁକ୍ତି, ଧନ ଓ ସ୍ଵାର୍ଥର ଲୋଭରେ ଅନ୍ଧକାରରେ ତଲ୍ଲୀନ ବିଲୀନ। ଏହି “ଅନ୍ଧାରି ସମାଜ”ରେ ଗୁରୁମାନେ ହେଉଛନ୍ତି ସତ୍ୟ, ନୀତି, ଆଦର୍ଶ ଓ ମାନବତାର ପ୍ରଦୀପ।
ଗୁରୁ ନଥିଲେ, ସମାଜରେ ଜ୍ଞାନ ଥାଇପାରେ, କିନ୍ତୁ ଜ୍ଞାନୀ ନଥିବେ, ପ୍ରଗତି ଥାଇପାରେ, କିନ୍ତୁ ମାନବତା ନଥିବ।
ଗୁରୁ ନଥିଲେ, ଆମେ କେବଳ ଜ୍ଞାନରେ ନୁହେଁ, ମୂଲ୍ୟବୋଧରେ ମଧ୍ୟ ଦରିଦ୍ର ହୋଇପଡ଼ିବୁ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment