ଆହେ ବିଘ୍ନେଶ୍ୱର
ଗୌରୀ-ନନ୍ଦନ ରିଦ୍ଧି-ସିଦ୍ଧି ପ୍ରଦାୟକ।
ଲମ୍ବୋଦର ଗଣପତି ପାର୍ବତୀ ନନ୍ଦନ
ଜୟ ଗଣେଶ୍ୱର ପ୍ରଭୁ ସଙ୍କଟ ମୋଚନ।
ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ
ପୂଜା ପାଆନ୍ତି ଧରାରେ ଅତି ଆଡ଼ମ୍ବରେ।
ପାଶ, ଅଙ୍କୁଶରେ ହୋଇ ଥାଆନ୍ତି ସୁବେଶ,
ଚାରି ହସ୍ତ ଟେକି ପ୍ରଭୁ ଦିଅନ୍ତି ଆଶୀଷ।
କୁଲା ପରି କାନ ତାଙ୍କ ଶୁଣନ୍ତି ପ୍ରାର୍ଥନା,
ଛୋଟ ଆଖିରେ ଦେଖନ୍ତି ସତ୍ୟମାର୍ଗ ସିନା।
ମୂଷିକ ବାହନେ ବସି ଲମ୍ବୋଦର ହର୍ଷେ
ଘୁରିଲେ ଆନନ୍ଦେ ପିତାମାତା ଚତୁର୍ପାର୍ଶ୍ବେ।
ପିତାମାତା ସମକକ୍ଷେ ନୁହେଁ କେହି ବଡ,
ଶିଖାଇଲେ ମନୁଷ୍ୟଙ୍କୁ ଜୀବନର ମୋଡ଼।
ମାତା ଆଜ୍ଞା ପାଳିବାକୁ ହେଲେ ଜଗୁଆଳୀ
ହରାଇଲେ ମସ୍ତକ ଯେ ପିତା ସହ ଲଢ଼ି।
ଏକ ଦନ୍ତ ବକ୍ରତୁଣ୍ଡ ଜ୍ଞାନ ସିଦ୍ଧିପ୍ରଦ,
ଶୁଭ-ଲାଭ ପ୍ରାଣୋଦକ ଭର ଯେ ଆନନ୍ଦ।
ଦେବ ମଧ୍ୟେ ଅଗ୍ରପୂଜ୍ୟ ଜଗତେ ପାଇଲ
ବ୍ୟାସ ଦେବଙ୍କର ଗ୍ରନ୍ଥ ତୁମେ ହିଁ ଲେଖିଲ।
ତୁମେ ବିଦ୍ୟାଦାତା ଅଟ ତୁମେ ସିଦ୍ଧିଦାତା
ଅନ୍ଧାର ହୃଦୟେ ଭର ଆଲୋକର ବାର୍ତ୍ତା ।
ଲଡୁ, ମୋଦକ ଭୋଗ ଅଟେ ତୁମର ପ୍ରିୟ
ଭଜିଲେ ତୁମକୁ ପ୍ରଭୁ ରିଷ୍ଟ ହୁଏ କ୍ଷୟ।
ବିଦ୍ଯା, ବୁଦ୍ଧି,ସିଦ୍ଧି ଦାତା ହରତା କରତା
ଅଳି କରୁ ଶ୍ରୀଛାମୁରେ ସର୍ବ ଜ୍ଞାନ ଜ୍ଞାତା।
ପର ଉପକାର ଲାଗି ମନରେ ସାହସ
ଦିଅ କର ଚରଣରେ ବଳ ଗଣ ଈଶ।
ବିଶ୍ବରେ ଅଜୟ କୀର୍ତ୍ତି ଅମଳିନ ପ୍ରେମ।
ତୁଣ୍ଡେ ଘୋଷା ରହିଥାଉ ତୁମର ଯେ ନାମ।
ଛାତ୍ର ଛାତ୍ରୀ ମାନଙ୍କର ତୁମେ ଅତି ପ୍ରିୟ।
ଭକ୍ତି ଚିତ୍ତେ ପୂଜା କଲେ ଆଶିର୍ବାଦ ଦିଅ।
ତୁମ ନାମ ନେଲେ ଦୁଃଖ ହୋଇଯାଏ ଦୂର,
ମୋ ସଙ୍କଟ ଦୂର କର ଆହେ ବିଘ୍ନେଶ୍ଵର ।
Comments
Post a Comment