ତ୍ରିରଙ୍ଗା – ମୋର ଆତ୍ମାର ସ୍ପନ୍ଦନ
ସୁର୍ଯ୍ୟର ରୋଷଣୀରେ ତୁମେ
ଯେତେବେଳେ ଫୁଲୁଥାଅ,
ଆକାଶର ପବନରେ ଗର୍ବରେ ଝୁଲୁଥାଅ
ମୋର ମନରେ ଜାଗିଉଠେ ଅନେକ ସ୍ମୃତି,
ଏକାଧାରେ ଗର୍ବ, ପ୍ରେମ ଓ ତ୍ୟାଗର କଥା
ମୋର ଚକ୍ଷୁରେ ଆସେ ଏକ ଦୀପ୍ତ ଦୃଶ୍ୟ,
ମୋର ମନରେ ଭାସି ଉଠେ ଦେଶପ୍ରେମର ଇତିହାସ ।
କେଶରୀ ରଙ୍ଗରେ ମୁଁ ଦେଖିଥାଏ
ସେଇ ନିର୍ଭିକ ସାହସୀଙ୍କ ମୁହଁ,
ଯେଉଁମାନେ ହସିହସି ଜୀବନ ଦେଇଥିଲେ
ଦେଶର ପ୍ରତି ପ୍ରେମରେ ମୋହିତ ହୋଇ,
ତାଙ୍କର ରକ୍ତର ଗନ୍ଧ ଆଜିଯାଏ
ପବନରେ ମିଶି ତୁମକୁ କରିଛି ପବିତ୍ର
କେଶରୀରେ ଲୁଚିଛି ସେଇ ଅଗ୍ନିଶିଖା,
ଯାହା ସାହସୀ ସେନାଙ୍କୁ କରୁଛି ପ୍ରତିଶ୍ରୁତିମୟ।
ସେହି ରଙ୍ଗରେ ମୁଁ ଅନୁଭବ କରିଛି
ତ୍ୟାଗ, ସାହସ ଓ ସ୍ୱାଭିମାନର ଗାଥା,
ଏହି ରଙ୍ଗ କହେ ...
“ଭାରତ କେବେ ହାରିନାହିଁ କି ହାରିବ ନାହିଁ”।
ଶ୍ୱେତରେ ମୁଁ ଦେଖେ
ମା’ର କୋଳ, ଯେଉଁଥିରେ ଅଛି
ଶାନ୍ତିର ସ୍ପର୍ଶ, ସତ୍ୟର ପଣ,ମନର ପବିତ୍ରତା
ଗାନ୍ଧୀଙ୍କର ଅହିଂସାର ସେଇ ଦୀପ ଓ ସତ୍ୟର ପ୍ରତିଶ୍ରୁତି,
ଯାହା ଅନ୍ଧକାରରେ ଭରିଦିଏ ଦିବାଲୋକ ।
ଏହି ଧଳା ଆଲୋକରେ
ମୁଁ ଶିଖେ – ଶକ୍ତି ଓ ଶାନ୍ତିର ସନ୍ଧି।
ହରିତରେ ମୁଁ ଅନୁଭବ କରେ
ମୋର ମାଟିର ଘ୍ରାଣ,
ଧାନର ସୁବର୍ଣ୍ଣ ସ୍ୱପ୍ନ,
ବର୍ଷା ପରେ ଧରିତ୍ରୀର ସବୁଜ ହସ,
ସମୃଦ୍ଧି, କୃଷି ଓ ପ୍ରକୃତିର ଆଲିଙ୍ଗନ,
ସବୁଜ କ୍ଷେତ, ପୁଷ୍ପଶୈଳ
ସେଇ ଶୋଭାକୁ ତୁମେ ଦେଉଥାଅ ଅମର ସ୍ମରଣ।
ଏହି ରଙ୍ଗ କହେ..
“ତୁମର ଶିରାରେ ଭରି ରହିଛି ଏହି ମାଟିର ରସ।”
ମଝିରେ ଘୁରୁଥିବା ନୀଳ ଅଶୋକଚକ୍ର ଅଟେ
ସତତ ପ୍ରଗତି, ଶ୍ରମ ଓ ନ୍ୟାୟର ପ୍ରତୀକ
ମୋତେ ବୁଝାଏ...
“ବିଶ୍ରାମ ନୁହେଁ,ଆଗକୁ ଚାଲିବା, ଆଗକୁ ବଢିବା ସଦା ଶ୍ରେୟସ୍କର,
ଜୀବନ ହେଉଛି ଚଳନ,ବିକାଶ,ନ୍ୟାୟ ଓ କର୍ତ୍ତବ୍ୟର ସ୍ପନ୍ଦନ।”
ଯେତେବେଳେ ସେନା ସୀମାନ୍ତରେ ରକ୍ତ ଝରାଏ,
ତ୍ରିରଙ୍ଗାକୁ ଉଚ୍ଚରେ ଫଡଫଡାଏ,
ସେଇ ବଳିଦାନରେ ତୁମେ ଥାଅ ଦୀପ୍ତିମନ୍ତ,
ତୁମେ ହେଉଛ ଦେଶର ଆତ୍ମା ଓ ଆମର ପରିଚୟ।
ହେ ତ୍ରିରଙ୍ଗା, ମୋର ପ୍ରାଣ, ମୋର ଗର୍ବ,
ତୁମେ ହିଁ ମୋର ସମସ୍ତ ସ୍ୱପ୍ନ,
ତୁମେ ଅଛ ମୋର ନୟନର ଜଳବିନ୍ଦୁରେ,
ମୋର ହୃଦୟର ଧଡ଼କନରେ,
ମୋର ପ୍ରାଣର ପ୍ରତିଟି ଶ୍ୱାସରେ
ଜୀବନର ଶେଷ ଶ୍ୱାସ ପର୍ଯ୍ୟନ୍ତ ଏହି ପ୍ରଣ –
“ତୁମ ପାଇଁ ହେବ ସର୍ବସ୍ୱ ଅର୍ପଣ।”
ତୁମେ ହିଁ ହେଉଛ ...
ମୋର ମା’ର କୋଳ, ପିତାଙ୍କର ଶିକ୍ଷା,
ଏବଂ ଆଗାମୀ ପିଢ଼ିର ସ୍ୱପ୍ନ,ସ୍ବର୍ଣ୍ଣାଭ ଭବିଷ୍ୟତ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
- Get link
- X
- Other Apps
- Get link
- X
- Other Apps
Comments
Post a Comment