ଜୀବନର ଶେଷ ପର୍ଯ୍ୟାୟ : ଶାନ୍ତି କି ସଂଘର୍ଷ
ବାର୍ଦ୍ଧକ୍ୟ ମାନେ ଜୀବନର ଅନ୍ତିମ ପର୍ଯ୍ୟାୟ। ଜଣେ ମଣିଷ ଶିଶୁତ୍ବ, କିଶୋରାବସ୍ଥା, ଯୁବାବସ୍ଥା ଅତିକ୍ରମ କରି ବାର୍ଦ୍ଧକ୍ୟକୁ ପ୍ରବେଶ କରେ।ଏହା ଜୀବନର ଏକ ଅନିବାର୍ଯ୍ୟ ଅଂଶ, ଯାହାକୁ ପ୍ରତ୍ୟେକ ମଣିଷ ଅନୁଭବ କରିଥାଏ।
ଏହି ଅନ୍ତିମ ପର୍ଯ୍ୟାୟର ଅନୁଭବ ମନୁଷ୍ୟଙ୍କ ଜୀବନ ଶୈଳୀ, ପରିବାର ଓ ସମାଜର ବ୍ୟବହାର ଉପରେ ନିର୍ଭର କରେ। ଏକ ପକ୍ଷରୁ ବାର୍ଦ୍ଧକ୍ୟ ଅନେକ ଜ୍ଞାନ, ଅନୁଭବ ଓ ଶାନ୍ତିର ଅନୁଭୂତି ଦିଏ, ଅନ୍ୟପଟେ ଏହି ଅବସ୍ଥା ଅନେକ ଥର ଦୁଃଖ, ନିର୍ବଳତା ଓ ଏକାକୀତ୍ୱର ସୂଚକ ହୁଏ। ପିତା ଓ ମାତା ମଣିଷର ପ୍ରଥମ ଗୁରୁ। ସେମାନେ ନିଜ ସନ୍ତାନ ପାଇଁ ନିଜ ଜୀବନର ସମସ୍ତ ଶ୍ରମ, ସମୟ, ସ୍ନେହ ଓ ସମ୍ପତ୍ତି ଦେଇ ଅପାର ତ୍ୟାଗ କରିଥାନ୍ତି। କିନ୍ତୁ ବେଦନା ଦାୟକ ଯେ, ଯିଏ ସନ୍ତାନ ପାଇଁ ଏତେ ତ୍ୟାଗ ଓ ବଳିଦାନ ଦେଇଛନ୍ତି, ସେମାନେ ଆଜି ବୃଦ୍ଧାବସ୍ଥାରେ ଏକା ଓ ଉପେକ୍ଷିତ। ବିକାଶ ଓ ଆଧୁନିକତା ସହିତ ସାମ୍ପ୍ରତିକ ସମୟର ଏହି ମାନବିକ ଅବସ୍ଥା ଏକ ଗମ୍ଭୀର ଚିନ୍ତନର ବିଷୟ। ତେଣୁ ପ୍ରଶ୍ନ ଉଠେ—ବାର୍ଦ୍ଧକ୍ୟ କଣ ଏକ ଆଶୀର୍ବାଦ କି ଏକ ଅଭିଶାପ?
ବୃଦ୍ଧ ମାନେ ଜୀବନର ଅନେକ ପରିସ୍ଥିତି ଦେଖିଛନ୍ତି। ସେମାନଙ୍କର ଅନୁଭବ ଯୁବପିଢି ପାଇଁ ଏକ ଆଦର୍ଶ ହୋଇ ରହିଥାଏ। ବୃଦ୍ଧମାନେ ଘରର ଆଧାର। ସେମାନଙ୍କ ସାନ୍ନିଧ୍ୟ ପରିବାରକୁ ଏକତା ଓ ମୂଲ୍ୟବୋଧ ଦେଇଥାଏ।ଯଦି ବାର୍ଦ୍ଧକ୍ୟରେ ମଣିଷ ପରିବାରର ସ୍ନେହ, ସମ୍ମାନ ଓ ସେବା ପାଉଥିବେ, ତେବେ ଏହି ଅବସ୍ଥା ଏକ ଭଗବାନଙ୍କ ଆଶୀର୍ବାଦ ବୋଲି କୁହାଯାଏ।ବୃଦ୍ଧମାନେ ପରିବାର ଓ ସମାଜ ପାଇଁ ଏକ ଜ୍ଞାନର ଧନାଗାର। ସେମାନଙ୍କ ଅନୁଭବ ଯୁବପିଢିକୁ ନୈତିକ ଦିଗଦର୍ଶନ ଦେଇଥାଏ। ଏହି ଅବସ୍ଥାରେ ଲୋକ ଧାର୍ମିକ ଓ ଆଧ୍ୟାତ୍ମିକ ଜୀବନ ଦିଗରେ ଅଧିକ ଆଗ୍ରହୀ ହୁଅନ୍ତି, ଯାହା ତାଙ୍କୁ ଆନ୍ତରିକ ଶାନ୍ତି ଦେଇଥାଏ। ଯଦି ଏମିତି ଅନୁଭୂତି ରହିଥାଏ, ତେବେ ବାର୍ଦ୍ଧକ୍ୟ ନିଶ୍ଚୟ ଏକ ଆଶୀର୍ବାଦ।ବୟସର ସହିତ ଆସେ ଜୀବନ ଅନୁଭବ। ବୃଦ୍ଧ ଲୋକ ତାଙ୍କ ଦୀର୍ଘ ଜୀବନର ଅନେକ ଶିକ୍ଷା ଓ ଜ୍ଞାନ ନିମ୍ନପିଢିକୁ ଦେଇ ପାରନ୍ତି। ସେମାନଙ୍କର ପରାମର୍ଶ ସମାଜରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।ବାର୍ଦ୍ଧକ୍ୟ ଅବସ୍ଥାରେ ମନୁଷ୍ୟ ଅଧିକ ଧୈର୍ଯ୍ୟଶୀଳ, ଶାନ୍ତ ଓ ସଂଯମୀ ହୋଇଥାନ୍ତି। ଏହି ଗୁଣଗୁଡିକ ସମାଜ ପାଇଁ ଆଶୀର୍ବାଦ ସୂତ୍ର। ବୃଦ୍ଧ ବ୍ୟକ୍ତି ପରିବାରର ଏକତା ଓ ନୀତିର ଦୀପସ୍ଥମ୍ଭ। ସେମାନଙ୍କ ଉପସ୍ଥିତି ଘରକୁ ଆଧ୍ୟାତ୍ମିକତା, ମୂଲ୍ୟବୋଧ ଓ ଅନୁଶାସନ ଦିଏ।ବାର୍ଦ୍ଧକ୍ୟ ଅବସ୍ଥା ମନୁଷ୍ୟକୁ ଆତ୍ମଚିନ୍ତନ ଓ ଆଧ୍ୟାତ୍ମିକ ଜୀବନ ଦିଗରେ ଗତି କରାଏ।
କିନ୍ତୁ ଆଜିର ଆଧୁନିକ ଯୁଗରେ ବୃଦ୍ଧମାନେ ବେଶୀଭାଗରେ ଉପେକ୍ଷା, ଅନଦୃଷ୍ଟି ଓ ନିର୍ଭରତାର ସମସ୍ୟା ଭୋଗୁଛନ୍ତି। ବୟସ ବଢ଼ିବା ସହିତ ଶାରୀରିକ ଶକ୍ତି ହ୍ରାସ ପାଇଥାଏ। ତେଣୁ ଅନେକ ରୋଗର ଶିକାର ହୁଅନ୍ତି। ଏହି ଅବସ୍ଥାରେ ଯଦି ସେମାନେ ପରିବାର ଓ ସମାଜର ସମର୍ଥନ ନ ପାଆନ୍ତି, ତେବେ ତାଙ୍କ ପାଇଁ ବାର୍ଦ୍ଧକ୍ୟ ଏକ ଅଭିଶାପ ଭାବରେ ପରିଣତ ହୁଏ। ବୃଦ୍ଧମାନେ ଅନେକଥର ନିଜ ସନ୍ତାନଙ୍କ ଉପରେ ଆର୍ଥିକ ଓ ମାନସିକ ଭାବେ ନିର୍ଭର କରିବାକୁ ବାଧ୍ୟ ହୁଅନ୍ତି, ଯାହା ତାଙ୍କର ସ୍ବାଭିମାନକୁ ଆଘାତ କରେ। ବେଳେବେଳେ ସେମାନେ ବୃଦ୍ଧାଶ୍ରମରେ ରହି ନିଜ ଘର ଓ ପରିବାର ଠାରୁ ବିମୁଖ ଅନୁଭବ କରନ୍ତି।
ଆଜିକାଲି ଅନେକ ଘରେ ବୁଢ଼ା ପିତାମାତାଙ୍କୁ ବୋଝ ବୋଲି ଭାବୁଛନ୍ତି । ସେମାନେ ଘରର ଏକ ପାର୍ଶ୍ୱକୋଣରେ ନିଜ ଅସ୍ତିତ୍ୱକୁ ଭୁଲାଇ ଶୁନ୍ୟ ଚାହାଣି ରେ ଅପେକ୍ଷା କରୁଛନ୍ତି। ଯୁବପିଢି ଆପଣା ଚାକିରି, ମୋବାଇଲ, ଓ ସୋସିଆଲ ମିଡିଆରେ ଏତେ ବ୍ୟସ୍ତ ଯେ, ପିତାମାତାଙ୍କୁ ଶୁଣିବାକୁ କି ସେମାନଙ୍କ କଥା ବୁଝିବାକୁ ସମୟ ନାହିଁ। ଅନେକ ସମୟ ସେମାନଙ୍କୁ ବୃଦ୍ଧାଶ୍ରମକୁ ପଠାଇ ଦିଆଯାଏ। ଯାହା ସେବା ନୁହଁ, ଏକ ସାମ୍ବାଳିକ ଅନାଦର। ବୃଦ୍ଧ ପିତାମାତାଙ୍କ ଉପେକ୍ଷା ହେବାର ପଛରେ ଅନେକ କାରଣ ଅଛି। ଆଧୁନିକ ଜୀବନ ଶୈଳୀ, କାର୍ଯ୍ୟ ଜନିତ ଚାପ,ସଂସ୍କାର ଓ ମୂଲ୍ୟବୋଧର ଅଭାବ ,ଆତ୍ମକେନ୍ଦ୍ରିତ ଚିନ୍ତାଧାରା ଇତ୍ୟାଦି । ଏହି ସବୁ କାରଣ ବ୍ୟକ୍ତିକେନ୍ଦ୍ରିତ ଜୀବନକୁ ବଢ଼ାଇ ଦେଉଛି, ଯାହାର ଫଳରେ ବୃଦ୍ଧ ପିତାମାତା ଘରେ ଥିଲେ ମଧ୍ୟ ଏକାକୀ ଅନୁଭବ କରୁଛନ୍ତି। ଅନେକ ଘରେ ବୁଢ଼ା ପିତାମାତାଙ୍କୁ ଗୋଟିଏ ଅଲଗା ଘରେ ରଖାଯାଏ, ସେଠାରେ ତାଙ୍କ ସହିତ କେହି ଖୋଲା ଆଲୋଚନା କରନ୍ତି ନାହିଁ। ସେମାନେ ଏକାକୀ ଓ ଅପୂର୍ଣ୍ଣ ଅନୁଭବ କରନ୍ତି। ଅନେକ ଯୁବକ-ଯୁବତୀ ଚାକିରି ଓ ନିଜର କେରିୟର ପାଇଁ ସହର ବା ବିଦେଶକୁ ଯାଆନ୍ତି, ବୃଦ୍ଧ ପିତାମାତା ଗ୍ରାମରେ ଅଥବା ଘରେ ଏକା ରୁହନ୍ତି। ଯଦିଓ ଟେକ୍ନୋଲୋଜି ଅଛି, କିନ୍ତୁ ମନର ମେଳାପ ଓ ନିକଟତା ଖୁବ କମିଯାଏ।ଅନେକ ପିଲା ନିଜ ପିତାମାତାଙ୍କୁ ଧନ ଦେଇ ଦାୟିତ୍ୱ ଶେଷ କରି ଦିଅନ୍ତି। କିନ୍ତୁ ସେବା ମନୋଭାବ , ମନ ରଖିବା କି ଦୟା ଭାବ ନ ଥାଏ। ଆଜିକାଲି ଅନେକ ବୃଦ୍ଧମାନେ ବୃଦ୍ଧାଶ୍ରମରେ ରହୁଛନ୍ତି। ତାଙ୍କ ଛୁଆମାନେ ଏହାକୁ ସୁବିଧା ବୋଲି ଭାବି ନିଅନ୍ତି, କିନ୍ତୁ ପିତାମାତାଙ୍କ ପାଇଁ ଏହା ଦୂଃଖ ଓ ଅବମାନନା ଭରା ଅନୁଭୂତି।
ଅନେକ ବୃଦ୍ଧ ବ୍ୟକ୍ତି ଅର୍ଥନୀତିକ ଭାବେ ସ୍ବାଧୀନ ନଥାନ୍ତି । ନିଯୁକ୍ତି ନଥାଏ , ଆୟ ନଥାଏ। ସେମାନେ ନିଜ ଛୁଆମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହୁଅନ୍ତି ଓ ଅନେକଥର ଉପେକ୍ଷିତ ହୁଅନ୍ତି।
ଘରେ କୁକୁର,ବିଲେଇ ଏମିତି ଗୃହପାଳିତ ପଶୁ ପକ୍ଷୀ ରଖି ସମୟ ବିତାନ୍ତି ଓ ଅର୍ଥ ଖର୍ଚ୍ଚ କରନ୍ତି। କିନ୍ତୁ ବୃଦ୍ଧ ପିତାମାତାଙ୍କ ପାଇଁ ଭାଇ, ଭାଇ କି ଭାଇ, ଭଉଣୀ ଭିତରେ ଭାଗବଣ୍ଟା ହୁଏ। ମାତା ଜଣଙ୍କ ପାଖରେ ରହିଲେ,ପିତା ଆଉ ଜଣଙ୍କ ପାଖରେ ରହିବେ। ବୃଦ୍ଧାବସ୍ଥାରେ ସେମାନଙ୍କୁ ବିଛିନ୍ନ କରାଯାଏ। କେତେ ଲଜ୍ଜା କର କଥା ସତେ। ଅନେକ ବ୍ୟକ୍ତି ସ୍ତ୍ରୀ ପ୍ରରୋଚନାରେ ପଡି ବାପା, ମାଁ ଙ୍କୁ ହେୟ ମନେ କରନ୍ତି। ଗ୍ରାମରେ ଚଳି ଆସିଥିବା ପିତାମାତା ସହରୀ ଚଳଣୀ ରେ ଖାପ ଖୁଆଇ ପାରୁ ନଥିଲେ ଅନେକ କଟୁ କଥା ସହିବାକୁ ପଡ଼ିଥାଏ ବା ହାସ୍ୟାସ୍ପଦ ହବାକୁ ପଡ଼ିଥାଏ। ଅନେକ ଯାଗାରେ ପିତାମାତା ସ୍ମରଣ ଶକ୍ତି ହରାଉଥିବାରୁ ପାଗଳ ଆଖ୍ୟା ଦିଆଯାଏ କିମ୍ବା ସେମାନଙ୍କର ବାର୍ଦ୍ଧକ୍ୟ ଜନିତ ଚିଡଚିଡା ଗୁଣ ପାଇଁ ବାଇ ପୋଲାର ଏମିତି ଡାକ୍ତରୀୟ ଭାଷା ଲଗାଇ ବିଭିନ୍ନ ଔଷଧ ଦେଇ ତାଙ୍କୁ ଗୋଟେ ଘରେ ବନ୍ଦୀ କଲାପରି ରଖାଯାଏ। ଏହା ଆମ ସମାଜ ପାଇଁ ଏକ ଲଜ୍ଜାକର ବିଷୟ।
ବୃଦ୍ଧ ପିତାମାତା ଆମ ଆସ୍ଥା, ଆଶୀର୍ବାଦ ଓ ଅତୀତର ଜୀବନଦାନର ଅତୁଟ ସୂତ୍ର। ଆମ ଦାୟିତ୍ୱ ହେଉଛି ତାଙ୍କୁ ଉପେକ୍ଷା ନ କରି, ସେବା କରିବା। ଯାହା ପାଇଁ ଆଜି ଆମେ ହସୁଛୁ, ସେହି ହସ ତାଙ୍କ ଅଶ୍ରୁ ଓ ଶ୍ରମର ଫଳ।
ଅନେକ ପିଲାମାନେ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କର ବୃଦ୍ଧ ପିତାମାତାଙ୍କୁ ଦିନ ରାତି ସେବା କରୁଛନ୍ତି, ସେମାନଙ୍କୁ ଆନନ୍ଦ ଦେବାକୁ ଚେଷ୍ଟା କରୁଛନ୍ତି। ସେମାନେ ବୁଝିଛନ୍ତି ଯେ, ପିତାମାତା କେବଳ ଦାୟିତ୍ୱ ନୁହଁ, ସେମାନେ ଆଶୀର୍ବାଦ, ସେମାନେ ଅସୀମ ସ୍ନେହ ଓ ସମ୍ମାନର ପାତ୍ର।ଆମେ ମାନିବାକୁ ହେବ ଯେ ବୃଦ୍ଧ ପିତାମାତା ଆମ ଅତୀତ ନୁହଁ, ସେମାନେ ଆମ ଭବିଷ୍ୟତର ଆଇନା। ଆମେ ତାଙ୍କୁ ଯେପରି ଦେଖୁଛୁ, ସେପରି ଆମେ ଭବିଷ୍ୟତରେ ଦେଖାଯିବା। ତେଣୁ ଆମେ ତାଙ୍କ ସେବା କରିବା, ସାଥି ଦେବା, ଭଲ ପାଇବା ଓ ସମ୍ମାନ ଦେବା ଏବଂ ସେମାନେ ଅନୁଭବ କରନ୍ତୁ ଯେ ସେମାନେ ଆଜି ମଧ୍ୟ ଆବଶ୍ୟକ, ସେମାନେ ଆଦରଣୀୟ।
ଏହି ପରିସ୍ଥିତିରେ ବାର୍ଦ୍ଧକ୍ୟ ଆଶୀର୍ବାଦ ହେବ କି ଅଭିଶାପ, ତାହା ନିର୍ଭର କରେ ପରିବାର ଓ ସମାଜ ଉପରେ।
ଯଦି ଆମେ ତାଙ୍କ ସହିତ କଥା ହେବା,ତାଙ୍କ ଭାବନାକୁ ଶୁଣିବା ,ତାଙ୍କୁ ସ୍ନେହ, ମମତା ଓ ସମୟ ଦେବା , ତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଧ୍ୟାନ ଦେବା । ଯଦି ଆମେ ବୃଦ୍ଧାମାନଙ୍କୁ ପାଇଁ ଭଲଭାବନା ରଖି ଶ୍ରଦ୍ଧା ଓ ସେବା ଦେଉଥିବା ତେବେ ବାର୍ଦ୍ଧକ୍ୟ ଏକ ଶୁଭ ଅନୁଭୂତି ହେବ। ତେଣୁ, ବୃଦ୍ଧମାନେ ଯାହାକୁ ଆଜି ଆମେ ସେବା କରୁଛୁ, ସେମାନେ ଗତକାଲି ଆମ ପାଇଁ ଶ୍ରମ କରିଛନ୍ତି। ତେଣୁ ସେମାନଙ୍କ ଆଶୀର୍ବାଦ ଉପରେ ଆମ ଭବିଷ୍ୟତ ନିର୍ଭର କରେ।ଯେଉଁଠି ବୃଦ୍ଧ ପିତାମାତା ଆଦର ପାଆନ୍ତି, ଶେଷ ଦିନଗୁଡ଼ିକୁ ସୁଖ ଓ ଶାନ୍ତିରେ କଟାନ୍ତି, ସେଇଠି ବାର୍ଦ୍ଧକ୍ୟ ଅଭିଶାପ ନୁହଁ, ଏହା ଏକ ଆଶୀର୍ବାଦ। ଆମ ଦାୟିତ୍ୱ ହେଉଛି ସେମାନଙ୍କୁ ସମ୍ମାନ ଓ ସେବା ଦେଇ ତାଙ୍କ ଜୀବନକୁ ଅର୍ଥପୂର୍ଣ୍ଣ କରିବା। ବୃଦ୍ଧ ପିତାମାତା ପାଇଁ ଏକ ହସ, ଏକ ମିଠା କଥା, ଅଳ୍ପ ସମୟ ମଧ୍ୟ ତାଙ୍କ ପାଇଁ ଅମୂଲ୍ୟ। ଆସନ୍ତୁ, ଆମେ ଏକ ଦାୟିତ୍ୱବାନ୍ ବନ୍ଧନ ସୃଷ୍ଟି କରିବାକୁ ଆରମ୍ଭ କରିବା। ବୃଦ୍ଧ ପିତାମାତାଙ୍କ ସେବା କେବଳ ଆମର ଦାୟିତ୍ୱ ନୁହଁ, ଏହା ଆମ ପାଇଁ ଗର୍ବର ବିଷୟ ଓ ଆଶୀର୍ବାଦ ର ଅବସର।
ତେଣୁ କଥାରେ ଅଛି ....
"ମାତୃ ଦେବୋ ଭବଃ,ପିତୃ ଦେବୋ ଭବଃ"।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment