ବୃଦ୍ଧା ଆଶ୍ରମ: ଲଜ୍ଜା ନୁହେଁ,ସଠିକ୍ ବିକଳ୍ପ
ପିତାମାତା ହେଉଛନ୍ତି ଆମ ପାଇଁ ଜୀବନର ମୂଳ। ସେମାନେ ନିଜ ଇଚ୍ଛା, ସୁବିଧା ଓ ଆରାମକୁ ତ୍ୟାଗ କରି ଶିଶୁବେଳାରୁ ଆରମ୍ଭ କରି ଜୀବନରେ ଦୃଢ଼ ହେବା ପର୍ଯ୍ୟନ୍ତ ଆମ ସହ ସାଥି ହୋଇ ର଼ହିଥାନ୍ତି। ବର୍ତ୍ତମାନ ସମୟରେ ଅନେକ ପିଲାମାନେ ବୃଦ୍ଧ ପିତାମାତାଙ୍କୁ ବୃଦ୍ଧା ଆଶ୍ରମରେ ରଖିବାକୁ ବାଧ୍ୟ ହେଉଛନ୍ତି । କିଛି ନିଜ ଇଚ୍ଛାରେ, କିଛି ପରିସ୍ଥିତି ବଶତଃ। ଏହି କାର୍ଯ୍ୟ ଦେଖି ଅନେକ ଏକ ଲଜ୍ଜାକର କଥା ବୋଲି କୁହନ୍ତି । କିନ୍ତୁ ଏହା କେବଳ ଅନୁଭବ ଓ ଦୟାର ଦୃଷ୍ଟିକୋଣରୁ ନୁହେଁ ବରଂ ଏହାକୁ ବ୍ୟବହାରିକ ଓ ବିବେକପୂର୍ଣ୍ଣ ଦୃଷ୍ଟିରୁ ବି ବୁଝିବା ଦରକାର।
ବୃଦ୍ଧାଶ୍ରମ ଏକ ଶବ୍ଦ ଯାହା ଶୁଣିଲେ ବହୁତ ଲୋକଙ୍କ ମନରେ ଏକ ଦୁଃଖ ଓ ଲଜ୍ଜାର ଭାବ ଉଦ୍ଭବ ହୁଏ। ଅନେକ ସମୟରେ ଲୋକମାନେ ଏକ ପ୍ରତିଷ୍ଠିତ ମାନ୍ୟତା ପ୍ରଦାନ କରନ୍ତି ଯେ, ବୃଦ୍ଧ ପିତାମାତାଙ୍କୁ ଘରରୁ ବାହାର କରି ବୃଦ୍ଧା ଆଶ୍ରମକୁ ଦେବା ଏକ ଅନାଦର ଓ ଅପମାନର ଘଟଣା। କିନ୍ତୁ ବର୍ତ୍ତମାନ ସମୟ ଓ ପରିବାର ଗଠନର ପରିବର୍ତ୍ତିତ ପରିପ୍ରେକ୍ଷିତ ମଧ୍ୟରେ ଏହି ଧାରଣାକୁ ପୁନର୍ବିଚାର କରିବା ଦରକାର।
ଓଡ଼ିଆ ଓ ଭାରତୀୟ ସଂସ୍କୃତିର ମୂଳରେ ଥିଲା ଯୁଗ୍ମ ପରିବାର ପ୍ରଥା ଯେଉଁଠି ପିତାମାତା, ପୁଅ-ଝିଅ, ନାତି-ନାତୁଣୀ ମିଶି ଗୋଟାଏ ଘରେ ରହୁଥିଲେ। ଏହି ପରିବେଶରେ ବୃଦ୍ଧମାନଙ୍କୁ ସମ୍ମାନ, ମନୋରଞ୍ଜନ, ସୁରକ୍ଷା ଓ ଯତ୍ନ ମିଳୁଥିଲା। କିନ୍ତୁ ଆଧୁନିକ ଯୁଗରେ ଯୁଗ୍ମ ପରିବାର ଭାଙ୍ଗି ନିଜସ୍ୱ ପରିବାର (ନ୍ୟୁକ୍ଲିଅର ଫାମିଲି) ଆସିଛି, ଯାହା ଅନେକ ସମୟରେ ବୃଦ୍ଧମାନଙ୍କ ପାଇଁ ଅବହେଳା ଓ ଦୁଃଖର କାରଣ ହେଉଛି। ଏହି ପରିବେଶରେ ବୃଦ୍ଧା ଆଶ୍ରମ ଏକ ଆବଶ୍ୟକ ବିକଳ୍ପ ରୂପେ ଉଭୟ ମାନସିକ ଓ ଶାରୀରିକ ଯତ୍ନ ଦେବା ପାଇଁ ତିଆରି ହେଇଛି । ଆଗ କାଳରେ ଯୁଗ୍ମ ପରିବାରରେ ଜଣେ ବୃଦ୍ଧଙ୍କୁ ଦେଖିବା ପାଇଁ ଅନେକ ଲୋକ , ବନ୍ଧୁ ପରିଜନ ରହୁଥିଲେ। ପୁଅ, ବୋହୂ, ନାତି, ନାତୁଣୀ କାକା,ଖୁଡୀ ସମସ୍ତେ। ଓଡ଼ିଆ ସଂସ୍କୃତିରେ ବୃଦ୍ଧମାନେ ପରିବାରର ମୁଖ୍ୟ ଶିଳା ଥିଲେ। ସେମାନଙ୍କ ଅଭିଜ୍ଞତା, ଆଶୀର୍ବାଦ ଓ ଦିଗଦର୍ଶନ ଏକ ପରିବାରକୁ ଶକ୍ତି ଦେଉଥିଲା। କିନ୍ତୁ ବର୍ତ୍ତମାନର ଧାଉ-ଧାଉ ଜୀବନ ଏବଂ ଆତ୍ମକେନ୍ଦ୍ରିତ ଚିନ୍ତାଧାରା ଦ୍ୱାରା ବୃଦ୍ଧମାନଙ୍କୁ ପରିବାରର ମୁଖ୍ୟ ଅଂଶରୁ ବିମୁଖ କରି ଦିଆଯାଉଛି। ଏହି ପରିବେଶରେ ବୃଦ୍ଧା ଆଶ୍ରମ ହେଉଛି ଗୋଟିଏ ନୂତନ ବିକଳ୍ପ, ଯାହା ବିରୋଧ ଓ ସମର୍ଥନ ଦୁଇ ଦୃଷ୍ଟିକୋଣରୁ ଦେଖାଯାଉଛି।
ଅନେକ ଅଛନ୍ତି ଅନାଦର କରି ବୃଦ୍ଧା ଆଶ୍ରମକୁ ବୃଦ୍ଧ ପିତାମାତାଙ୍କୁ ପଠାନ୍ତି ନାହିଁ।ବେଳେବେଳେ ପରିବାରରେ ସ୍ଥାନ ଅଭାବ, ଚିକିତ୍ସା ସୁବିଧା ନଥିବା, ଚାକିରି ପାଇଁ ଦୂରରେ ବାସିନ୍ଦା ଥିବା ପରିସ୍ଥିତିରୁ ଏହି ନିଷ୍ପତି ନେବାକୁ ପଡ଼େ।
ପିଲାମାନେ ବିଭିନ୍ନ ସହରରେ ବା ବିଦେଶରେ ଚାକିରି କରୁଛନ୍ତି
ସେମାନେ ଚାହିଲେ ମଧ୍ୟ ସମୟ ଓ ସହଯୋଗ ଦେଇ ପାରୁନାହାନ୍ତି। ଘରେ ରହିବା ସତ୍ତ୍ୱେ ବୃଦ୍ଧମାନେ ଏକାକି ଓ ଅବହେଳିତ ଅନୁଭବ କରନ୍ତି। ବୃଦ୍ଧା ଆଶ୍ରମରେ ପଠେଇବା ନିଷ୍ପତ୍ତି ଏହା ଅନାଦର ନୁହେଁ, ବ୍ୟବହାରିକ ଭାବେ ଲାଗୁଥିବା ଏକ ଉପାୟ।
ବୃଦ୍ଧ ଲୋକଙ୍କ ପାଇଁ ନିୟମିତ ଚିକିତ୍ସା, ଔଷଧ ଓ ସେବା ଦରକାର ପଡ଼ିଥାଏ। ଅନେକ ପରିବାର ଏଥିରେ ବିଫଳ ହେଉଥାନ୍ତି। ବୃଦ୍ଧା ଆଶ୍ରମ ଏହି ସମସ୍ତ କାମକୁ ବୈଜ୍ଞାନିକ ଓ ସହାନୁଭୂତିପୂର୍ଣ୍ଣ ଭାବରେ କରିଥାଏ। ବୃଦ୍ଧା ଆଶ୍ରମରେ ମନୋବଳ ବଢ଼ାଇବା ପାଇଁ ଅନୁକୂଳ ସ୍ବଚ୍ଛ ପରିବେଶ ଥାଏ।
ଘରେ ବସି ଏକା ଅନୁଭବ କରୁଥିବା ବୃଦ୍ଧମାନେ ଆଶ୍ରମରେ ସାଙ୍ଗସାଥୀ , କଥାବାର୍ତ୍ତା, ଧାର୍ମିକ କାର୍ଯ୍ୟ, ଅନୁଷ୍ଠାନ ଓ ମନୋରଞ୍ଜନ ମାଧ୍ୟମରେ ନିଜ ଜୀବନକୁ ନୂତନ ଅର୍ଥ ଦିଅନ୍ତି।
ଏହା ବୃଦ୍ଧଙ୍କ ଜୀବନକୁ ଅବସାଦରୁ ବଞ୍ଚାଇଥାଏ।
ଘରେ ରହି ଅନ୍ୟଙ୍କ ଉପର ନିର୍ଭର ହେବାଠାରୁ ବୃଦ୍ଧ ମାନେ ଆଜିକାଲି ନିଜର ସ୍ୱାଧୀନ ଜୀବନଯାପନ ପସନ୍ଦ କରୁଛନ୍ତି।
ବୃଦ୍ଧା ଆଶ୍ରମରେ ରହିବାକୁ ଲଜ୍ଜା କଥା ବୋଲି ଦେଖିବା ପୁରୁଣା ଧାରଣାକୁ ଛାଡ଼ିବା ଦରକାର। ସେଠି ଥିବା ବୁଢ଼ା , ବୁଢ଼ୀ ଜଣେ ଜଣେ ଅନାଥ ନୁହଁନ୍ତି, ସେମାନେ ଜୀବନକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ଜିଇଁବାକୁ ଭଲ ପାଆନ୍ତି। ଏପରିକି ଅନେକ ବୃଦ୍ଧା ଅଛନ୍ତି ସେମାନେ ନିଜେ ଆଶ୍ରମ ଯିବାକୁ ଚୟନ କରିଥାନ୍ତି।ଏହି ଚୟନ ସେମାନଙ୍କ ସ୍ୱାଭିମାନ ଓ ମୁକ୍ତ ଚିନ୍ତାଧାରାର ଅଭିବ୍ୟକ୍ତି।
କେତେକ ବୃଦ୍ଧମାନେ ନିଜ ଇଚ୍ଛାରେ ବୃଦ୍ଧା ଆଶ୍ରମକୁ ଯାଆନ୍ତି
ଦାମ୍ପତ୍ୟ ବିବାଦରୁ ଦୂରରେ ରହିବାକୁ ,ନିଜ ପଢ଼ିବା, ଲେଖିବା, ପ୍ରାଣାୟାମ କିମ୍ବା ଧ୍ୟାନ ସ୍ବ ଇଛାରେ କରିବାକୁ, ଶାନ୍ତି ଓ ସ୍ୱାଧୀନତାରେ ରହିବାକୁ।
ବୃଦ୍ଧା ଆଶ୍ରମ ଏକ ଅପମାନ ନୁହେଁ, ଏହା ହେଉଛି ଜୀବନର ଶେଷ ଅଧ୍ୟାୟକୁ ସୁସ୍ଥ, ସୁରକ୍ଷିତ ଓ ଗରିମାପୂର୍ଣ୍ଣ ଭାବେ ଅନୁଭବ କରିବାର ଏକ ସୁଯୋଗ। ଯେଉଁଠି ଅନ୍ୟ ବୃଦ୍ଧଙ୍କ ସହ କଥା ହେବା, ମନ ହାଲକା କରିବା, ଜୀବନ ଗାଥା ଅନୁଭବ କରିବା। ସେଠି ରହିବା ଲଜ୍ଜାକର କଥା ନୁହେଁ, ବରଂ ସେ ହେଉଛି ସାମାଜିକ ଗରିମା ଓ ମୂଲ୍ୟବୋଧର ଉଦ୍ଧାର।ଏହା ସେମାନଙ୍କୁ ଦୟା ନୁହେଁ ବରଂ ଏକ ଗରିମାମୟ ଜୀବନ ପାଇଁ ଅନୁକୂଳ ପରିବେଶ।
ସବୁ ପିତାମାତା ହେଉଛନ୍ତି ପ୍ରେମ, ତ୍ୟାଗ ଓ ସାହସର ପ୍ରତୀକ। ସେମାନେ ଶିଶୁ ଦିନରୁ ନିଜ ପିଲାଙ୍କୁ ଶିକ୍ଷା, ଶିଷ୍ଟାଚାର, ମୂଲ୍ୟବୋଧ ଓ ଆତ୍ମବିଶ୍ୱାସ ଦେଇ ମଣିଷ କରିଥାନ୍ତି। ଅନେକ ପରିବାରରେ, ଆଜି ସେହି ପିଲାମାନେ ଉଚ୍ଚ ପଦବୀରେ ନିୟୋଜିତ, ନିଜ ଜୀବନରେ ସଫଳ ଅଛନ୍ତି। ବଡ଼ ବଡ଼ ପଦବୀରେ ପ୍ରତିଷ୍ଠିତ ଅଛନ୍ତି। ତାଙ୍କର ଡେଣାରେ ଉଡ଼ାଣ ଭରିଛନ୍ତି। ମୋ ମତରେ ନିଜର ସ୍ବାର୍ଥ ପାଇଁ ସେମାନଙ୍କୁ ହଇରାଣ କରିବା ଯୁକ୍ତିସଂଗତ ନୁହେଁ। ସେହି ମାନସିକ ଚିନ୍ତାଧାରା ନ ଆଣି ସେମାନଙ୍କୁ ସ୍ବାଧୀନତା ଦେବା। ଆମର ସେବା ଯତ୍ନ ପାଇଁ ଗୋଡ଼ରେ ପୁଣି ଶିକୁଳି ବାନ୍ଧି ଦେବା ଉଚିତ୍ ନୁହେଁ। ଅନେକ ବୃଦ୍ଧା ଆଶ୍ରମ ଅଛି। ଯୋଉଠି ଆମକୁ ଶାନ୍ତି ଓ ସାଥୀ ମିଳିବ।
ତେଣୁ "ଲଜ୍ଜା" ବଦଳରେ "ମର୍ଯ୍ୟାଦା" ର ଦୃଷ୍ଟିକୋଣ ଆବଶ୍ୟକ।
ସମାଜ କୁହେ ମା'ବାପାଙ୍କୁ ଆଶ୍ରମରେ ଦେଲେ ଲଜ୍ଜା କର କଥା। କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା। ବୃଦ୍ଧା ଆଶ୍ରମ ଏପରି ଏକ ସ୍ଥାନ ଯେଉଁଠି ବୃଦ୍ଧମାନେ ସୁରକ୍ଷିତ, ଆଶାବାଦୀ ଓ ମନୋରଞ୍ଜନମୟ ଜୀବନ ଜିଅନ୍ତି । ତେଣୁ ଯଦି ରିତିମତ ଭାବେ, ସମ୍ମାନ ସହିତ, ସେମାନେ ତାହାକୁ ଚୟନ କରନ୍ତି, ତେବେ ଏହା ଲଜ୍ଜାକର କଥା ନୁହେଁ, ଏହା ଜୀବନ ଗରିମାକୁ ବଞ୍ଚାଇବା ଏବଂ ବୃଦ୍ଧଙ୍କ ସୁଖ ପାଇଁ ଏକ ଆଦର୍ଶ ଚୟନ।
ବୃଦ୍ଧା ଅବସ୍ଥାରେ ପିଲାମାନଙ୍କ ଉପରେ ବୋଝ ନହେବା ବୃଦ୍ଧା ଆଶ୍ରମ ର ଆଶ୍ରୟ ନେବା କିଛି ଅନୁଚିତକର ନୁହେଁ ।
ବୃଦ୍ଧା ଆଶ୍ରମ ଏକ ଲଜ୍ଜାକର ନୁହେଁ, ଏହା ମର୍ଯ୍ୟାଦାପୂର୍ଣ୍ଣ ଜୀବନର ଏକ ବିକଳ୍ପ ମାନବତାମୟ ଆଶ୍ରୟ। ଯେଉଁଠି ଜଣେ ବୃଦ୍ଧ ଲୋକ ସ୍ୱାଭିମାନ ଓ ସେବାରେ ବଞ୍ଚି ପାରିବେ।ତେଣୁ ସେଠି ରହିବା ଅପରାଧ ନୁହେଁ କି ଅପମାନ ମଧ୍ୟ ନୁହେଁ।
ବ୍ୟକ୍ତିଗତ ବିବେକ, ପରିସ୍ଥିତି ଓ ମର୍ଯ୍ୟାଦାର ଚୟନ ମାନିବା ଦରକାର। ତେଣୁ ଏହି ଧାରଣା ବଦଳିବା ଦରକାର ,ଏହି ଲଜ୍ଜା ନୁହେଁ ଏହା ଗରିମା ଓ ସ୍ୱାଧୀନତାର ମୂଲ୍ୟବୋଧ ।ଯଦି ଜଣେ ସନ୍ତାନ ବୃଦ୍ଧ ପିତାମାତାଙ୍କୁ ଘରେ ରଖି ଯତ୍ନ ନିଅନ୍ତି ତାହା ଉତ୍ତମ କଥା। କିନ୍ତୁ ଯଦି ସେମାନେ ତାଙ୍କୁ ଘରେ ରଖି ଅବହେଳା କରନ୍ତି ତାହା ଅଧିକ ଲଜ୍ଜାକର।
ଏପରି ପରିସ୍ଥିତିରେ ଯଦି ବୃଦ୍ଧ ଜଣେ ଆଶ୍ରମକୁ ଯିବା ଚୟନ କରନ୍ତି ତେବେ ଏହି ନିଷ୍ପତି ସେମାନଙ୍କ ସ୍ୱାଭିମାନ, ସ୍ୱାଧୀନତା ଓ ମର୍ଯ୍ୟାଦାର ପ୍ରତୀକ ଅତୁଟ ରହିବା ଉଚିତ।
ବୃଦ୍ଧା ଆଶ୍ରମ ଲଜ୍ଜା ନୁହେଁ। ଯେଉଁଠି ନିଜ ପାଇଁ ଏକ ଶାନ୍ତ, ସୁସଂଗଠିତ ଓ ସମ୍ମାନିତ ଜୀବନ ଗଢ଼ିପାରିବେ ସେଠି ରହିବା ଅପରାଧ ନୁହେଁ ସେ ହେଉଛି ସଠିକ୍ ବିକଳ୍ପ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୭୩୪
Comments
Post a Comment