ଧରାର କୋଳେ ସ୍ବଚ୍ଛତାର ହସ
ଗାନ୍ଧୀଜୀଙ୍କ ମତ ଅନୁସାରେ, “ସ୍ବଚ୍ଛତା ଭଗବାନଙ୍କ ପାଖରେ ପହଞ୍ଚିବାର ପ୍ରଥମ ସିଢ଼ି।”
ଶରୀର, ମନ ଓ ପରିବେଶ ଏହି ତିନୋଟିର ସମାନ ସ୍ବଚ୍ଛତା ବିନା ସମ୍ପୂର୍ଣ୍ଣ ଜୀବନ ସମ୍ଭବ ନୁହେଁ।
ସ୍ବଚ୍ଛତା କେବଳ ଆମର ଚାରିପାଖର ପରିବେଶକୁ ନୁହେଁ, ଏହା ଆମର ମନ, ଚିନ୍ତା ଓ ଜୀବନଶୈଳୀ ସହିତ ଜଡିତ। “ସ୍ବଚ୍ଛ ମନ, ସ୍ବଚ୍ଛ ପରିବେଶ, ସ୍ବଚ୍ଛ ଭାରତ” ଏହି ତିନୋଟି ଅଭିଧାନକୁ ଅଲଗା କରି ଆମେ ଭାବି ପାରିବା ନାହିଁ।“ଯଦି ଆମେ ଦେଶକୁ ସ୍ୱାଧୀନ ଓ ସୁନ୍ଦର କରିବାକୁ ଚାହୁଁଛୁ, ତେବେ ପ୍ରଥମେ ଆମ ଗାଁ, ଆମ ଘର, ଆମ ପରିବେଶକୁ ସ୍ବଚ୍ଛ କରିବାକୁ ପଡିବ।”
ପରିବେଶ ଅର୍ଥ ଆମ ଧରା ଯାହାକୁ ଆମେ ମାଟି, ପୃଥିବୀ କିମ୍ବା ପ୍ରକୃତି ବୋଲି କହୁଛୁ ସେ କେବଳ ଆମକୁ ଜୀବନ ଦିଅନ୍ତି ନାହିଁ, ସେ ହେଉଛନ୍ତି ଆମ ଜୀବନର ସ୍ଥାୟୀ ଆଶ୍ରୟ। ତାଙ୍କର କୋଳରେ ଆମେ ବଞ୍ଚୁଛୁ, ଖାଉଛୁ, ପିଉଛୁ, ଶ୍ୱାସ ନେଉଛୁ। କିନ୍ତୁ ସେହି କୋଳକୁ ସ୍ବଚ୍ଛ ଓ ପବିତ୍ର ରଖିବାରେ ଆମେ କେତେ ସଚେତନ ଅଛେ?
ସ୍ବଚ୍ଛତା ସମାଜ, ପରିବେଶ ଓ ପୃଥିବୀ ସୁରକ୍ଷାର ପ୍ରଥମ ପଦକ୍ଷେପ। “ଧରାର କୋଳେ ସ୍ବଚ୍ଛତାର ହସ” କହିବାର ଅର୍ଥ ହେଉଛ ଯେଉଁଦିନ ଆମେ ସମସ୍ତେ ମିଶି ପରିବେଶକୁ ନିର୍ମଳ ରଖିବା ସେଦିନ ପୃଥିବୀ ଆମକୁ ତାର ପବିତ୍ର ହସରେ ଆଶୀର୍ବାଦ କରିବ। ପରିବେଶ କେବଳ ଆମର ଜୀବନର ପୃଷ୍ଠଭୂମି ନୁହେଁ, ଏହା ଆମ ଅସ୍ତିତ୍ୱର ଭିତ୍ତି। ପ୍ରକୃତି, ଜଳ, ପବନ, ମାଟି ସବୁ ପରିବେଶର ଅଂଶ। ଯଦି ଏହା ସ୍ବଚ୍ଛ ରହେ, ଆମର ଜୀବନ ସ୍ବସ୍ଥ ଓ ସୁନ୍ଦର ହେବ। କିନ୍ତୁ ଯଦି ଆମେ ପରିବେଶକୁ ଅବହେଳା କରିବା, ସେଥିରେ ମଇଳା, ପ୍ରଦୂଷଣ ଓ ବର୍ଜ୍ୟ ସାମଗ୍ରୀ ରେ ଦୂଷିତ କରିବା , ତେବେ ଏହା କେବଳ ପ୍ରକୃତିକୁ ନୁହେଁ, ମାନବଜାତିକୁ ମଧ୍ୟ ବିନାଶ ମୁହାଁଣକୁ ନେଇଯିବ।
ଆଜିର ସମାଜରେ ସ୍ବଚ୍ଛତା କେବଳ ଏକ ଅଭ୍ୟାସ ନୁହେଁ, ଏହା ଜୀବନର ଏକ ପ୍ରମୁଖ ଆବଶ୍ୟକତା। "ସ୍ବଚ୍ଛତା ହିଁ ସେବା" ଏହି ମନ୍ତ୍ରକୁ ନେଇ ଆମ ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ୨ ଅକ୍ଟୋବର ୨୦୧୪ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା "ସ୍ବଚ୍ଛ ଭାରତ ଅଭିଯାନ" ଆରମ୍ଭ ହୋଇଥିବା ଏବେ ସମଗ୍ର ଦେଶରେ ଜନ ଆନ୍ଦୋଳନର ରୂପ ନେଇଛି।
ସ୍ବଚ୍ଛ ପରିବେଶ ସୁସ୍ଥ ସମାଜ ଗଠନ କରେ। ଯେଉଁ ଯାଗା ଅପରିଷ୍କାର ରହେ, ସେଠାରେ ବିଭିନ୍ନ ରୋଗର ସମସ୍ୟା ବୃଦ୍ଧି ପାଏ। ସ୍ବଚ୍ଛ ପରିବେଶ ଆମକୁ ସ୍ବସ୍ଥ ଦେହ, ସ୍ବସ୍ଥ ମନ ଓ ସମ୍ପୂର୍ଣ୍ଣ ଜୀବନ ଦେଇଥାଏ। ପରିବେଶ ଯେତେ ସୁନ୍ଦର ଓ ନିର୍ମଳ ରହିବ, ଆମର ଆୟୁ, କାର୍ଯ୍ୟଶକ୍ତି ଓ ଜୀବନମାନ ଉନ୍ନତ ହେବ। ସ୍ବଚ୍ଛ ପବନ, ନିର୍ମଳ ଜଳ ଓ ସବୁଜ ପରିବେଶ ହେଉଛି ମାନବ ସମୃଦ୍ଧିର ପ୍ରଥମ ସର୍ତ୍ତ।
ଦୁର୍ଭାଗ୍ୟର କଥା, ଆମେ ଆଜି ପରିବେଶକୁ ସୁରକ୍ଷା କରିବାରେ ବିଫଳ ହେଉଛେ। ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର, ବନଚ୍ଛେଦ, ନଦୀ-ନାଳରେ ଆବର୍ଜନା ପକେଇବା, ଶିଳ୍ପକାରଖାନାରେ ଅନିୟନ୍ତ୍ରିତ ବର୍ଜ୍ୟବସ୍ତୁ ନିର୍ଗତ, ଧୂଆଁ ଓ ଶବ୍ଦ ପ୍ରଦୂଷଣ ଏସବୁ ଆମର ଜୀବନକୁ ସଙ୍କଟ ଗ୍ରସ୍ତ କରିଛି।ପ୍ରଦୂଷିତ ଜଳ, ଦୁଷିତ ପବନ, ଅପରିଷ୍କାର ପରିବେଶ ମାନବକୁ କ୍ୟାନ୍ସର, ଆସ୍ଥମା, ମେଲେରିଆ, ଡେଙ୍ଗୁ ପରି ଜୀବନଘାତୀ ରୋଗରେ ପୀଡ଼ିତ କରୁଛି।
ସରକାର "ସ୍ବଚ୍ଛ ଭାରତ" ପରିକଳ୍ପନା ମାଧ୍ୟମରେ ସମସ୍ତଙ୍କୁ ଟଏଲେଟ୍ ବ୍ୟବହାର, ପ୍ଲାଷ୍ଟିକ ବିରୋଧୀ ଅଭିଯାନ, ନିୟମିତ ଝାଡ଼ୁକାମ, ବର୍ଜ୍ୟ ପଦାର୍ଥ ପ୍ରତିଷ୍ଠାପନା ଇତ୍ୟାଦିରେ ସଚେତନ କରାଇଛନ୍ତି। କିନ୍ତୁ କେବଳ ସରକାରୀ ପଦକ୍ଷେପରେ ଏହା ସମ୍ଭବ ହେବ ନାହିଁ, ସମାଜର ପ୍ରତ୍ୟେକ ନାଗରିକଙ୍କୁ ଏଥିରେ ଅଂଶୀଦାର ହେବା ଆବଶ୍ୟକ।
ସମାଜର ସ୍ବଚ୍ଛତା, ରାଷ୍ଟ୍ରର ସ୍ବଚ୍ଛତା—ସବୁର ମୂଳେ ରହିଛି ଘର। ଯେଉଁ ପରିବାର ନିଜ ଘରକୁ ସ୍ବଚ୍ଛ ଓ ନିର୍ମଳ ରଖେ, ସେହି ପରିବାରରୁ ଗଢ଼ିଉଠେ ସଚେତନ ନାଗରିକ। ତେଣୁ “ସ୍ବଚ୍ଛତା ଘରୁ ଆରମ୍ଭ ହୁଏ” ଏହା ଏକ ନାରା ନୁହେଁ, ବରଂ ଜୀବନର ସତ୍ୟ। ଆଜି "ସ୍ବଚ୍ଛ ଭାରତ"ର ସଙ୍କଳ୍ପକୁ ସଫଳ କରିବା ପାଇଁ କେବଳ ସରକାରୀ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ। ଏହି ଅଭିଯାନ ଘରେ ଘରେ ଆରମ୍ଭ ହେବା ଦରକାର। ଘରର ସ୍ବଚ୍ଛତା କେବଳ ସଜାବଟା ପାଇଁ ନୁହେଁ, ଏହା ସ୍ବାସ୍ଥ୍ୟର ସୁରକ୍ଷା। ନିୟମିତ ଝାଡ଼ୁ, ଶୌଚାଳୟର ସଫାଇ, ତରଳ ଓ ଶୁଖା ଆବର୍ଜନାର ବିଭାଜନ, ପ୍ଲାଷ୍ଟିକ ବ୍ୟବହାରରେ ସଂଯମ ଏସବୁ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ ବଡ଼ ପରିବର୍ତ୍ତନ। ପରିବାରର ପିଲାମାନଙ୍କୁ ସ୍ବଚ୍ଛତାର ଅଭ୍ୟାସ ଶିଖାଇବା ସବୁଠାରୁ ଦରକାର। ପିଲାମାନେ ଯଦି ଘରୁ ସଚେତନ ହେବେ, ତେବେ ସେମାନେ ସମାଜରେ ମଧ୍ୟ ସ୍ବଚ୍ଛତାର ସନ୍ଦେଶକୁ ପ୍ରସାର କରି ପାରିବେ।
ଏହା ସତ୍ୟ ଯେ, ଘର ସ୍ବଚ୍ଛ ରହିଲେ ପଡ଼ୋଶୀ ସଚେତନ ହୁଏ; ପଡ଼ୋଶୀ ସଚେତନ ହେଲେ ଗାଁ-ସହର ସଚେତନ ହୁଏ; ଏବଂ ଏହିଭଳି ସମାଜରୁ ଗଢ଼ିଉଠେ ସ୍ବଚ୍ଛ ଭାରତ।ଯଦି ଆମେ ନିଜର ଘରକୁ ଶୁଦ୍ଧ ରଖିବା, ପଡ଼ୋଶୀଙ୍କୁ ପ୍ରେରିତ କରିବା, ତେବେ ଗାଁ, ସହର ଏବଂ ସମଗ୍ର ଦେଶ ସ୍ବଚ୍ଛ ହେବ। ସ୍ବଚ୍ଛ ଘର = ସ୍ବଚ୍ଛ ସମାଜ = ସ୍ବଚ୍ଛ ଭାରତ।
ସ୍ବଚ୍ଛତା ପାଇଁ ଆମର ଆବଶ୍ୟକ ପଦକ୍ଷେପ ନେବା ଉଚିତ ଯେମିତିକି
1. ପ୍ଲାଷ୍ଟିକ ବ୍ୟାଗର ସ୍ଥାନରେ କପଡା , ଜୁଟ୍,ପେପର ବ୍ୟାଗ ବ୍ୟବହାର କରିବା
2. ଆବର୍ଜନା ବ୍ୟବସ୍ଥାପନା ଅର୍ଥାତ୍ ଶୁଖା ଓ ତରଳ ଆବର୍ଜନାକୁ ଅଲଗା କରି ରଖିବାର ବ୍ୟବସ୍ଥା କରିବା
3. ପ୍ରତ୍ୟେକ ଲୋକ ଏକାଧିକ ଗଛ ଲଗାଇ ପ୍ରକୃତିର ସୁରକ୍ଷା କରିବା।
4. ନଦୀ, ପୋଖରୀ ଓ ସମୁଦ୍ରକୁ କାରଖାନାର ବର୍ଜ୍ୟ ପଦାର୍ଥ ବା ଦୂଷିତ ଗ୍ୟାସ ବା ଅନ୍ୟ କୌଣସି ବର୍ଜ୍ୟବସ୍ତୁ ଫିଙ୍ଗିବାକୁ ନିଷେଧ କରିବା।
5. ସ୍କୁଲ, କଲେଜ, ସମାଜରେ ସ୍ବଚ୍ଛତା ବିଷୟରେ ଆଲୋଚନା, ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ କରିବା
6. ବିକଳ୍ପ ଉର୍ଜା ବ୍ୟବହାର ଯେମିତିକି ସୂର୍ଯ୍ୟ ଶକ୍ତି, ପବନ ଶକ୍ତି ଓ ବାୟୋଗ୍ୟାସ ପରି ପରିବେଶମୈତ୍ରୀ ଉର୍ଜା ବ୍ୟବହାର କରିବା।
7. ସାର୍ବଜନୀନ ସ୍ଥାନର ସ୍ବଚ୍ଛତା – ବଜାର, ବାଟ ଘାଟ ରେଳବସ୍ତାନ, ପାର୍କ, ମନ୍ଦିର, ମସଜିଦ ଓ ସ୍କୁଲ-କଲେଜ ପରି ସାର୍ବଜନୀନ ସ୍ଥାନକୁ ସ୍ବଚ୍ଛ ରଖିବା ପାଇଁ ସଚେତନ ଅଭିଯାନ କରିବା।
ସରକାର "ସ୍ବଚ୍ଛ ଭାରତ ଅଭିଯାନ" ମାଧ୍ୟମରେ ଦେଶରେ ସ୍ବଚ୍ଛତା ପାଇଁ ବିଶାଳ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ କେବଳ ସରକାରୀ ଉଦ୍ୟମ ପର୍ଯ୍ୟାପ୍ତ ନୁହେଁ।"ସ୍ବଚ୍ଛତା ହିଁ ଦେବତ୍ୱ" ଏହାକୁ ଆମେ ଭୁଲିବା ଉଚିତ୍ ନୁହେଁ। ସ୍ବଚ୍ଛତା ପାଇଁ ଆବଶ୍ୟକ ପଦକ୍ଷେପ କେବଳ କାଗଜରେ ନୁହେଁ, କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗୀୟ ହେବା ଦରକାର। ଘର, ସ୍କୁଲ, ଗାଁ, ସହର ସମସ୍ତେ ମିଶିଲେ ସ୍ବଚ୍ଛ ଭାରତ ସ୍ବପ୍ନ ପୂରଣ ହେବ। ସ୍ବଚ୍ଛତାକୁ ଆମେ ଦୈନିକ ଅଭ୍ୟାସରେ ପରିଣତ କଲେ, ଆଗାମୀ ପିଢ଼ି ପାଇଁ ଆମେ ଏକ ସୁସ୍ଥ, ସୁନ୍ଦର ଓ ସ୍ବଚ୍ଛ ଭାରତ ଗଢିବାରେ ସମର୍ଥ ହେଇପାରିବା। ପ୍ରତ୍ୟେକ ନାଗରିକ ଯଦି ନିଜ ଘର, ଗାଁ, ସହରକୁ ସ୍ବଚ୍ଛ ରଖିବାରେ ଦାୟିତ୍ୱବାନ୍ ହୁଏ, ତେବେ ଏହା ନିଶ୍ଚିତ ସଫଳ ହେବ।ନିହିତ।
ସ୍ବଚ୍ଛତାରେ ଆମର ଭବିଷ୍ୟତ୍ର ସୁରକ୍ଷା ନିହିତ। ପ୍ରକୃତିର ସମ୍ପଦକୁ ସୁରକ୍ଷା କରିବା, ପରିବେଶକୁ ସ୍ବଚ୍ଛ ରଖିବା ଏହା କେବଳ କର୍ତ୍ତବ୍ୟ ନୁହେଁ, ଏକ ନୈତିକ ଦାୟିତ୍ୱ। ଯଦି ଆମେ ସମସ୍ତେ ସଚେତନ ହୋଇ ଛୋଟ-ଛୋଟ ପଦକ୍ଷେପ ନେବା, ତେବେ ଆମର ଭାରତକୁ ଏକ ସ୍ବଚ୍ଛ, ସୁନ୍ଦର ଓ ସୁସ୍ଥ ପରିବେଶର ଦେଶରେ ପରିଣତ କରିପାରିବା। ଗାନ୍ଧୀଜୀଙ୍କ ମତରେ ସ୍ବଚ୍ଛତା କେବଳ ଶାରୀରିକ ପରିଚ୍ଛନ୍ନତା ନୁହେଁ, ବରଂ ଚିନ୍ତା, କଥାବାର୍ତ୍ତା ଓ ଆଚରଣର ସ୍ବଚ୍ଛତା ମଧ୍ୟ ସମାନ ଦରକାରୀ।
ତେଣୁ ଆଜିର ଆହ୍ୱାନ—“ପ୍ରଥମେ ନିଜ ମନକୁ ସ୍ବଚ୍ଛ କରନ୍ତୁ, ତାପରେ ଘରକୁ ସ୍ବଚ୍ଛ କରନ୍ତୁ, ପରେ ସମାଜକୁ।” କାରଣ, ସ୍ବଚ୍ଛତାର ଯାତ୍ରା ଘରରେ ଦୀପଶିଖା ଭଳି ଆରମ୍ଭ ହୋଇ, ସମଗ୍ର ଦେଶକୁ ପ୍ରକାଶିତ କରିପାରେ।
ଆସନ୍ତୁ, ସମସ୍ତେ ମିଶି "ସ୍ବଚ୍ଛ ପରିବେଶ, ସୁସ୍ଥ ଜୀବନ"ର ସଙ୍କଳ୍ପକୁ ଜୀବନରେ ପ୍ରୟୋଗ କରିବା।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment