ମୁଁ ....ଶେଷ ଶ୍ରାବଣ
ଆଜି ଶ୍ରାବଣର ଶେଷ ସନ୍ଧ୍ୟା,
ଆକାଶରେ ମେଘର ଅଳସ ଛାୟା,
ବର୍ଷାର ଥକିଥିବା ସ୍ବର,
ପଥରେ ରହି ଯାଇଥିବା ଜଳବିନ୍ଦୁର ସ୍ମୃତି।
ଆଜି ମୋର ଶେଷ ସଜାଣ,
ମେଘମାଳାରେ ଗୁନ୍ଥିଛି କଳା ନୂଆ ପାଟ,
ବଜ୍ରଧ୍ବନିରେ ପିନ୍ଧିଛି କର୍ଣ୍ଣଭୂଷଣ,
ବର୍ଷା ବିନ୍ଦୁରେ ରଚିଛି ହାର,
ପବନରେ ବାନ୍ଧିଛି ମୋର ବିଦାୟ ସଙ୍ଗୀତ,
ମୋ ଆକାଶୀୟ ମେଘକୁ
ତୁମ କେଶରେ ଖୋସିବା ପାଇଁ
କଳା ଗୁଛାରେ ଆଙ୍କିଛି,
ଚାନ୍ଦକୁ କରିଛି କୁମୁଦୀୟ ହସ,
ଯାହା ତୁମ ମୁହଁରେ ପଡ଼ି
ଆଲୋକିତ କରିଦେବ।
ତାରାମାଳାକୁ କପାଳର ଚିତ୍ର,
ଆକାଶକୁ ମୋର ବିଦାୟର ପରଦା।
ମୁଁ ସଜେଇଛି
ନଦୀର ଉଫୁରାଣିକୁ ସିନ୍ଧୁର ରଙ୍ଗରେ,
କେତକୀ ଓ ଧାନକେତରକୁ ସବୁଜ ଅଳତାରେ,
ପଥରେ ପଡ଼ୁଥିବା ବୁନ୍ଦମଣିକୁ
ମଣିମାଳା ପରି ଛିଟିକି ଦେଇଛି।
ଆଜି ମୋର ଶେଷ ନୃତ୍ୟ,
ଶେଷ ସ୍ବପ୍ନ,
ଶେଷ ସଜାଣ,
କିନ୍ତୁ ମୋର ପ୍ରତିଜ୍ଞା
ଆସନ୍ତା ବର୍ଷରେ ମୁଁ ପୁଣି ଫେରିବି,
ନୂଆ ସଜାଣ, ନୂଆ ପ୍ରେମ, ନୂଆ ଗୀତ ସହ।
Comments
Post a Comment