(ଟିକି ଟିକି ଫୁଲ ଆମେ)
ଟିକି ଟିକି ଫୁଲ ଆମେ ଭାରତ ମାତାର
ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।।
ଆମ ବାସ ଖେଳିଯାଏ ମୁଲକରୁ ମୁଲକ
ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।।
ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ
ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।।
ଟିକି ଟିକି ଶିଶୁ ଆମେ ଭାରତର ମଣି
ଦୂର କରିବୁ ଅନ୍ଧାର ଆଲୋକକୁ କିଣି।।
ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ
ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।।
ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ
ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।।
ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା
ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।।
ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ
ଚିକିମିକି ଚମକିବୁ ଭାଇଚାରା ଡୋରରେ।।
ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ
ଦିଗନ୍ତ ବିସ୍ତାରି ଆମ ନାମ ମହକିବ।।
ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା
ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।।
ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି
ହେଳା ନ କର ଆମକୁ ନିଅ କୋଳେ ସାଉଁଟି।।
ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ
କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।।
ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ
ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।।
ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ
ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।।
ମିଳିମିଶି ପ୍ରକୃତିର ରକ୍ଷା ଯେ କରିବୁ
ଏକତାର ମନ୍ତ୍ର ଗାଇ ଆଗ୍ରସର ହେବୁ।।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment