Skip to main content

କାର୍ତ୍ତିକ ମାସର ଦିବ୍ୟ ମାହାତ୍ମ୍ୟ

ପଦ୍ମ ପୁରାଣ ରେ ଅଛି...
“କାର୍ତ୍ତିକେ ସ୍ନାନଦାନାଦି,
ଦୀପଦାନାଦି କର୍ମଭିଃ।
ଅଶ୍ୱମେଧସହସ୍ରାଣି,
କୃତାନି ସମତୋ ଭୂତ॥” 
ଅର୍ଥାତ କାର୍ତ୍ତିକ ମାସରେ କରାଯାଇଥିବା ସ୍ନାନ, ଦାନ, ଓ ଦୀପଦାନ, ହଜାର ଅଶ୍ୱମେଧ ଯଜ୍ଞର ପୁଣ୍ୟ ସହ ସମାନ। 
ଆଶ୍ୱିନ ମାସରେ ଯେତେବେଳେ ବିଶ୍ଵଜନନୀ କରୁଣାମୟୀ ମା’ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା’ ଲକ୍ଷ୍ମୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ ସେତେବେଳେ ଦେବ ସେନାପତି କାର୍ତ୍ତିକଙ୍କ ଆରାଧନା ମନରେ ଜାଗ୍ରତ ହୁଏ । ତେଣୁ ଏହି ମାସରେ ଓଡ଼ିଶାର ପୁରପଲ୍ଲୀରେ ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ମହାଆଡମ୍ବରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରନ୍ତି।
ପ୍ରାତଃ ସ୍ମରଣୀୟ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । 

କାର୍ତ୍ତିକ ମାସକୁ ସନାତନ ଧର୍ମରେ ସବୁଠାରୁ ପୁଣ୍ୟମୟ ମାସ ବୋଲି କୁହାଯାଏ। ଏହାକୁ ‘ଧର୍ମ, ଭକ୍ତି ଓ ତପସ୍ୟାର ମାସ’ ଭାବେ ଗ୍ରହଣ କରା ଯାଇଥାଏ। ଭଗବାନ ବିଷ୍ଣୁଙ୍କ ପୂଜା, ତୁଳସୀ ଆରାଧନା, ନିୟମ-ନିଷ୍ଠା, ଦାନ-ଧର୍ମ, ଜଳଦାନ, ପବିତ୍ର ସ୍ନାନ ଇତ୍ୟାଦି କାର୍ଯ୍ୟ କାର୍ତ୍ତିକରେ ବିଶେଷ ଫଳ ପ୍ରଦାୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । 
ଗୀତାରେ ଭଗବାନ କୃଷ୍ଣ ଶ୍ରେଷ୍ଠତା ବିଚାର କରି କହିଛନ୍ତି ଯେ ବନସ୍ପତି ରେ ତୁଳସୀ, ତୀର୍ଥରେ ହରିକାପୁରୀ, ତିଥିରେ ଏକାଦଶି ଏବଂ ମାସରେ କାର୍ତ୍ତିକ ଶ୍ରେଷ୍ଠ ଅଟନ୍ତି। ଏହାକୁ ‘ଦାନ, ଅନୁଷ୍ଠାନ ଓ ଭକ୍ତିର ରାଜା’ ବୋଲି କୁହା ଯାଇଥାଏ। କାର୍ତ୍ତିକ ସ୍ନାନ, ତୁଳସୀ ବ୍ରତ, ଦୀପଦାନ ଓ ବିଷ୍ଣୁ ପୂଜା ସବୁଥିରେ ଅସୀମ ପୁଣ୍ୟ‌ ନିହିତ ରହିଛି। କାର୍ତ୍ତିକ ବ୍ରତ ଓ ହବିଷ ମାସ ସାରା ପାଳନ କରାଯାଏ। ବିଶେଷକରି ବିଧବା ଏବଂ ଧର୍ମପରାୟଣ ସଧବା ମାନେ ହବିଷ ପାଳନ କରନ୍ତି। ଏଥିରେ ସାତ୍ତ୍ୱିକ ଆହାର (ନିରାମିଷ, ବିନା ପିଆଜ-ରସୁଣ) ଗ୍ରହଣ କରାଯାଏ ଏବଂ ନିୟମିତ ଶୁଦ୍ଧାଚାର ରକ୍ଷା କରାଯାଇଥାଏ।
ଏହି ମାସରେ କେତେକ ଗୁରୁତ୍ୱପୂର୍ଣ୍ଣ ପର୍ବ ପାଳନ କରାଯାଏ। ଯେମିତିକି ଦୀପାବଳି ପର୍ବ ଏହି କାର୍ତ୍ତିକ ମାସର ମୁଖ୍ୟ ଆକର୍ଷଣ। ସେହିଦିନ ଘରେ-ଘରେ ପ୍ରଜ୍ୱଳିତ ହୁଏ ଦୀପ, ଯାହା ଅନ୍ଧକାରରୁ ଆଲୋକ ଯାତ୍ରାକୁ ପ୍ରତିକିତ କରେ।
ଗୋବର୍ଦ୍ଧନ ପୂଜା: ଆମକୁ ପରିବେଶ ସୁରକ୍ଷା ଓ ପ୍ରକୃତି ସେବାର ବୋଧ କରାଏ। ଭାଇଦୂଜ: ଭାଇ-ଭଉଣୀର ପ୍ରେମର ସମ୍ପର୍କକୁ ଗାଢ଼ କରେ।ତୁଳସୀ ବିବାହ: କାର୍ତ୍ତିକ ମାସ ହେଉଛି ତୁଳସୀ ପୂଜାର ସର୍ବୋତ୍ତମ ସମୟ। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ତୁଳସୀ ବିବାହ ଆୟୋଜନ କରାଯାଏ ଯେଉଁଠାରେ ଶାଳଗ୍ରାମ ଓ ତୁଳସୀଙ୍କ ମିଳନ ହୋଇଥାଏ। ଏହି ପବିତ୍ର ବିବାହ ଯାହା ପରିବାରରେ ସମୃଦ୍ଧି ଓ ଶାନ୍ତି ଆଣେ। କାର୍ତ୍ତିକ ପୂର୍ଣ୍ଣିମା: ଏହି ଦିନର ସ୍ନାନ, ପାରାୟଣ ଓ ଦୀପଦାନ ସବୁଠାରୁ ପୁଣ୍ୟକର।
ଶାସ୍ତ୍ର କହିଛି ଯେ, କାର୍ତ୍ତିକରେ ଛୋଟ କାର୍ଯ୍ୟକୁ ମଧ୍ୟ ବ୍ରହ୍ମାଣ୍ଡ  ଯଜ୍ଞର ଫଳ ସମାନ ମିଳେ। ଏକ ଦୃଷ୍ଟାନ୍ତ ଅଛି ଯେ ଜଣେ ଗରିବ କାର୍ତ୍ତିକ ମାସରେ ମାତ୍ର ଗୋଟେ ତୁଳସୀ ପତ୍ର ଭଗବାନଙ୍କୁ ଅର୍ପଣ କରିଥିଲେ, ତା’ର ଫଳରେ ସେ ସ୍ୱର୍ଗଲୋକକୁ ପ୍ରାପ୍ତ କଲେ। ସେହିପରି,କାର୍ତ୍ତିକ ମାସରେ ଶ୍ରୀମଦ୍‌ଭାଗବତ ପାରାୟଣ ଓ ଭଗବାନ କୃଷ୍ଣଙ୍କ ରାସଲୀଳା ସ୍ମରଣର ମାହାତ୍ମ୍ୟ ବହୁତ ଅଧିକ। ଏହାର ମାଧ୍ୟମରେ ଆମ ମନ ପବିତ୍ର ହୁଏ ଓ ଜୀବନ ସଂସ୍କାରିତ ହୁଏ। 
ଲୋକକଥାରେ ଅଛି ଯିଏ କାର୍ତ୍ତିକରେ ତୁଳସୀ ଚଉରା ପାଖରେ ଦୀପ ଜଳାଏ, ସେ ଲକ୍ଷ୍ମୀ-ନାରାୟଣଙ୍କ କୃପା ଲାଭ କରେ।
ବହୁତ ଋଷିମୁନି କାର୍ତ୍ତିକ ମାସରେ ତପସ୍ୟା କରି ମୋକ୍ଷ ଲାଭ କରିଛନ୍ତି। ଧ୍ରୁବ ଏହି ମାସରେ ଭଗବାନଙ୍କ ଭକ୍ତି କରି ଧ୍ରୁବତାରାରେ ପରିଣତ ହୋଇଥିଲେ।
ଏହି ପର୍ବ ଆମକୁ ସେଇ ଶିକ୍ଷା ଦେଇଥାଏ “ସାଧାରଣ ଜୀବନରେ ମଧ୍ୟ ପବିତ୍ରତା ଓ ଭକ୍ତିକୁ ଅନୁଭବ କରିବା ସମ୍ଭବ।”
କାର୍ତ୍ତିକର ପ୍ରବୋଧିନୀ ଏକାଦଶୀ ହେଉଛି ବିଷ୍ଣୁ ଶୟନ ସମାପ୍ତିର ଦିନ।ଏହି ଦିନ ଭକ୍ତମାନେ ଉପବାସ ରୁହନ୍ତି ଓ ଜାଗରଣ କରନ୍ତି। ଯାହା ମନକୁ ସଫଳ ସଂୟମ ଓ ଶାନ୍ତି ଦେଇଥାଏ।
ଏହି ମାସକୁ “ଦାମୋଦର ମାସ” ବୋଲି ଓଡ଼ିଶାରେ ମଧ୍ୟ ଆହ୍ବାନ କରାଯାଏ। ଦାମୋଦରାଷ୍ଟକ ପାଠ କରି ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଦିବ୍ୟ ଶିଶୁ ରୂପକୁ ସ୍ମରଣ କରିଥାନ୍ତି।
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ, ଭୀଷ୍ମ ପଞ୍ଚୁକ, ବା ମହାପଞ୍ଚୁକ କୁହାଯାଏ, ଯାହାର ଧାର୍ମିକ ମହତ୍ତ୍ୱ ସର୍ବାଧିକ। ଏହି ସମୟରେ ହବିଷ ପାଳନ ନିଶ୍ଚିତ ରୂପେ କରିଥାନ୍ତି।
ଏହି ଗଭୀର ବିଶ୍ୱାସ ଭିତରେ ‘ ଆକାମାବୈ ‘ ଗୁରୁତ୍ୱ ଉପଲବ୍ଧ ହୋଇଥାଏ । ଅର୍ଥାତ୍ ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ ଏଇ ଚାରିମାସର ପ୍ରଥମ ଅକ୍ଷର । ଏହି ଚାରିମାସ ବର୍ଷର ପୁଣ୍ୟମାସ । ଆମର କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଏଇ କଥା କୁହାଯାଏ ।
ଉଜ୍ଜ୍ବଳ ଆକାଶଦୀପ ପ୍ରତିଷ୍ଠା ହେଉଛି ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ପୁଣ୍ୟ ଫଳ । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ହୋଇଆସୁଛି।
ଏହି କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଯେତିକି ଗୁରୁତ୍ଵପୂର୍ଣ୍ଣ , ସେତିକି ସମଗ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ପ୍ରସିଦ୍ଧି ଲାଭ କରିଅଛି ।
ଆୟୁର୍ବେଦ ଅନୁଯାୟୀ, କାର୍ତ୍ତିକ ମାସରେ ଡାଲି ଖାଇବା ଠାରୁ ଦୂରେଇ ରହିବା ,ଆମିଷ ନ ଖାଇବା, ସାତ୍ତ୍ୱିକ ଆହାର କରିବାକୁ କୁହାଯାଏ।ଏହି ମାସରେ ଗୋଲମରିଚ ବ୍ୟବହାରରେ ବିଶେଷ ମହତ୍ତ୍ୱ ଅଛି । ବୈଦିକ ବିଶ୍ୱାସ ହେଉଛି ଯେ କାର୍ତ୍ତିକ ମାସର ସମସ୍ତ ଦିନ ଗଙ୍ଗା ସହିତ ସମାନ ।  ଉପାସନାର ଗୁଣାତ୍ମକ ଦୃଷ୍ଟିରୁ ବିଚାର କଲେ ପୁଷ୍କରିଣୀରେ ବା ନଦୀ ପୀଠରେ ସ୍ନାନ କରି କାର୍ତ୍ତିକ ମାହାତ୍ମ୍ୟ ପୁରାଣ ପାଠ ଦ୍ୱାରା ମନ ପ୍ରଫୁଲ୍ଲ ରହେ । 
ସେହିପରି, କାର୍ତ୍ତିକ କେବଳ ପର୍ବ-ପର୍ବାଣୀର ମାସ ନୁହେଁ, ଏହା ଭକ୍ତି, ଉପବାସ, ପରୋପକାର ଓ ଆତ୍ମଶୁଦ୍ଧିର ମାସ।
   କାର୍ତ୍ତିକ ଆମକୁ ଶିଖାଏ ...
“ଭକ୍ତିରେ ଶକ୍ତି, ନିୟମରେ ସାଧନା, ଓ ପରୋପକାରରେ ସତ୍ୟ ଧର୍ମ।”ତେଣୁ, ଆସନ୍ତୁ ଏହି ପବିତ୍ର କାର୍ତ୍ତିକ ମାସରେ ଆମେ ସମସ୍ତେ ଦୀପର ପ୍ରକାଶରେ ଆତ୍ମାକୁ ପବିତ୍ର କରିବା, ଭଗବାନଙ୍କ ଭକ୍ତିରେ ଲୀନ ହେବା ଓ ମୋକ୍ଷପଥରେ ପଦାର୍ପଣ କରିବା।




ମିନାକ୍ଷୀ ଦ୍ବିବେଦୀ 
୭୯୭୮୦୮୨୮୩୪

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...