ସବୁ ରାତି ନୁହେଁ ଅନ୍ଧକାର ରାତି
ସବୁ ଦିବା ଭରେ ଆଲୋକ,
ସବୁ ଦୁଃଖ ନୁହେଁ ମନର ବେଦନା
ଖୁସିରେ ବି ଝରେ ଲୋତକ।
ସବୁ ଡୋର ନୁହେଁ ସଂପର୍କର ଡୋର
ସବୁ ପ୍ରେମ ନୁହେଁ ଛଳନା,
ସବୁ ରାଗ ନୁହେଁ ମନର ଭାବନା
ଅଭିମାନେ ଥାଏ କାମନା।
ସବୁ ଋତୁ ନୁହେଁ ବସନ୍ତର ଋତୁ
ସବୁ ଫୁଲ ନୁହେଁ ପୂଜ୍ୟ,
ସବୁ ହୃଦୟ ନୁହେଁ କଳୁଷିତ
ସବୁ ଭୃତ୍ୟ ନୁହେଁ ତେଜ୍ୟ।
ସବୁ ସତ୍ୟ ନୁହେଁ କଠୋର କଥା,
ସବୁ ମିଥ୍ୟା ନୁହେଁ ଦୋଷ,
ସବୁ ସ୍ମୃତି ନୁହେଁ କଷ୍ଟର ଛାୟା,
ଥାଏ କିଛି ହାସ୍ୟରସ।
ସବୁ ସ୍ବପ୍ନ ନୁହେଁ ଅସାର ଅଦୃଶ୍ୟ,
ସବୁ ଆଶା ନୁହେଁ ଭଙ୍ଗ,
ସବୁ ନିରବତା ନୁହେଁ ଯେ ଶୂନ୍ୟତା,
ଲୁଚିଥାଏ ପ୍ରେମ ରଙ୍ଗ।
ସବୁ ପ୍ରତିଶୃତି ନୁହେଁ କରଣୀୟ
ସବୁ ଭକ୍ତି ନୁହେଁ ନିଷ୍ଠା,
ସବୁ ଭାଗ୍ୟ ନୁହେଁ ଯେ ଦୁର୍ଭାଗ୍ୟ
ଥାଏ ସୌଭାଗର ପୃଷ୍ଠା ।
ସବୁ ଜନ୍ମ ନୁହଁ ସଫଳ ସାଧନା
ସବୁ କର୍ମ ନୁହେଁ ହେୟ,
ସବୁ ମୃତ୍ୟୁ ନୁହେଁ ଶେଷ ପରିଣତି
ସୁକର୍ମର ହୁଏ ଜୟ।
Comments
Post a Comment