Skip to main content

(ବୟସର ନୂତନ ଠିକଣା)*






*(ବୟସର ନୂତନ ଠିକଣା)*



ଜୀବନ ଗୋଟିଏ ଦୀର୍ଘ ନଦୀ, ଯାହା ଜନ୍ମର ଉତ୍ସରୁ ଯାଇ ଅନେକ ମୋଡ଼, ଅନେକ ସ୍ମୃତି ଓ ଅଭିଜ୍ଞତାକୁ ସଂଗ୍ରହ କରି ସମୁଦ୍ର ସନ୍ଧାନରେ ବହିଯାଏ।
ସେହି ନଦୀର ଶେଷ ପ୍ରବାହ ହେଉଛି ବୃଦ୍ଧାବସ୍ଥା। ଯେଉଁଠି ଚଞ୍ଚଳତା ହ୍ରାସ ପାଏ, କିନ୍ତୁ ଅନୁଭବ ଅନେକ ଗଭୀର ହୁଏ।
ସେହି ଜୀବନର ସନ୍ଧ୍ୟାରେ ଯେତେବେଳେ ଜଣେ ବୃଦ୍ଧ ନିଜ ଘର ଛାଡ଼ି ଏକ “ବୃଦ୍ଧା ଆଶ୍ରମ” ର ଦୁଆରେ ପହଞ୍ଚନ୍ତି, ସେତେବେଳେ ଆମେ ଏହାକୁ ଦୁଃଖ ଭାବେ ଦେଖୁ, କିନ୍ତୁ ସେହି ସ୍ଥାନ ତାଙ୍କ ପାଇଁ ହେଉଛି "ବୟସର ନୂତନ ଠିକଣା" ।
   ଶୀର୍ଷକଟି ପଢ଼ିଲେ ମନରେ ଆଶ୍ଚର୍ଯ୍ୟର କମ୍ପନ ଜାଗେ।
ଆମ ମନରେ ଏକ ପ୍ରଶ୍ନ ଆସେ "ବୟସର ନୂତନ ଠିକଣା" ର ଅର୍ଥ କଣ ହେଇପାରେ?  ଆଜିକାଲି ସନ୍ତାନ ମାନେ କ'ଣ ଏତେ ନିଷ୍ଠୁର ହୋଇଗଲେଣି ନିଜ ବୃଦ୍ଧ ପିତାମାତାଙ୍କ କଥା ବୁଝି ପାରୁ ନାହାଁନ୍ତି? ସେମାନଙ୍କୁ ବୃଦ୍ଧା ଆଶ୍ରମରେ ଅସହାୟ ଅବସ୍ଥାରେ ଛାଡ଼ି ଦେଉଛନ୍ତି? ସେହି ହାତ, ଯାହା ଦ୍ୱାରା ଆମେ ପ୍ରଥମେ ଚାଲିବା ଶିଖିଲୁ । ସେଇ ଆଖି, ଯେଉଁଥିରେ ଆମର ଭବିଷ୍ୟତର ସ୍ବପ୍ନ ଦେଖିଲୁ , ଆଜି କିପରି ଅସହାୟ ହୋଇପାରିବ?
ଚାଲନ୍ତୁ ଆମେ ତାହାର ଆଉ ଗୋଟେ ପାର୍ଶ୍ୱ ଦେଖିବା । ଆମେ ସମସ୍ତେ ଜାଣିଛନ୍ତି ପିତାମାତା ହେଉଛନ୍ତି ଆମ ପାଇଁ ଜୀବନର ମୂଳ।  ସେମାନେ ନିଜ ଇଚ୍ଛା, ସୁବିଧା ଓ ଆରାମକୁ ତ୍ୟାଗ କରି  ଶିଶୁ ବେଳାରୁ ଆରମ୍ଭ କରି ଜୀବନରେ ଦୃଢ଼ ହେବା ପର୍ଯ୍ୟନ୍ତ ଆମ ସହ ସାଥି ହୋଇ ର଼ହିଥାନ୍ତି। ବର୍ତ୍ତମାନ ସମୟରେ ଅନେକ ପିଲାମାନେ ବୃଦ୍ଧ ପିତାମାତାଙ୍କୁ ବୃଦ୍ଧା ଆଶ୍ରମରେ ରଖିବାକୁ ବାଧ୍ୟ ହେଉଛନ୍ତି । କିଛି ନିଜ ଇଚ୍ଛାରେ, କିଛି ପରିସ୍ଥିତି ବଶତଃ। ଏହି କାର୍ଯ୍ୟ ଦେଖି ଅନେକ ଏକ ଲଜ୍ଜାକର କଥା ବୋଲି କୁହନ୍ତି । କିନ୍ତୁ ଏହା କେବଳ ଅନୁଭବ ଓ ଦୟାର ଦୃଷ୍ଟିକୋଣରୁ ନୁହେଁ ବରଂ ଏହାକୁ ବ୍ୟବହାରିକ ଓ ବିବେକପୂର୍ଣ୍ଣ ଦୃଷ୍ଟିରୁ ବି ବୁଝିବା ଦରକାର।
     ବୃଦ୍ଧାଶ୍ରମ ଏକ ଶବ୍ଦ ଯାହା ଶୁଣିଲେ ବହୁତ ଲୋକଙ୍କ ମନରେ ଏକ ଦୁଃଖ ଓ ଲଜ୍ଜାର ଭାବ ଉଦ୍ଭବ ହୁଏ। ଅନେକ ସମୟରେ ଲୋକମାନେ ଏକ ପ୍ରତିଷ୍ଠିତ ମାନ୍ୟତା ପ୍ରଦାନ କରନ୍ତି ଯେ, ବୃଦ୍ଧ ପିତାମାତାଙ୍କୁ ଘରରୁ ବାହାର କରି ବୃଦ୍ଧା ଆଶ୍ରମକୁ ଦେବା ଏକ ଅନାଦର ଓ ଅପମାନର ଘଟଣା। କିନ୍ତୁ ବର୍ତ୍ତମାନ ସମୟ ଓ ପରିବାର ଗଠନର ପରିବର୍ତ୍ତିତ ପରିପ୍ରେକ୍ଷିତ ମଧ୍ୟରେ ଏହି ଧାରଣାକୁ ପୁନର୍ବିଚାର କରିବା ଦରକାର।
  ଓଡ଼ିଆ ଓ ଭାରତୀୟ ସଂସ୍କୃତିର ମୂଳରେ ଥିଲା ଯୁଗ୍ମ ପରିବାର ପ୍ରଥା ଯେଉଁଠି ପିତାମାତା, ପୁଅ-ଝିଅ, ନାତି-ନାତୁଣୀ ମିଶି ଗୋଟାଏ ଘରେ ରହୁଥିଲେ। ଏହି ପରିବେଶରେ ବୃଦ୍ଧମାନଙ୍କୁ ସମ୍ମାନ, ମନୋରଞ୍ଜନ, ସୁରକ୍ଷା ଓ ଯତ୍ନ ମିଳୁଥିଲା। କିନ୍ତୁ ଆଧୁନିକ ଯୁଗରେ ଯୁଗ୍ମ ପରିବାର ଭାଙ୍ଗି ନିଜସ୍ୱ ପରିବାର (ନ୍ୟୁକ୍ଲିଅର ଫାମିଲି) ଆସିଛି, ଯାହା ଅନେକ ସମୟରେ ବୃଦ୍ଧମାନଙ୍କ ପାଇଁ ଅବହେଳା ଓ ଦୁଃଖର କାରଣ ହେଉଛି। ଏହି ପରିବେଶରେ ବୃଦ୍ଧା ଆଶ୍ରମ ଏକ ଆବଶ୍ୟକ ବିକଳ୍ପ ରୂପେ ଉଭୟ ମାନସିକ ଓ ଶାରୀରିକ ଯତ୍ନ ଦେବା ପାଇଁ ତିଆରି ହେଇଛି । ଆଗ କାଳରେ ଯୁଗ୍ମ ପରିବାରରେ ଜଣେ ବୃଦ୍ଧଙ୍କୁ ଦେଖିବା ପାଇଁ ଅନେକ ଲୋକ , ବନ୍ଧୁ ପରିଜନ ରହୁଥିଲେ। ପୁଅ, ବୋହୂ, ନାତି, ନାତୁଣୀ କାକା,ଖୁଡୀ ସମସ୍ତେ। ଓଡ଼ିଆ ସଂସ୍କୃତିରେ ବୃଦ୍ଧମାନେ ପରିବାରର ମୁଖ୍ୟ ଶିଳା ଥିଲେ। ସେମାନଙ୍କ ଅଭିଜ୍ଞତା, ଆଶୀର୍ବାଦ ଓ ଦିଗଦର୍ଶନ ଏକ ପରିବାରକୁ ଶକ୍ତି ଦେଉଥିଲା। କିନ୍ତୁ ବର୍ତ୍ତମାନର ଧାଉ-ଧାଉ ଜୀବନ ଏବଂ ଆତ୍ମକେନ୍ଦ୍ରିତ ଚିନ୍ତାଧାରା ଦ୍ୱାରା ବୃଦ୍ଧମାନଙ୍କୁ ପରିବାରର ମୁଖ୍ୟ ଅଂଶରୁ ବିମୁଖ କରି ଦିଆଯାଉଛି। ଏହି ପରିବେଶରେ ବୃଦ୍ଧା ଆଶ୍ରମ ହେଉଛି ଗୋଟିଏ ନୂତନ ବିକଳ୍ପ, ଯାହା ବିରୋଧ ଓ ସମର୍ଥନ ଦୁଇ ଦୃଷ୍ଟିକୋଣରୁ ଦେଖାଯାଉଛି।
ଅନେକ ଅଛନ୍ତି ଅନାଦର କରି ବୃଦ୍ଧା ଆଶ୍ରମକୁ ବୃଦ୍ଧ ପିତାମାତାଙ୍କୁ ପଠାନ୍ତି ନାହିଁ।ବେଳେବେଳେ ପରିବାରରେ ସ୍ଥାନ ଅଭାବ, ଚିକିତ୍ସା ସୁବିଧା ନଥିବା, ଚାକିରି ପାଇଁ ଦୂରରେ ବାସିନ୍ଦା ଥିବା ପରିସ୍ଥିତିରୁ ଏହି ନିଷ୍ପତି ନେବାକୁ ପଡ଼େ। 
ପିଲାମାନେ ବିଭିନ୍ନ ସହରରେ ବା ବିଦେଶରେ ଚାକିରି କରୁଛନ୍ତି
ସେମାନେ ଚାହିଲେ ମଧ୍ୟ ସମୟ ଓ ସହଯୋଗ ଦେଇ ପାରୁନାହାନ୍ତି। ଘରେ ରହିବା ସତ୍ତ୍ୱେ ବୃଦ୍ଧମାନେ ଏକାକି ଓ ଅବହେଳିତ ଅନୁଭବ କରନ୍ତି। ବୃଦ୍ଧା ଆଶ୍ରମରେ ପଠେଇବା ନିଷ୍ପତ୍ତି ଏହା ଅନାଦର ନୁହେଁ, ବ୍ୟବହାରିକ ଭାବେ ଲାଗୁଥିବା ଏକ ଉପାୟ।
ବୃଦ୍ଧ ଲୋକଙ୍କ ପାଇଁ ନିୟମିତ ଚିକିତ୍ସା, ଔଷଧ ଓ ସେବା ଦରକାର ପଡ଼ିଥାଏ। ଅନେକ ପରିବାର ଏଥିରେ ବିଫଳ ହେଉଥାନ୍ତି। ବୃଦ୍ଧା ଆଶ୍ରମ ଏହି ସମସ୍ତ କାମକୁ ବୈଜ୍ଞାନିକ ଓ ସହାନୁଭୂତିପୂର୍ଣ୍ଣ ଭାବରେ କରିଥାଏ। ବୃଦ୍ଧା ଆଶ୍ରମରେ ମନୋବଳ ବଢ଼ାଇବା ପାଇଁ ଅନୁକୂଳ ସ୍ବଚ୍ଛ ପରିବେଶ ଥାଏ।
ଘରେ ବସି ଏକା ଅନୁଭବ କରୁଥିବା ବୃଦ୍ଧମାନେ ଆଶ୍ରମରେ ସାଙ୍ଗସାଥୀ , କଥାବାର୍ତ୍ତା, ଧାର୍ମିକ କାର୍ଯ୍ୟ, ଅନୁଷ୍ଠାନ ଓ ମନୋରଞ୍ଜନ ମାଧ୍ୟମରେ ନିଜ ଜୀବନକୁ ନୂତନ ଅର୍ଥ ଦିଅନ୍ତି।
ଏହା ବୃଦ୍ଧଙ୍କ ଜୀବନକୁ ଅବସାଦରୁ ବଞ୍ଚାଇଥାଏ।
ଘରେ ରହି ଅନ୍ୟଙ୍କ ଉପର ନିର୍ଭର ହେବାଠାରୁ ବୃଦ୍ଧ ମାନେ ଆଜିକାଲି ନିଜର ସ୍ୱାଧୀନ ଜୀବନଯାପନ ପସନ୍ଦ କରୁଛନ୍ତି।
ବୃଦ୍ଧା ଆଶ୍ରମରେ ରହିବାକୁ ଲଜ୍ଜା କଥା ବୋଲି ଦେଖିବା ପୁରୁଣା ଧାରଣାକୁ ଛାଡ଼ିବା ଦରକାର। ସେଠି ଥିବା ବୁଢ଼ା , ବୁଢ଼ୀ ଜଣେ ଜଣେ ଅନାଥ ନୁହଁନ୍ତି, ସେମାନେ ଜୀବନକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ଜିଇଁବାକୁ ଭଲ ପାଆନ୍ତି। ଏପରିକି ଅନେକ ବୃଦ୍ଧା ଅଛନ୍ତି ସେମାନେ ନିଜେ ଆଶ୍ରମ ଯିବାକୁ ଚୟନ କରିଥାନ୍ତି।ଏହି ଚୟନ ସେମାନଙ୍କ ସ୍ୱାଭିମାନ ଓ ମୁକ୍ତ ଚିନ୍ତାଧାରାର ଅଭିବ୍ୟକ୍ତି।
କେତେକ ବୃଦ୍ଧମାନେ ନିଜ ଇଚ୍ଛାରେ ବୃଦ୍ଧା ଆଶ୍ରମକୁ ଯାଆନ୍ତି 
ଦାମ୍ପତ୍ୟ ବିବାଦରୁ ଦୂରରେ ରହିବାକୁ ,ନିଜ ପଢ଼ିବା, ଲେଖିବା, ପ୍ରାଣାୟାମ କିମ୍ବା ଧ୍ୟାନ ସ୍ବ ଇଛାରେ କରିବାକୁ, ଶାନ୍ତି ଓ ସ୍ୱାଧୀନତାରେ ରହିବାକୁ।
ବୃଦ୍ଧା ଆଶ୍ରମ ଏକ ଅପମାନ ନୁହେଁ, ଏହା ହେଉଛି ଜୀବନର ଶେଷ ଅଧ୍ୟାୟକୁ ସୁସ୍ଥ, ସୁରକ୍ଷିତ ଓ ଗରିମାପୂର୍ଣ୍ଣ ଭାବେ ଅନୁଭବ କରିବାର ଏକ ସୁଯୋଗ। ଯେଉଁଠି ଅନ୍ୟ ବୃଦ୍ଧଙ୍କ ସହ କଥା ହେବା, ମନ ହାଲକା କରିବା, ଜୀବନ ଗାଥା ଅନୁଭବ କରିବା। ସେଠି ରହିବା ଲଜ୍ଜାକର କଥା ନୁହେଁ, ବରଂ ସେ ହେଉଛି ସାମାଜିକ ଗରିମା ଓ ମୂଲ୍ୟବୋଧର ଉଦ୍ଧାର।ଏହା ସେମାନଙ୍କୁ ଦୟା ନୁହେଁ ବରଂ ଏକ ଗରିମାମୟ ଜୀବନ ପାଇଁ ଅନୁକୂଳ ପରିବେଶ। 
   ସବୁ ପିତାମାତା ହେଉଛନ୍ତି ପ୍ରେମ, ତ୍ୟାଗ ଓ ସାହସର ପ୍ରତୀକ। ସେମାନେ  ନିଜ ପିଲାଙ୍କୁ ଶିକ୍ଷା, ଶିଷ୍ଟାଚାର, ମୂଲ୍ୟବୋଧ ଓ ଆତ୍ମବିଶ୍ୱାସ ଦେଇ ମଣିଷ କରିଥାନ୍ତି। ଅନେକ ପରିବାରରେ, ଆଜି ସେହି ପିଲାମାନେ ଉଚ୍ଚ ପଦବୀରେ ନିୟୋଜିତ, ନିଜ ଜୀବନରେ ସଫଳ ଅଛନ୍ତି। ବଡ଼ ବଡ଼ ପଦବୀରେ ପ୍ରତିଷ୍ଠିତ ଅଛନ୍ତି। ତାଙ୍କର ଡେଣାରେ ଉଡ଼ାଣ ଭରିଛନ୍ତି। ମୋ ମତରେ ନିଜର ସ୍ବାର୍ଥ ପାଇଁ ସେମାନଙ୍କୁ ହଇରାଣ କରିବା ଯୁକ୍ତିସଂଗତ କି? ସେହି ମାନସିକ ଚିନ୍ତାଧାରା ନ ଆଣି ସେମାନଙ୍କୁ ସ୍ବାଧୀନତା ଦେବା ଆମର କର୍ତ୍ତବ୍ୟ । ଆମର ସେବା ଯତ୍ନ ପାଇଁ ଗୋଡ଼ରେ ପୁଣି ଶିକୁଳି ବାନ୍ଧି ଦେବା ଉଚିତ୍ ନୁହେଁ। ଅନେକ ବୃଦ୍ଧା ଆଶ୍ରମ ଅଛି। ଯୋଉଠି ଆମକୁ ଶାନ୍ତି ଓ ସାଥୀ ମିଳିବ। 
ତେଣୁ "ଲଜ୍ଜା" ବଦଳରେ "ମର୍ଯ୍ୟାଦା" ର ଦୃଷ୍ଟିକୋଣ ଆବଶ୍ୟକ।
   ସମାଜ କୁହେ ମା'ବାପାଙ୍କୁ ଆଶ୍ରମରେ ଦେଲେ ଲଜ୍ଜା କର କଥା। କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା। ବୃଦ୍ଧା ଆଶ୍ରମ ଏପରି ଏକ ସ୍ଥାନ ଯେଉଁଠି ବୃଦ୍ଧମାନେ ସୁରକ୍ଷିତ, ଆଶାବାଦୀ ଓ ମନୋରଞ୍ଜନମୟ ଜୀବନ ଜିଅନ୍ତି । ତେଣୁ ଯଦି ରିତିମତ ଭାବେ, ସମ୍ମାନ ସହିତ, ସେମାନେ ତାହାକୁ ଚୟନ କରନ୍ତି, ତେବେ ଏହା ଲଜ୍ଜାକର କଥା ନୁହେଁ, ଏହା ଜୀବନ ଗରିମାକୁ ବଞ୍ଚାଇବା ଏବଂ ବୃଦ୍ଧଙ୍କ ସୁଖ ପାଇଁ ଏକ ଆଦର୍ଶ ଚୟନ।
ବୃଦ୍ଧା ଅବସ୍ଥାରେ ପିଲାମାନଙ୍କ ଉପରେ ଆମେ ବୋଝ ନହେବା ପାଇଁ ବୃଦ୍ଧାଶ୍ରମର ଆଶ୍ରୟ ନେବା କିଛି ଅନୁଚିତକର ନୁହେଁ ।
ବୃଦ୍ଧା ଆଶ୍ରମ ଏକ ଲଜ୍ଜାକର ନୁହେଁ, ଏହା ମର୍ଯ୍ୟାଦାପୂର୍ଣ୍ଣ ଜୀବନର ଏକ ବିକଳ୍ପ ମାନବତାମୟ ଆଶ୍ରୟ। ଯେଉଁଠି ଜଣେ ବୃଦ୍ଧ ଲୋକ ସ୍ୱାଭିମାନ ଓ ସେବାରେ ବଞ୍ଚି ପାରିବେ।ତେଣୁ ସେଠି ରହିବା ଅପରାଧ ନୁହେଁ କି ଅପମାନ ମଧ୍ୟ ନୁହେଁ।
ବ୍ୟକ୍ତିଗତ ବିବେକ, ପରିସ୍ଥିତି ଓ ମର୍ଯ୍ୟାଦାର ଚୟନ ମାନିବା ଦରକାର। ତେଣୁ ଏହି ଧାରଣା ବଦଳିବା ଦରକାର । ଯଦି ଜଣେ ସନ୍ତାନ ବୃଦ୍ଧ ପିତାମାତାଙ୍କୁ ଘରେ ରଖି ଯତ୍ନ ନିଅନ୍ତି ତାହା ଉତ୍ତମ କଥା। କିନ୍ତୁ ଯଦି ସେମାନେ ତାଙ୍କୁ ଘରେ ରଖି ଅବହେଳା କରନ୍ତି ତାହା ଅଧିକ ଲଜ୍ଜାକର।
ଏପରି ପରିସ୍ଥିତିରେ ଯଦି ବୃଦ୍ଧ ଜଣେ ଆଶ୍ରମକୁ ଯିବା ଚୟନ କରନ୍ତି ତେବେ ଏହି ନିଷ୍ପତି ସେମାନଙ୍କ ସ୍ୱାଭିମାନ, ସ୍ୱାଧୀନତା ଓ ମର୍ଯ୍ୟାଦାର ପ୍ରତୀକ ଅତୁଟ ରହିବା ଉଚିତ।
ବୟସର ନୂତନ ଠିକଣା ଏକ ସ୍ଥାନ ନୁହେଁ  ଏହା ଏକ ଭାବ।
ଯେତେବେଳେ ଆମେ ଆମ ବୃଦ୍ଧାବସ୍ଥାରେ ବୃଦ୍ଧାଶ୍ରମକୁ ଲଜ୍ଜା ନୁହେଁ ସ୍ନେହର ଠିକଣା ଭାବେ ଦେଖିବା ସେତେବେଳେ ସମାଜ ସତ୍ୟରେ ସଭ୍ୟ ହେବ। ସେଠି ବୃଦ୍ଧାଶ୍ରମ ଲଜ୍ଜା ନୁହେଁ। ଯେଉଁଠି ନିଜ ପାଇଁ ଆମେ ଏକ ଶାନ୍ତ, ସୁସଂଗଠିତ ଓ ସମ୍ମାନିତ ଜୀବନ ଗଢ଼ି ପାରିବା ସେଠି ରହିବା ଅପରାଧ ନୁହେଁ ସେ ହେଉଛି ସଠିକ୍ ବିକଳ୍ପ।




ମିନାକ୍ଷୀ ଦ୍ବିବେଦୀ 
୭୯୭୮୦୮୨୭୩୪

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...