ନୀଳ ଆକାଶରେ ମେଘ ସବାରୀରେ
ଆସିଛି ବରଷା ରାଣୀ,
ଛମ୍ ଛମ୍ ଛମ୍ ବରଷି ଯାଏ ସେ
ସଭି ମନ ନିଏ କିଣି ।
କୋଟି ମେଘମାଳା ଭାସି ବୁଲୁଛନ୍ତି
ବିଜୁଳି କୁ ସାଥେ ନେଇ,
କଳା ବାଦଲ ଯେ ମଉନେ ବସିଛି
ପବନକୁ ଡାକି ଦେଇ।
ବିଜୁଳି ହସଇ ରିମଝିମ୍ ସୁରେ
ତେଲିଙ୍ଗି ବାଇଦ ତାଳେ,
ଚଗଲା ପବନ କାନେ କଥା କହେ
ବରଷା ରାଣୀର ମେଳେ।
ଇନ୍ଦ୍ରଧନୁର ସାତ ରଙ୍ଗ ନେଇ
ସଜାଇ ଅଛି ତା ଅଙ୍ଗ,
ଗିରି ତୁଙ୍ଗେ କେକୀ ନୃତ୍ୟ କରଇ
ବରଷା କୁ କରି ସଙ୍ଗ।
ସ୍ନିଗ୍ଧ ସୁଗନ୍ଧରେ ହୁଏ ପ୍ରଫୁଲ୍ଲିତ
ବସୁଧା ର ତପ୍ତ ମାଟି,
ଭିଜା ମାଟିର ଭିଜା ବାସ୍ନାରେ
ଆଦ୍ର ହୁଏ ତାର କଟୀ।
ଝାଞ୍ଜି ର ବେଦନା ଯାହା ଅଛି ମନେ
ଶୀତଳାଇ ଦେଇ ଯାଏ,
ଟପ୍ ଟପ୍ ତା ଅମୃତ ଧାରାରେ
ମନ ପୁଲକିତ ହୁଏ।
ଧରଣୀର ବକ୍ଷେ ସବୁଜିମା ଭରେ
ନା ନା ଫୁଲ ଫଳ ହସେ,
ବରଷା ଗୋ ତୁମ ମର୍ତ୍ତ୍ୟ ଅଭିସାରେ
ବିଲ,ବନ,ଗିରି ଝସେ।
ତୁମ ଆଗମନେ କୃଷକର ପ୍ରାଣେ
ଆନନ୍ଦ ଲହରୀ ଖେଳେ,
ସବୁଜ ଘାସ ରେ ସାଧବ ସୁନ୍ଦରୀ
ଠୁକୁ ଠୁକୁ ହୋଇ ଚାଲେ।
ଟୁପୁରୁ ଟାପୁରୁ ମେଘ କଥା କହେ
ମନୋରମ ତାର ଦୃଶ୍ୟ,
ଢଳି ଢଳି ଯାଏ କାଗଜର ଡଙ୍ଗା
ଶିଶୁ ମନେ ଭରି ହର୍ଷ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment