*ନିଶବ୍ଦ ଅଭିସାର*
ମୁଁ ଯଦି ହଜିଯାଏ ସକାଳର କୁହୁଡ଼ିରେ
ତୁମେ ଖୋଜିବନି ଜମା
ମୁଁ ମିଳେଇ ଯାଇଥିବି ସେଇ ଶୂନ୍ୟ ଆଭ୍ୟନ୍ତରରେ
ମୁଁ ସେତେବେଳେ ହୁଏତ
ଗୋଟେ ଧଳା କାଗଜ ପାଲଟି ଯାଇଥିବି
ଯେଉଁଥିରେ ସୂର୍ଯ୍ୟର କଅଁଳ କିରଣ
ଅଳ୍ପ ଅଳ୍ପ କରି ନିଜର ଚିଠି ଲେଖୁଥିବ
ସେଠି ସମୟର ସ୍ରୋତ ଥିବ ସ୍ଥିର
ଆଉ ଅନୁଭୂତି ସବୁ ଶବ୍ଦହୀନ।
ତୁମେ ଖୋଜିବନି ମୋତେ ସେଇ ପରିଚିତ କାନ୍ଥ ଭିତରେ
କିମ୍ବା ସେଇ ଭିଡ଼ ଜମିଥିବା ସହରର କୋଳାହଳରେ
ମୁଁ ସେତେବେଳେ ହୁଏତ ସାଉଁଟୁଥିବି
ନିଜ ଭିତରେ ରହି ଯାଇଥିବା କିଛି ଅଧାଗଢ଼ା ସ୍ୱପ୍ନ
ଯାହା ଏଇ କୁହୁଡ଼ି ପରି ଝାପ୍ସା
ଆଉ ମୃଗତୃଷ୍ଣା ପରି ଛଳନାମୟୀ ।
ମୁଁ ଶୁଣୁଥିବି ପକ୍ଷୀଙ୍କ ଡେଣାର ଶବ୍ଦ
ଆଉ ଦେଖୁଥିବି ଗଛମାନେ କେମିତି
କୁହୁଡ଼ିର ଚାଦର ଘୋଡ଼େଇ ହୋଇ ଶୋଇଛନ୍ତି
ଏଇ ଶୀତୁଆ ପବନରେ ଯେତେବେଳେ
ମୋ ଅସ୍ତିତ୍ୱ ଧୀରେ ଧୀରେ ତରଳି ଯିବ
ତୁମେ ଭାବିନେବ ମୁଁ ଏକ ମୁକ୍ତ ପକ୍ଷୀ
ଯିଏ ଦିଗବଳୟର ଶେଷ ସୀମା ଖୋଜୁଛି,
କୁହୁଡ଼ିର ସେଇ ଧଳା ପରଦା ପଛରେ
ହସ-ଲୁହର ସବୁ ହିସାବ ସରିଥିବ,
ଏକ ଗଭୀର ଆତ୍ମୀୟତାରେ
ନିଜ ସହିତ ନିଜକୁ ସଜାଉଥିବି ଭଗ୍ନ ଭାର ନେଇ।
ଅରୁଣଙ୍କର ରକ୍ତିମ ଆଭା ଯେବେ ଧରାରେ ପଡ଼ିବ
ତୁମେ ଖୋଜିବନି ମୋତେ କୌଣସି ପ୍ରଶ୍ନର ଉତ୍ତରରେ,
ମୁଁ ସେତେବେଳେ ନିଜେ
ଏକ ନୀରବ କବିତା ପାଲଟିଥିବି
ମୁଁ ଶିଶିର ହୋଇ ଘାସ ଉପରେ ଲୁଚିଥିବି,
ବାଷ୍ପ ହୋଇ ଆକାଶର ନୀଳିମାରେ ହଜିଥିବି,
ସେଇ ରୂପେଲି କୁହୁଡ଼ି ଯେବେ ମୋତେ ଆଲିଙ୍ଗନ କରିବ
ତୁମେ ଚୁପଚାପ୍ ଦୂରରୁ ଦେଖି ହସିଦେବ
କାରଣ ହଜିଯିବା ହିଁ ମୋର
ଶେଷ ଠିକଣା ହୋଇ ଯାଇଥିବ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment