ଧରା କାହାଣୀ
ଆକାଶର କୋଣେ ସିନ୍ଦୂରା ଫାଟିଲା,
ନିଦ ଭାଙ୍ଗି ମା ହସିଲା,
ସବୁଜ ଶାଢ଼ୀରେ ଶିଶିରର ମୋତି,
ଧରା ସୁନ୍ଦର ଦିଶିଲା।
ଝରଣାର ସ୍ୱର, ପକ୍ଷୀଙ୍କ କାକଳି,
ପବନର ମିଠା ବାସ୍ନା,
ଧୈର୍ଯ୍ୟର ସାଗର ଧରିତ୍ରୀ ମାଆ ମୋ,
ପୂରା କରେ ସବୁ ତୃଷ୍ଣା।
ତା' କୋଳରେ ଶୋଇ ହସେ ଜୀବଜନ୍ତୁ,
ମଣିଷ ପାଇଛି ଘର,
ଦୁଃଖ ସହି ସିଏ ସୁଖ ବାଣ୍ଟି ଦିଏ,
ନଥାଏ କେହି ତା' ପର ।
ଲୁହକୁ ସେ ତା'ର ପାଣି କରି ଦିଏ,
ରୁଧିରକୁ କରେ ଶସ୍ୟ,
ଧରଣୀର ପ୍ରତି ଅଣୁ ପରମାଣୁ,
ଈଶ୍ୱରଙ୍କ ଏକ ଶିଷ୍ୟ।
ହେଲେ ଆଜି କାହିଁ ମଇଳା ପଡ଼ିଛି,
ମାଆର ସେ ସୁନା ଦେହ,
କୁରାଢ଼ିର ଚୋଟେ ବଣ ଉଜୁଡ଼ିଛି,
ଝରୁଛି ଆଖିରୁ ଲୁହ ।
ତାତିଲାଣି ଦେହ, ଶୁଖିଲାଣି ନଈ,
ଫାଟିଲାଣି ବୁକୁ ତାର,
ସ୍ୱାର୍ଥପର ସାଜି ଆମେ ଯେ କରୁଛୁ
ମା'ର ଉପରେ ପ୍ରହାର।
ଚାଲ ଆଜି ଆମେ ଶପଥ କରିବା,
ଫେରାଇବା ତାର ହସ,
ଗଛଟେ ଲଗାଇ ଧରଣୀ ମାଆକୁ,
କରିବା ପୁଣି ସରସ ।
ସବୁଜିମା ଭରିଦେବା ଚାରିଆଡ଼େ,
ରଖିବା ତାହାକୁ ସଫା,
ଧରିତ୍ରୀ ରହିଲେ ଆମେ ଯେ ରହିବା
ନହେବ ସେ କେବେ ଖଫା।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment