ଫଗୁଣର ଅଭିସାର
ଆସିଛି ଫଗୁଣ ନେଇ ନିମନ୍ତ୍ରଣ
ମୃଦୁ ମଳୟର ସ୍ପର୍ଶେ,
ଧରଣୀ ସାଜିଛି ରଙ୍ଗ ଅଭିସାର
ଅପୂର୍ବ ପୁଲକ ହର୍ଷେ। (୧)
ଶାଳ୍ମଳୀ କେଶରେ ରକ୍ତ ବର୍ଣ୍ଣବିଭା
ପଳାଶର ରଙ୍ଗ ହସ,
ମର୍ତ୍ତ୍ୟର ପ୍ରତିଟି ପ୍ରାଣେ ଭରିଦିଏ
ପ୍ରେମର ଅମୃତ ରସ। (୨)
ନିଳିମା ଆକାଶେ ଅବିର କୁହେଳି
ପ୍ରୀତିର ସୁଅରେ ଭାସେ,
ସଂକୀର୍ଣ୍ଣତା ସବୁ ପ୍ରାଚୀର ଲଙ୍ଘଇ
ସମ୍ପ୍ରୀତିର ନବ ଲାସ୍ୟେ। (୩)
ରାଧା ମାଧବଙ୍କ ଦିବ୍ୟ ମିଳନରେ
ମୁରଲୀ ମୂର୍ଚ୍ଛନା ଝୁମେ,
ଘୃଣା ଅନ୍ଧକାର ନିମିଷେ ବିଲୀନ
ପ୍ରେମ ଯେବେ ଧରା ଚୁମେ। (୪)
ମନ ମଧୁପୁରେ ମୁର୍ଚ୍ଛିତ ମଳୟ
ଅମୃତର ଆଙ୍କେ ଚିତା,
ସୁରଭିତ ହୁଏ ଅନ୍ତର କାନନ
ନିଶବ୍ଦେ ସୁମରେ ବାର୍ତ୍ତା।(୫)
ସଭିଏଁ ବୋଳନ୍ତି ସ୍ନେହର ଅବିର
ଉଲ୍ଲାସେ ଗାଆନ୍ତି ଗୀତ,
ଫଗୁଣ ରଙ୍ଗରେ ରଙ୍ଗିନ ହୁଅଇ
ନିଖିଳ ଧରାର ଚିତ୍ତ।(୬)
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment