ଅଲେଖା ଚିଠିର ସ୍ଵର। (ସୃଜନ)
ସମୟର ବାଲିଘର ଭାଙ୍ଗିଯାଏ ସତ,
କିନ୍ତୁ ସ୍ମୃତିର ପାଦଚିହ୍ନ ରହିଯାଏ ଛାତିର କାନ୍ଥରେ
ମୁଁ ଖୋଜୁ ନାହିଁ କୌଣସି ପୂର୍ଣ୍ଣଛେଦ,
ନା ଖୋଜୁଛି କିଛି ହଜିଯାଇଥିବା ସମ୍ପର୍କର ଠିକଣା।
ଆକାଶଟା ଆଜି ଟିକେ ବେଶୀ ନୀଳ ଦିଶୁଛି
ଠିକ୍ ତୁମ ଆଖିର ସେଇ ଗଭୀରତା ପରି
ଯେଉଁଠି ମୁଁ ବୁଡ଼ି ଯାଇଥିଲି ଦିନେ
କୌଣସି ନୌକା ବା ମଙ୍ଗୁଆଳର ସାହାରା ନ ନେଇ।
ଜୀବନ ତ ଏକ ଖୋଲା ବହି,
କିଛି ପୃଷ୍ଠା ପବନରେ ଉଡ଼ିଯାଏ,
ଆଉ କିଛି ପୃଷ୍ଠା ଓଦା ହୋଇଯାଏ ଲୁହର ସ୍ପର୍ଶରେ
ସମୟର ବାଲିଘଡ଼ିରୁ ଖସି ପଡ଼ୁଥିବା ପ୍ରତିଟି ମୁହୂର୍ତ୍ତ
ମୋତେ ତୁମଠାରୁ ଦୂରେଇ ନିଏ ନାହିଁ
ବରଂ ମୋ ଭିତରେ ଥିବା "ତୁମକୁ"
ଆହୁରି ସ୍ପଷ୍ଟ କରିଦିଏ।
ଯେମିତି ମାଟିର ମହକରେ
ଲୁଚିଥାଏ ପ୍ରଥମ ବର୍ଷାର ସ୍ମୃତି,
ସେମିତି ମୋର ପ୍ରତିଟି ଶବ୍ଦରେ
ଥାଏ ତୁମରି ଅସ୍ତିତ୍ୱ।
ଚାହେଁ ନାହିଁ କୌଣସି ପ୍ରତିଶ୍ରୁତିର ବନ୍ଧନ,
ଚାହେଁ ନାହିଁ ଫେରିଯିବାକୁ
ସେଇ ଅତୀତର ପୁରୁଣା ଗଳିକୁ,
ସେଇ ଅନୁଭୂତି ମୋ ନିଜଠାରୁ ବି ବେଶୀ ମୋର।
ହୁଏତ ଏଇ ଅସମାପ୍ତ ଯାତ୍ରା ହିଁ ଶ୍ରେଷ୍ଠ,
ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲେ ବୋଧହୁଏ
ପଥ ର ସୌନ୍ଦର୍ଯ୍ୟ ହଜିଯାଏ।
ମୁଁ କବିତା ଲେଖେନି,
ଖାଲି ଶବ୍ଦମାନଙ୍କୁ ସଜାଇ ଦିଏ ନିଜ ଇଚ୍ଛାରେ
ଏଇ ମୁକ୍ତ ପବନ, ଏଇ ଅଧାଗଢ଼ା ସପନ,
ସବୁଠି ଅଛି ତୁମର ଅଦୃଶ୍ୟ ଉପସ୍ଥିତି
ଅଲେଖା ଚିଠିଟି ସେମିତି ଥାଉ
କୁହୁଡ଼ି ଘେରା ସକାଳର
ସେଇ ଅସ୍ପଷ୍ଟ ସ୍ଵପ୍ନ ପରି,
ସବୁକିଛି କହିଦେଲେ ବୋଧହୁଏ
କବିତାର ମଧୁରତା ଫିକା ପଡ଼ିଯିବ।
ମିନାକ୍ଷୀ ଦ୍ବିବେଦୀ
ଗୁରୁ ଗ୍ରାମ
Comments
Post a Comment