ମୁଁ ନାରୀ ଜଗତଜିତା
ସୃଷ୍ଟିର ଆଧାର ଶକ୍ତି ମୁଁ ଅଟଇ, ପ୍ରଣାମ କରେ ଏ ଧରା
ମୁଁ ନାରୀ ଅଜେୟ ଜଗତଜିତା ଯେ, ଭରେ ମୁଁ ସ୍ୱପ୍ନର ଘରା।
ପ୍ରଥମ ପାବଚ୍ଛେ ଜନନୀ ରୂପରେ, ସହି ମୁଁ ଅସହ୍ୟ ପୀଡ଼ା
ସନ୍ତାନ ମୁଖରେ ହସ ଫୁଟାଇବା, ଅଟେ ମୋ ଜୀବନ କ୍ରୀଡ଼ା।(୧)
ସ୍ନେହର ସରଣୀ ଭଗିନୀ ସାଜି ମୁଁ, ଭାଇର କପାଳେ ଟୀକା
ସଂସ୍କାର ରକ୍ଷାରେ ପ୍ରଦୀପ ଶିଖା ମୁଁ, ହେବାକୁ ଦିଏନି ଏକା।
ଧୈର୍ଯ୍ୟର ସାଗର ମୁହିଁ ତ ଅଟଇ, ହୃଦୟେ ଭରିଛି ପ୍ରୀତି
ସମାଜ ଗଠନେ ନାରୀର ତ୍ୟାଗ ଯେ, ଅଲିଭା ସୁନାର ସ୍ମୃତି।(୨)
ଜାୟା ରୂପେ ମୁହିଁ ସଂସାର ବୋଝକୁ, କାନ୍ଧରେ ନିଏ ମୁଁ ବୋହି
ଅର୍ଦ୍ଧାଙ୍ଗିନୀ ସାଜି ସୁଖ ଦୁଃଖ ସବୁ, ନିଏ ମୁଁ ଆପଣେଇ।
ସେବା ଓ ଶ୍ରଦ୍ଧାର ମୂର୍ତ୍ତିମନ୍ତ ରୂପ, ଗୃହେ ମୁଁ ଲକ୍ଷ୍ମୀଙ୍କ କଳା
ନିଷ୍ଠାର ସହିତ ସମର୍ପି ଦିଏ ମୁଁ, ଜୀବନର ସବୁ ବେଳା।(୩)
ମମତା ବାରିଧି ବହିଯାଏ ସଦା, ମୋର ଏ କୋମଳ ଛାତି
ପଥଭ୍ରଷ୍ଟ ଜନେ ପଥ ଦେଖାଇବା, ମୋର ତ ଜୀବନ ରୀତି ।
ଅନ୍ଧାର ଘରେ ମୁଁ ଆଲୋକର ଧାରା, ଦୁଃଖରେ ଶାନ୍ତିର ବାରି
ଏହି ହାତେ ଗଢ଼ା ସୁନ୍ଦର ସମାଜ, କେହି ନୁହେଁ ମୋର ସରି।(୪)
ସମୟ ପଡ଼ିଲେ ଶକ୍ତି ସ୍ୱରୂପିଣୀ, ଦୁର୍ଗା ମୁଁ ଚଣ୍ଡୀର ରୂପ
ଅନ୍ୟାୟ ବିରୁଦ୍ଧେ ହୁଙ୍କାର ମୋହର, ଜାଳଇ ମୁଁ ଜ୍ଞାନ ଦୀପ।
ନୁହେଁ ମୁଁ ଅବଳା ନୁହେଁ ମୁଁ ଦୁର୍ବଳା, ସାହସ ମୋ ଅଳଙ୍କାର
ମୋହରି ପାଦର ପାହୁଲ ଚିହ୍ନରେ, ବଦଳେ ଯେ ଏ ସଂସାର।(୫)
ଶିକ୍ଷା ଓ ସମ୍ମାନ ନାରୀ ଅଧିକାର, ବୁଝୁ ଆଜି ଏ ସମାଜ
କନ୍ୟାକୁ ସୁରକ୍ଷା ଦେବାକୁ ପଡ଼ିବ, ପରିହରି ସବୁ ଲାଜ।
ସମ୍ମାନ ଯେଉଁଠି ନାରୀଟିଏ ପାଏ, ସେଠାରେ ଦେବତା ବାସ
ନାରୀର ପ୍ରଗତି ଦେଶର ଉନ୍ନତି, ଆଣିବ ନୂଆ ବିଶ୍ୱାସ।(୬)
ମୁଁ ନାରୀ ଜଗତଜିତା ଯେ ଅଟଇ, ଆକାଶ ଯେ ମୋର ସୀମା
ମୋରି କାବ୍ୟ ଗାଥା ଗାଇବ ଧରଣୀ, ବିଶ୍ୱରେ ମୁଁ ଅନୁପମା।
ସୃଷ୍ଟିର ସର୍ଜନା ପ୍ରଳୟର କର୍ତ୍ତା, ସର୍ବଂସହା ମୋର ନାମ
ନାରୀ ଶକ୍ତି ଆଗେ ନତମସ୍ତକ ହେ,ଜଣାଏ ଶତ ପ୍ରଣାମ।(୭)
ମିନାକ୍ଷୀ ଦ୍ବିବେଦୀ
ଗୁରୁ ଗ୍ରାମ
Comments
Post a Comment