ପଲ୍ଲବିତ ସ୍ବପ୍ନ
କୌଣସି ଆଗୁଆ ସୂଚନା ନାହିଁ
ନା ଅଛି କୌଣସି ନିମନ୍ତ୍ରଣ ପତ୍ର,
ଖାଲି ଶୁଖିଲା ପତ୍ରର ମର୍ମର ଶବ୍ଦରେ
ଧୀରେ ଧୀରେ ଚାଲିଆସେ ସେ...
ଜଣେ ପରିଚିତ ପ୍ରେମିକ ପରି।
ଏବେ ଆଉ କାକରର ଭୟ ନାହିଁ
କି ନାହିଁ କୁହୁଡ଼ିର ସେଇ ଧୂସର ପରଦା
ଆମ୍ର ବଉଳର ବାସ୍ନାରେ
ଏବେ ପବନ ବି ନିଶାସକ୍ତ,
ଆଉ କୋଇଲିର ସେଇ ଅଧାଗଢ଼ା ସୁର
ଶୂନ୍ୟ ଆକାଶରେ ଖୋଜୁଛି ଏକ ପୂର୍ଣ୍ଣତା।
ଗଛମାନେ ଏବେ ପୁରୁଣା ପୋଷାକ ଫୋପାଡ଼ି
ସଜେଇ ହେଉଛନ୍ତି ଶାଗୁଆ ରଙ୍ଗର ଓଢ଼ଣୀରେ,
ଏଇ ଉଷୁମ ଖରାରେ ଏବେ
କେହି ଜଣେ ଅପେକ୍ଷା କରିଛି
ପଳାଶର ନାଲି ରଙ୍ଗରେ ନିଜକୁ ଭିଜାଇବା ପାଇଁ,
ପାଦତଳେ ଝଡ଼ି ପଡ଼ୁଥିବା ଶୁଖିଲା ପତ୍ରମାନେ
ଶେଷ ବିଦାୟର ସଙ୍ଗୀତ ନୁହେଁ
ନୂଆ ଜୀବନର ପଦଧ୍ୱନି ଶୁଣାଉଛନ୍ତି,
ଆଉ ହୃଦୟର କୋଣରେ ସାଇତା ଥିବା
ସେଇ ଅକୁହା ପ୍ରେମର ହେଉଛି ପୁନର୍ଜନ୍ମ ।
ଖାଲି ପବନରେ ଭାସି ଆସୁଛି
ଫଗୁଣର ସେଇ ମିଠା ଗନ୍ଧ,
ନୂଆ କରି ଗଜୁରିଥିବା କଅଁଳ ପତ୍ରର ଶିରାରେ
ଲେଖା ହୋଇଛି ଗୋଟେ ନୂଆ ପ୍ରେମର ଇତିହାସ
ଯେଉଁଠି ଶେଷ ବୋଲି କିଛି ନାହିଁ
ଅଛି କେବଳ ଏକ ସୁନ୍ଦର ଆରମ୍ଭର ବିଶ୍ୱାସ।
ମିନାକ୍ଷୀ ଦ୍ବିବେଦୀ
ଗୁରୁ ଗ୍ରାମ
Comments
Post a Comment