*ଜୀବନ ଏକ ନିଶବ୍ଦ ଶିହରଣ* Krantidhara
ଜୀବନ କେବେ
ମରୀଚିକା ପଛରେ ଧାଉଁଥିବା
ଏକ ଅପରିଚିତ ତୃଷ୍ଣାର୍ତ୍ତ ପଥିକ,
କେବେ ନିଜ ଭିତରେ ନିଜକୁ ହଜାଇଥିବା
ଏକ ନିର୍ଜନ, ଅନ୍ଧାରୀ ସହର,
ସାଇତି ରଖୁ ଅନେକ କିଛି
ସ୍ୱପ୍ନର ସେଇ ସ୍ଫଟିକ ମହଲ,
କିଛି ଅସଜଡ଼ା ସ୍ମୃତିର ରେଶମୀ ସମ୍ପର୍କ,
ଆଉ ମୁଠା ମୁଠା ଅଭିମାନର ରୁଦ୍ଧ କୋହ।
କିନ୍ତୁ କାଳର ଉଦ୍ଦାମ ସ୍ରୋତରେ
ସବୁକିଛି ବାଲିଘର ପରି ନିଶ୍ଚିହ୍ନ ହୋଇଯାଏ,
ରହିଯାଏ କେବଳ ଶୂନ୍ୟତାର ଆଲିଙ୍ଗନ
ଆଉ ଛାତି ତଳେ କିଛି ନିଶବ୍ଦ ଶିହରଣ।
ପାଉଁଶ ତଳେ ଚାପି ହୋଇଥିବା ସେଇ ନିଆଁ ପରି
ଜୀବନ ଖୋଜୁଥାଏ ନିଜର ଏକ ପରିଚୟ
ଏଇ ଆଞ୍ଜୁଳାଏ ଜୀବନରେ
ନୀଳ ଆକାଶକୁ ଆଲିଙ୍ଗନ କରିବାର ଦୁର୍ବାର ସ୍ପୃହା ଅଛି,
ପୁଣି ମାଟିରେ ମିଶି ଯିବାର ଚରମ ନମ୍ରତା ବି ଅଛି
ଦୁଇଟି ପାପୁଲିର ସଂକୀର୍ଣ୍ଣ ସନ୍ଧିରେ
ଲୁଚି ରହିଛି ଜନ୍ମ ଜନ୍ମାନ୍ତରର ସଂଘର୍ଷ,
ଆଉ ସେଇ କ୍ଳାନ୍ତ ସଂଘର୍ଷର ଶେଷ ସୀମାରେ
ଅପେକ୍ଷା କରିଥାଏ ଟିକିଏ ପ୍ରଶାନ୍ତିର ଶୀତଳ ନିଶ୍ୱାସ।
ଜୀବନ ତ କେବଳ ଆଞ୍ଜୁଳାଏ କ୍ଷଣଭଙ୍ଗୁର ଜଳ ନୁହେଁ,
ସେଇ କ୍ଷୁଦ୍ର ଜଳବିନ୍ଦୁରେ ପ୍ରତିଫଳିତ ହେଉଥିବା
ଏକ ବିଶାଳ, ଅନନ୍ତ ଆକାଶର ପରିଧି
ଯିଏ ନିଜ ଭିତରେ ସମଗ୍ର ବ୍ରହ୍ମାଣ୍ଡକୁ ସାଉଁଟି ରଖେ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment