ଫଗୁଣର ମାୟାବିନୀ ରୂପ ସମାଜ
ଋତୁଚକ୍ରର ସେ ରଙ୍ଗୀନ ପୃଷ୍ଠାରୁ ଧୀରେ ଓହ୍ଲାଇଲା କିଏ?
ନିଷ୍ପ୍ରଭ ଶାଖାରେ ନୂତନ ସ୍ପନ୍ଦନ ଚୁପି ଚୁପି ଭରି ଦିଏ।
ସିଏ ତ ଫଗୁଣ,ଅନୁରାଗ ଶିଳ୍ପୀ ରଙ୍ଗର ଜୁଆର ଭରା,
ଧରଣୀର କାନେ ବସନ୍ତର ବାର୍ତ୍ତା,ମଳୟ ଦେଇଛି ଧରା।
ଶୀତର ଶେଷ ସେ କୁହୁଡ଼ି ଚାଦର ତେଜିଲାଣି ଆଜି ଦେଶ,
ପୁରୁଣା ପତ୍ରର ବିଦାୟ ବେଳାରେ ନୂଆ ପଲ୍ଲବର ବେଶ।
ଶିମିଳି ରକ୍ତିମ,ପଳାଶର ନିଆଁ ବଣରେ ଲାଗିଛି ଆଜି,
ବଉଳ ବାସ୍ନାରେ ମତୁଆଲା ମନ ଯାଉଛି ପ୍ରେମରେ ଭିଜି।
ତମାଳ ବନରେ କୋଇଲିର ତାନ ଅତୀତର ସ୍ମୃତି ବୁଣେ,
ଅକୁହା କଥାର ଅନ୍ତର ସଙ୍ଗୀତ କବିର ହୃଦୟ ଶୁଣେ।
ଏ ଋତୁ କେବଳ ପ୍ରକୃତିର ନୁହେଁ ପ୍ରୀତିଝରା ଭାବାବେଗ,
ପ୍ରୀତି ପଥେ ଚାଲେ ଅନୁରାଗୀ ମନ ତେଜି ସବୁ ହିଂସା,ରାଗ।
ପଲ୍ଲବିତ ହୁଏ ଆଶା କଳିକା ଝରେ ପ୍ରେମ ମଧୁମଳୟ,
ହୃଦୟ ଖୋଜେ ହୃଦୟଟିଏ ଆଉ ସ୍ପନ୍ଦନର ସମନ୍ୱୟ।
କେଉଁଠି ଅବିର, କେଉଁଠି କୁଙ୍କୁମ ଆକାଶଟା ରଙ୍ଗମୟ,
ଦୋଳର ବିମାନେ ଗୋବିନ୍ଦଙ୍କ ହସ କରେ ସବୁ ଦୁଃଖ କ୍ଷୟ।
ରାଧା-କୃଷ୍ଣଙ୍କ ସେ ପ୍ରେମର ଯମୁନା ଉଛୁଳେ ଆଜି ବି ମନେ,
ଫଗୁଣର ଧୂଳି ପବିତ୍ର ଲାଗଇ ଏଇ ସେହି ସଙ୍କୀର୍ତ୍ତନେ।
ଫଗୁଣ ତ ଖାଲି ସମୟର ପାଳି ,ନୁହେଁ ଏକ କାଳଖଣ୍ଡ,
ଜୀବନ ଜଳରେ ପ୍ରେମର କଇଁ ସେ ପ୍ରକୃତିର ମାନଦଣ୍ଡ।
ଝରିଯାଉ ଧୂଳି, ରହିଯାଉ ରଙ୍ଗ ହୃଦୟର ସବୁ କୋଣେ,
ଫଗୁଣ ଫେରିବ, ପ୍ରୀତି ଢାଳିଦେବ,ପ୍ରତିଟି ବ୍ୟଥିତ ପ୍ରାଣେ।
ଏମିତି ଆସୁ ସେ ବାରମ୍ବାର ଏଠି ରଙ୍ଗେଇବା ପାଇଁ ଆଶା,
ଫଗୁଣ ହିଁ ତ ପ୍ରକୃତିର ସବୁଠୁ,ସୁନ୍ଦର କାବ୍ୟିକ ଭାଷା।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment