ଫଗୁଣର ଚିଠି ଛୁଟିଦିନ
ମୃଦୁ ମଳୟର ଶୀତଳ ପରଶେ
ପୁଲକିତ ଆଜି ଧରା,
ଆମ୍ର ଉପବନେ ବଉଳ ମହକେ
ମନ ହୁଏ ଆତ୍ମହରା ।
କୁହୁ କୁହୁ ରବେ କୋଇଲି ଗାଉଛି
ମଧୁର ବସନ୍ତ ଗୀତ,
ଝରା ପଲ୍ଲବର ସୁୁମଧୁର ରାଗେ
ବିଦାୟ ନେଉଛି ଶୀତ ।
କୋଇଲିର ସେହି ପଞ୍ଚମ ସ୍ୱରରେ
ମନ ଖୋଜେ କାହା ସ୍ମୃତି,
ବସନ୍ତ ପବନେ ଭାସି ଆସେ ଧୀରେ
ପ୍ରେମର ଅଭୁଲା ପ୍ରୀତି ।
ରସାଳ ମୁକୁଳ ସୁମଧୁର ଗନ୍ଧେ
ମତ୍ତ ହୁଏ ଚଉଦିଗ,
ଅଳି ଅଭିସାରେ କୁସୁମ କାନନେ
ଖୋଜଇ ମଧୁର ଯୋଗ ।
ନବ କିଶଳୟ ହସେ ଡାଳେ ଡାଳେ
ସବୁଜିମା ଭରେ କାୟା,
ନିଦାଘ ପୂର୍ବରୁ ପ୍ରକୃତି ରଚଇ
ଶୀତଳ ସ୍ନେହର ଛାୟା ।
ଫଗୁର ଚମକେ ରଙ୍ଗିନ୍ ଧରଣୀ
ଅବିରର ଖେଳ ଚାଲେ,
ନାଲି ପଳାଶର ଉଦ୍ଦାମ ନାଚରେ
ଅଗ୍ନିର ଝଲକ ଖେଳେ ।
ଜାତି, ଅଭିମାନ ସବୁ ପାଶୋରିକି
ଏକାକାର ହୁଏ ମନ,
ଫଗୁଣର ଏହି ରଙ୍ଗ ସିଞ୍ଚନରେ
ଉଲ୍ଲସିତ ତନୁମନ ।
ମହୁଲର ବାସ୍ନା, ଶିମୁଳିର ଶୋଭା
ମନେ ଭରେ ଶିହରଣ,
ଫଗୁଣ ଚିଠିରେ ଫୁଲର ଅକ୍ଷରେ
ହୁଏ ତାର ଆଗମନ ।
ବଉଳ ଶେଯରେ ଶୋଇଛି ବସନ୍ତ
ଫଗୁ-ରଙ୍ଗେ ଭିଜା କାୟା,
ସାରା ଦୁନିଆକୁ ବାଣ୍ଟଇ ନିରତ
ଅଫେରନ୍ତି ସ୍ନେହ ମାୟା ।
ପଳାଶ କିଂଶୁକ ରଙ୍ଗରେ ରଙ୍ଗିନ
ସାଜିଛି ବନାନୀ ରାଣୀ,
ପ୍ରକୃତି କୋଳରେ ଫଗୁଣ ଲେଖୁଛି
ପ୍ରେମର ଏକ କାହାଣୀ ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment