ଆଞ୍ଜୁଳାଏ ଜୀବନ
ଆଞ୍ଜୁଳାଏ ପାଣି ପରି ଏ ଜୀବନ,
ଧରି ରଖିବାକୁ ଚେଷ୍ଟା କଲେ ବି
ଆଙ୍ଗୁଠି ସନ୍ଧି ଦେଇ
ଧୀରେ ଧୀରେ ଖସିଯାଏ ସମୟ।
ନିଜସ୍ୱ କିଛି ନାହିଁ ଏଠି,
ସବୁ ଋଣ କରା ସ୍ମୃତିର ସମ୍ପତ୍ତି
କିଛି ହସ, କିଛି ଲୁହ,
ଆଉ କିଛି ଅଧାଗଢ଼ା ସ୍ୱପ୍ନର ପାହାଚ
କେବେ ଏହା ଶାନ୍ତ ପୋଖରୀର ଜଳ,
ତ କେବେ ଅଶାନ୍ତ ସମୁଦ୍ରର ଢେଉ।
ଖୋଜୁ ଖୋଜୁ ନିଜକୁ ଏଇ ଭିଡ଼ ଭିତରେ,
ପାଇଯାଏ କେବେ ଏକାକୀତ୍ୱର ସ୍ୱର,
ସାଉଣ୍ଟିବାକୁ ଗଲେ ଅତୀତର ଖଣ୍ଡବିଖଣ୍ଡିତ ଆଇନା
ରକ୍ତାକ୍ତ ହୁଏ ବର୍ତ୍ତମାନର ପାପୁଲି।
ଜୀବନ ତ ଏକ ସଞ୍ଜ ନଇଁବା ପୂର୍ବର ଖେଳ,
ଯେଉଁଠି ଜିତିବାର ମୋହ ନାହିଁ କି ହାରିବାର ଭୟ,
ଶେଷରେ ସବୁ ସେହି ମାଟିର ମାୟା
କେବଳ ରହିଯାଏ କିଛି ଅକୁହା କଥା
ଆଉ ପବନରେ ଭାସୁଥିବା ଆଞ୍ଜୁଳାଏ ଶୂନ୍ୟତା।
ତଥାପି...
ଏଇ ଆଞ୍ଜୁଳାଏ ଜୀବନକୁ ନେଇ ଗର୍ବ ଅନେକ,
ଯେ ପର୍ଯ୍ୟନ୍ତ ଶେଷ ବୁନ୍ଦାଟି ଖସିନାହିଁ
ସେ ପର୍ଯ୍ୟନ୍ତ ବଞ୍ଚିବାର ଜିଦ୍
ଆଉ ଅଳ୍ପ ଟିକେ ବାକି ଥାଏ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment