ବୟସର ଛାପ
ସମୟର ସ୍ରୋତେ ଭାସିଯାଏ ଆୟୁ
ବଦଳେ ଦେହର ରୂପ,
ଅକୁହା କଥାକୁ ସାଇତି ରଖିଛି
ଏହି ବୟସର ଛାପ ।
କେତେ ଯେ ଖରା ଓ କେତେ ଯେ ବରଷା,
ବିତିଗଲା କେତେ ଋତୁ,
କୁଞ୍ଚିତ ଚର୍ମରେ ଲେଖା ହୋଇଅଛି
ଜୀବନର ସବୁ ସେତୁ ।
ଆଖି କୋଣେ ଆଜି କଳା ଗାର କହେ,
ଅନିଦ୍ରା ରାତିର ଗପ,
ସପନର ଚିତା ଜଳି ଯାଇଅଛି
ବାକି ଅଛି ଶେଷ ଧୂପ ।
ଧଳା କେଶ ସବୁ ପାଚିଲା ଧାନର
ସୁନେଲି କେଣ୍ଡାଟି ପରି,
ଅନୁଭୂତିର ସେ ଭାରାକ୍ରାନ୍ତ ବୋଝ
ଚାଲିଛି ମୁଣ୍ଡରେ ଧରି ।
ହାତର ଶିରା ପ୍ରଶିରା ଗୁଡ଼ିକ
ମାନଚିତ୍ର ସମ ଦିଶେ,
ହସ ଓ ଲୁହର ସେଇ ପୁରୁଣା ଦିନ
ମନ ଆକାଶରେ ଭାସେ ।
ଦର୍ପଣ ଦେଖାଏ ରେଖା କେଇ ଧାଡ଼ି
କୁଞ୍ଚିତ କପାଳ ତଳେ,
ଯେଉଁଠି ଲୁଚିଛି ସଂଘର୍ଷର କଥା
ଅକୁହା ଲୁହର ଜଳେ।
କାନ୍ଧରେ ଲଦା ସେ କର୍ତ୍ତବ୍ୟର ଭାର,
ଏବେ ବି ଅଛି ଯେ ଜାରି,
ବୟସର ଛାପ ହସି କହୁଥାଏ
ଜୀବନଟା କାରିଗରୀ ।
ଝଡ଼ ପରେ ଯେମିତି ଶାନ୍ତ ଆକାଶ
ଦିଶେ ଅତି ମନୋହର,
ସେମିତି ଏ ବୟସ ଶିଖାଇ ଦେଇଛି
ଜୀବନର ସାରା ସାର।
ନଥାଉ ସେ ଦେହେ ଯୌବନର ତେଜ
ଥାଏ ଅନୁଭବି ଆଲୋକ,
ସେଇ ଆଲୋକରେ ବାଟ କଢ଼ାଇବା
ଦୂର କରି ସବୁ ଶୋକ।
କିନ୍ତୁ ଏହି ଛାପ ହାରିବାର ନୁହେଁ
ଅଟେ ଜିତିବାର ଚିହ୍ନ,
ତ୍ୟାଗ ଓ ଶ୍ରମର ସ୍ବାକ୍ଷର ସେ ବହେ
ସ୍ମୃତି ଯେ ଏକ ଅଭିନ୍ନ ।
ଜନ୍ମ ଓ ମୃତ୍ୟୁର ସେଇ ମଧୁଶାଳେ
ବୟସତ ଏକ ସାକ୍ଷୀ,
ପ୍ରତିଟି ରେଖାରେ ଲୁଚି ରହିଥାଏ
ସନ୍ତୋଷର ମିଠା ଆଖି।
ଭାଙ୍ଗିଯାଉ ପଛେ ମାଟିର ପିତୁଳା,
ଆତ୍ମା ଅଟଇ ଅମର,
ବୟସର ଛାପ ଛାଡ଼ିଯାଏ ଚିହ୍ନ,
ଏଇ ମର ଦୁନିଆର।
ମିନାକ୍ଷୀ ଦ୍ବିବେଦୀ
ଗୁରୁ ଗ୍ରାମ
Comments
Post a Comment