ସକାଳର ସୂର୍ଯ୍ୟ ଆଜି ପରାଜିତ,
ଏକ ଅଦୃଶ୍ୟ ସୈନ୍ୟବାହିନୀ ପରି
କୁହୁଡ଼ି ମାଡ଼ି ଆସିଛି
ସାରା ସହରକୁ ନିଜ ମୁଠାରେ ନେବା ପାଇଁ।
ପବନରେ ଶୀତର ଶିହରଣ ଅପେକ୍ଷା
ରହସ୍ୟର ଗନ୍ଧ ଅଧିକ,
ଝରକା କାଚ ବାହାରେ
ଜଗତଟା ଏବେ ଏକ ଜଳଛବି
ଯାହାକୁ କେହି ଜଣେ ଅସାବଧାନରେ
ଓଦା ହାତରେ ପୋଛି ଦେଇଛି।
ନିଶ୍ୱାସ ଛାଡ଼ିଲେ
ଧୂଆଁ ବାହାରୁଛି ନିଜ ଭିତରୁ,
ସତେ ଯେମିତି ଆମେ ନିଜେ ବି
ଏହି କୁହୁଡ଼ିର ଏକ ଏକ ଅଂଶ ପାଲଟି ଯାଇଛୁ।
ରାସ୍ତା କଡ଼ର ଚା’ ଦୋକାନରୁ ଉଠୁଥିବା ବାମ୍ଫ
ଆଉ ବାହାରର ଏଇ ଧୂମ୍ର ଜାଲ
ଦୁହେଁ କେଉଁଠି ମିଶିଯାଉଛନ୍ତି ଜାଣି ହେଉନି।
ଗାଡ଼ିର ହେଡ୍ଲାଇଟ୍ ସବୁ
ଏବେ ପଥ ପ୍ରଦର୍ଶକ ନୁହନ୍ତି,
ସେମାନେ ଯେମିତି କୁହୁଡ଼ି ସମୁଦ୍ରରେ
ଭାସୁଥିବା ଦୁଇଟି ହେମାଭ ଆଖି।
ଚିନି ପରି ମିଶିଯାଉଛି ସମୟ
ଏହି ଧଳା ନିସ୍ତବ୍ଧତା ଭିତରେ,
ପୋଖରୀ କୂଳର ସେଇ ବରଗଛ
ଯାହାର ଶିଖର ଏବେ ଶୂନ୍ୟରେ ହଜିଛି,
ଲାଗୁଛି ସେ ଯେମିତି ଧରିତ୍ରୀର
ଏକ ଅକୁହା ପ୍ରଶ୍ନ ପରି ଠିଆ ହୋଇଛି।
ଧୀରେ ଧୀରେ...
ଯେବେ ଖରା ତାର ସୁନା ରଙ୍ଗର ଆଙ୍ଗୁଠିରେ
ଏହି ପରଦାକୁ ଆଡ଼େଇ ଦେବ,
ସେତେବେଳେ ସଂସାର ପୁଣି ଥରେ ଝଲସି ଉଠିବ,
କିନ୍ତୁ କୁହୁଡ଼ି ସାଥେ ଦେଖିଥିବା ସେହି ମାୟାପୁରୀ
ମନର କୋଣରେ ଏକ ରହସ୍ୟ ହୋଇ ରହିଯିବ।
ମିନାକ୍ଷୀ ଦ୍ବିବେଦୀ
ଗୁରୁ ଗ୍ରାମ
Comments
Post a Comment