ଅଗ୍ନିଶିଖା
ମତେ ଅବଳା କହିବାର ସେଇ
ପୁରୁଣା ଅଭ୍ୟାସଟା ଏବେ ବଦଳାଇ ଦିଅ,
କାରଣ ମୋ ଆଖିରେ ଏବେ ଲୁହ ନୁହେଁ
ଅଙ୍ଗାରର ନିଆଁ ଜଳୁଛି।
ମୁଁ ସେଇ ଚଉକା-ଚୁଲିର ଧୂଆଁ ଭିତରେ
ହଜି ଯାଇଥିବା ନାଁ ନୁହେଁ,
ମୁଁ ସେଇ ଲକ୍ଷ୍ମଣ ରେଖା, ଯାହାକୁ ତୁମେ ନୁହେଁ
ମୁଁ ନିଜେ ନିଜ ପାଇଁ ଟାଣିଛି ସମ୍ମାନ ରକ୍ଷା ପାଇଁ।
ତୁମେ ମତେ ଶାଢ଼ିର କାନିରେ
ବାନ୍ଧିବାକୁ ଚେଷ୍ଟା କରୁଥିଲ
କିନ୍ତୁ ଦେଖ...
ସେଇ କାନି ଆଜି ପତାକା ସାଜି ଆକାଶ ଚୁମୁଛି।
ତୁମର ଶାସନ, ତୁମର ଅନ୍ଧବିଶ୍ୱାସ,
ତୁମର ସେଇ ସୀମାର ପାଚେରୀ
ସବୁକୁ ମୁଁ ଆଜି ମୋ ପାଦର ନୂପୁର
ତାଳେ ତାଳେ ଚୂରମାର୍ କରିଛି।
ମୁଁ କାହାର ଦୟାରେ ବଞ୍ଚିଥିବା ଛାଇ ନୁହେଁ,
ମୁଁ ଜଣେ ମାଆ, ଜଣେ ଭଉଣୀ, ଜଣେ ପ୍ରେମିକା
କିନ୍ତୁ ସବୁଠୁ ବଡ଼ କଥା, ମୁଁ ଜଣେ ମଣିଷ।
ମୋର ବିପ୍ଳବ କାହା ବିରୁଦ୍ଧରେ ନୁହେଁ,
ସେଇ ମାନସିକତା ବିରୁଦ୍ଧରେ
ଯାହା ମନରେ ମିଛ କଳ୍ପନା ଥାଏ
ନାରୀ କେବଳ ଏକ ସାଜସଜ୍ଜାର ବସ୍ତୁ।
ମୁଁ ସେଇ ଆକାଶ..
ଯାହାର ପରିଧି ତୁମେ ମାପି ପାରିବନି,
ମୁଁ ସେଇ ନିଆଁ...
ଯାହାକୁ ତୁମ ଶୃଙ୍ଖଳ ଅଟକାଇ ପାରିବନି।
ମୋ ମୌନତାକୁ ମୋର ଦୁର୍ବଳତା ଭାବନି
ପ୍ରଳୟ ପୂର୍ବରୁ ସମୁଦ୍ର ଶାନ୍ତ ଥିବା ପରି ଏ ନିରବତା
ମୁଁ ଆଜି ଜାଗିଛି,
ଆଉ ମୋର ଏଇ ଜାଗରଣ ହିଁ
ତୁମର ଅହଂକାର ପାଇଁ ଶେଷ ଚେତାବନୀ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment