ସମୟର ତିନୋଟି ସ୍କେଚ
ପ୍ରଥମ ସ୍କେଚ :ସ୍ମୃତିର ପାଣ୍ଡୁଲିପି (ଅତୀତ)
ସମୟ ଏକ ଧୂସର ରଙ୍ଗର କାନଭାସ,
ଯେଉଁଠି କଲମରୁ କାଳି ସରି ଯାଇଛି ସତ
କିନ୍ତୁ ଗାରଗୁଡ଼ିକ ଏବେ ବି ଗଭୀର
ସେଠି ସାଇତା ଅଛି ପିଲାଦିନର ସେଇ ଭଙ୍ଗା ଖେଳନା,
ପ୍ରଥମ ବର୍ଷାରେ ଭିଜିଥିବା କାଗଜ ଡଙ୍ଗା,
ଆଉ ହଜି ଯାଇଥିବା କିଛି ପ୍ରିୟ ମଣିଷଙ୍କ ଅସ୍ପଷ୍ଟ ଛବି
ଯାହା ଦୀର୍ଘଶ୍ୱାସର ଶୀତଳ ପବନରେ
ପାଉଁଶ ତଳର ନିଆଁ ପରି ଅତୀତକୁ ଜୀବନ୍ତ କରେ।
ଦ୍ଵିତୀୟ ସ୍କେଚ୍: ଚଳନ୍ତି ପଥର ଧୂଳି (ବର୍ତ୍ତମାନ)
ଏ଼ହା ଏକ ଅଧାଗଢ଼ା ରଙ୍ଗୀନ ଚିତ୍ର,
ଯେଉଁଠି ରଙ୍ଗ ଏବେ ବି କଞ୍ଚା ଅଛି,ଆଉ ସ୍ପର୍ଶ ଏବେ ବି ତାଜା
ସମୟ ଏଠି ଏକ ଦୁର୍ଦ୍ଦାନ୍ତ ଅଶ୍ୱ ପରି ଧାଉଁଛି
ଆଉ ଆମେ ସେଇ ଉଡ଼ନ୍ତା ଧୂଳି ଭିତରେ ଖୋଜୁଛୁ
ପରିଚୟର ଗୋଟେ ସ୍ଥିର ବିନ୍ଦୁ।
ଏଠି ସ୍ୱର ଅଛି, କୋଳାହଳ ଅଛି,
ଆଉ ଅଛି ପ୍ରତି ମୂହୁର୍ତ୍ତକୁ ଜିତିବାର ଏକ ଜିଦ
ଏହି ସ୍କେଚ୍ଟି କେବଳ ଏତିକି କହେ
ଯାହା ଅଛି, ଏଇଠି ଅଛି, ଏଇ ମୂହୁର୍ତ୍ତରେ ଅଛି।
ତୃତୀୟ ସ୍କେଚ୍: କୁହୁଡ଼ିଆ ପାହାନ୍ତି (ଭବିଷ୍ୟତ)
ଏହି ଚିତ୍ରଟି ଏବେ ବି ଅଙ୍କା ହୋଇନାହିଁ,
କେବଳ କିଛି କାଳ୍ପନିକ ଗାରର ଅସମାପ୍ତ ସମାହାର
ସେଠି ଆଶାର ଆଲୁଅ ଅଛି ଆଉ ଆଶଙ୍କାର ଅନ୍ଧାର ବି,
ଏହା ଏକ ଅଜଣା ବାଟର ମାନଚିତ୍ର ପରି
ଯାହାକୁ ଦେଖିଲେ ଛାତି ଧଡ଼ଧଡ଼ ହୁଏ,
ଆଉ ଆଖିରେ ନୂଆ ସ୍ୱପ୍ନର ଚମକ ବି ଖେଳେ
ଏହି ସ୍କେଚ୍ଟି ଏକ ଅସମାପ୍ତ କବିତା,
ଏକ ଅଭିସାର, ଏକ ମୁକ୍ତ ଆକାଶ,
ଯାହାକୁ ଲେଖିବା ପାଇଁ ଆମେ ଆଜି ପ୍ରସ୍ତୁତ ହେଉଛୁ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment